ପୁଣି ଦେଖା ଗଲାଣି ଅଜଣା ରୋଗର ଆତଙ୍କ, ଚିନ୍ତାରେ ଗାଁ ଲୋକେ

ରାୟଗଡା(କେନ୍ୟୁଜ): ଗାଁ ସାରା ବ୍ୟାପିଯାଇଛି ଅଜଣା ରୋଗ । କେହି କିଛି ବୁଝିବା ପୂର୍ବରୁ ଶୂନ୍ୟ ହୋଇ ଯାଉଛି ମା’ର କୋଳ । ଅଜଣା ରୋଗରେ କେଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ଅନେକ ରୋଗରେ ପଡ଼ି ଯନ୍ତ୍ରଣାରେ ଛଟପଟ୍‌ ହେଉଛନ୍ତି । ଖାଇ ପାରୁ ନାହାନ୍ତି କୁନି କୁନି ପିଲା । ଏନେଇ ପୂରା ଗାଁକୁ ଚିନ୍ତା ଘାରିଛି । କେମିତି ଏ ଅଜଣା ରୋଗରୁ ନିଜ ପରିବାରକୁ ବଞ୍ଚାଇବେ ସେହି ଚିନ୍ତାରେ ଭୋକ ଶୋଷ ଭୁଲି ଗଲେଣି ଗାଁ ଲୋକେ ।

ରାୟଗଡା ଜିଲ୍ଲାର କାଶୀପୁର ବ୍ଳକରେ ପୁଣି ଖେଳିଯାଇଛି ଅଜଣା ରୋଗର ଆତଙ୍କ । ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୪ ଜଣ କୁନି ପିଲା ମୃତ୍ୟୁବରଣ କରିଥିବା ବେଳ ଅନେକ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କର ଚିକିତ୍ସା କରାଯିବା ସହିତ ରୋଗର କାରଣ ଜାଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଉଦ୍ୟମ ଆରମ୍ଭ କରାଯାଇଛି । ମନୁଷପଦର ଗାଁରେ ଏକ ଡାକ୍ତରୀଦଳ ପହଞ୍ଚି ତଦନ୍ତ କରୁଛନ୍ତି ।

ରାୟଗଡା ଜିଲ୍ଲା କାଶୀପୁର ବ୍ଳକର ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମନୁଷପଦର ଗାଁରେ ମୃତ୍ୟୁର ତାଣ୍ଡବଳୀଳା ଆରମ୍ଭ ହୋଇଛି । ଚଳିତ ମାସ ୩ ତାରିଖ ଠାରୁ ଛୋଟ ଛୋଟ ପିଲାମାନଙ୍କ ଗଳା ଫୁଲିବା ସହିତ ଜ୍ୱରରେ ପିଡିତ ହେବାପରେ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି । ସ୍ବାସ୍ଥ୍ୟଗତ ସଚେତନତା ଅଭାବରୁ ପ୍ରଥମେ ଗ୍ରାମବାସୀ ଗୁଣିଆର ସହାୟତା ନେଇଥବା ଖବର ରହିଛି । କିନ୍ତୁ ଚଳିତ ମାସ ୬ ତାରିଖ ଠାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲାଲ ମୋହନ ରାଉତରାୟ , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ. ବରଦାକାନ୍ତ ମିଶ୍ର ଓ ମାଇକ୍ରୋବାୟୋଲୋଜିଷ୍ଟ ଡ. ସୂର୍ୟ୍ୟକାନ୍ତ ସାମଲ ପହଞ୍ଚିଛନ୍ତି । ଗଳାରେ ସଙ୍କ୍ରମଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଉଚ୍ଚସ୍ତରୀୟ ପରୀକ୍ଷା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସମେତ ରାଜ୍ୟ ଶିଶୁ ବିଶେଷଜ୍ଞ ମାନଙ୍କ ସହିତ ପରାମର୍ଶ କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତ ହୋଇଥିବା ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି । ପିଲାମାନଙ୍କ ଚିକିତ୍ସା କରାଯାଇ ସୁସ୍ଥ କରିବା ପାଇଁ ଦାବି ହେଉଛି ।

 

Leave A Reply

Your email address will not be published.