ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇଥିଲେ । ଘଟଣା ସ୍ଥଳରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର ବୋମସ୍କ୍ବାଡ୍ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିବା ବେଳେ ଘଟିଯାଇଛି ଏଭଳି ଅଘଟଣ।

ବୋମା ନିଷ୍କ୍ରିୟ କରିବାକୁ ଚେଷ୍ଟା କରିବା ସମୟରେ ହଠାତ୍‌ ଫୁଟିଥିଲା ବୋମା । ଯେଉଁ ସମୟରେ ସେଠାରେ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବୋମା ଫୁଟିବା କାରଣରୁ ପୋଲିସ କର୍ମଚାରୀ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ନେଇଥିଲେ ମେଡିକାଲ । ହେଲେ ସେଠାରେ ଜଣେ ପୋଲିସ କର୍ମଚାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଗୁରୁତରଙ୍କର କଟକ ଏସସିବି ମେଡିକାଲର ଟ୍ରମା କାଜୁଆଲଟିରେ ଚିକିତ୍ସା ଜାରି ରହିଛି ।

ମୃତ ହାବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ। ତାଙ୍କ ଘର କଟକର ପୀର ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ବୋମା ନିଷ୍କ୍ରିୟକାରୀ ୩ ଜଣିଆ ଟିମ୍‌ରେ ସାମିଲ ହୋଇଥିଲେ ଓ ଏହାର ନେତୃତ୍ୱ ନେଉଥିଲେ । କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା । ଜବତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଯାଇଥିଲା । ଯାହାଫଳରେ ସମସ୍ତ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ସେପଟେ ପ୍ରଦୀପଙ୍କ ମୃତ୍ୟୁ ଖବର ଶୁଣିବା ପରେ ଲହାକୁ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ । ମୁଣ୍ଡ ପିଟି ଛାତି ବାଡ଼େଇ କାନ୍ଦୁଛନ୍ତି ପୂରା ପରିବାର । ପରିବାର ଚଳିବ କେମିତି ପିଲାମାନଙ୍କ ଭବିଷ୍ୟତ କଣ ହେବ। ଏସବୁକୁ ନେଇ ଚିନ୍ତାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ।

ତେବେ ବୋମା ନିଷ୍କ୍ରିୟ ସମୟରେ ଆବଶ୍ୟକ ନିୟମକୁ ଗ୍ରହଣ କରାଯାଇଥିଲା କି ନାହିଁ, ତାହାର ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି । ସେପଟେ ପ୍ରଶ୍ନ ଉଠୁଛି ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ? ପୁଲିସର ତଦନ୍ତ ପରେ ଏହା ସାମ୍ନାକୁ ଆସିବ। ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହିତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତନାଘନା ଜାରି ରଖିଛନ୍ତି ।

 

Leave A Reply

Your email address will not be published.