ବିହାର: ଇଞ୍ଜିନିୟରିଂ କଲେଜ କ୍ୟାଣ୍ଟିନ୍‌ ଖାଦ୍ୟରୁ ବାହାରିଲା ମଲା ସାପ ! ଅନେକ ଛାତ୍ରଛାତ୍ରୀ ଅସୁସ୍ଥ

ଖାଦ୍ୟରୁ ବାହାରିଲା ମଲା ସାପ । ଏମିତି ଅଭିଯୋଗ ଆଣିଛନ୍ତି ବିହାରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ । ବିହାରର ବାଙ୍କାଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ଖାଦ୍ୟରୁ ମଲା ସାପ ବାହାରିଛି, ଯାହାକୁ ନେଇ ଛାତ୍ରଛାତ୍ରୀ କଲେଜ ପରିସରରେ ପ୍ରବଳ ହଙ୍ଗାମା କରିଥିଲେ । କର୍ତ୍ତୃପକ୍ଷ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ମିଳିଥିବା ସୂଚନା ମୁତାବକ, କଲେଜର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଏକ ପ୍ରାଇଭେଟ୍‌ ମେସ୍‌ରୁ ଖାଦ୍ୟ ଉପଲବ୍ଧ କରାଯାଇଥାଏ । ପୂର୍ବରୁ ବି ଖାଦ୍ୟର ଗୁଣାବତ୍ତାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା । ହେଲେ କେହି ମଧ୍ୟ ଏହା ଉପରେ ଧ୍ୟାନ ଦେଇ ନ ଥିଲେ । ଗତ ଗୁରୁବାର ରାତିରେ ଯେତେବେଳେ ଛାତ୍ରଛାତ୍ରୀଙ୍କୁ ମେସ୍‌ ଖାଦ୍ୟ ଦିଆଯାଇଥିଲା, ସେଥିରେ ଏକ ବିଷାକ୍ତ ମଲା ସାପ ପଡ଼ିଥିବାର ଦେଖାଯାଇଥିଲା । ତେବେ ଖାଦ୍ୟରୁ ମଲା ସାପ ବାହାରିବା ବେଳକୁୁ କିଛି ଛାତ୍ରଛାତ୍ରୀ ଖାଦ୍ୟ ଖାଇ ସାରିିଥିଲେ ।

ଖାଦ୍ୟ ଖାଇବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହାପରେ ପାଖାପାଖି ୧୦ରୁ ୧୫ ଜଣ ପିଲାଙ୍କୁ ବାଙ୍କା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାମଲାର ଗମ୍ଭୀରତାକୁ ଦେଖି ବାଙ୍କା ସଦର ଏସ୍‌ଡିଏମ୍‌ ଏବଂ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାଙ୍କା ଜିଲ୍ଲା ଅଧିକାରୀ ଅଂଶୁଲ କୁମାର ମଧ୍ୟ କଲେଜରେ ପହଞ୍ଚି ମାମଲାର ତଦନ୍ତ କରିଛନ୍ତି ।

ବାଙ୍କା ଏସ୍‌ଡିଓ ଅଭିନାଶ କୁମାର କହିଛନ୍ତି ଯେ ଖାଦ୍ୟରୁ ସାପ ବାହାରିଥିବା ନେଇ ପ୍ରଶାସନ ନିଶ୍ଚିତ କରୁ ନାହିଁ । ଖାଦ୍ୟରେ ଅନିୟମିତତା ହୋଇଥିବ । ତେଣୁ ପିଲାମାନେ ହଙ୍ଗାମା କରୁଥିବେ । ଆମେ ଏହି ମାମଲାର ତଦନ୍ତ କରିଥିଲୁ । ମେସ୍‌ ଲୋକଙ୍କୁ ଜରିମାନା ଲଗାଯାଇଛି । ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରି ପୁଣିଥରେ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହାପରେ ପ୍ରିନ୍ସିପାଲ ଏବଂ ଛାତ୍ରଛାତ୍ରୀମାନେ ଏକ ସାଥୀରେ ବସି ଭୋଜନ କରିଥିଲେ ।

Leave A Reply

Your email address will not be published.