୨୦୨୪ରେ କଟକ ଏସସିିବି ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର,ବିଶ୍ୱସ୍ତରୀୟ ଚିକିତ୍ସା ହେବ ଉପଲବ୍ଧ

କଟକ(କେନ୍ୟୁଜ୍):  କଟକ ଏସସିିବି ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର । ବିଶ୍ୱସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟକାରୀ ହୋଇଛି ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହେବ ୩୫ ଶହ କୋଟି ଟଙ୍କା । ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ଜାନୁଆରୀ ୧ ତାରିଖରେ ଏହାକୁ ଉଦଘାଟନ କରାଯିବ । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶରେ ସର୍ବବୃହତ ପ୍ରକଳ୍ପ । ୧୭୫ ଏକର ଜମିରେ ପ୍ରକଳ୍ପ କାର୍ଯ୍ୟର ବିକାଶ କରାଯାଉଛି ।

ନିର୍ମାଣ ହେବ ପାଞ୍ଚ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ପ୍ରଥମ ପର୍ଯ୍ୟାରେ ୩୫୦୦ ବେଡ୍‌ ଓ ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚ ହଜାରକୁ ବୃଦ୍ଧି କରାଯିବ । ତିନି ବର୍ଷରେ ସରିବ ପ୍ରକଳ୍ପ କାମ । ଡାକ୍ତର, ରୋଗୀ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବ । ଛାତ୍ରାବାସରେ ଅଧିକ ୨୨ଶହ ଛାତ୍ରଛାତ୍ରୀ ରହିବା ବ୍ୟବସ୍ଥା କରାଯିବ ।

ମେଡିକାଲ କଲେଜ ହସ୍ପିଟାଲର ସୁପରିଚାଳନା ପାଇଁ ଏକ ସ୍ୱାଧୀନ ପରିଚାଳନା ମଣ୍ଡଳୀ ରହିବ । ଏହାଦ୍ୱାରା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ । ଏସସିବିକୁ ଏମ୍ସ ପ୍ଲସ କରିବା ସହ ରୋଗୀଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ଏସସିବି ସ୍ଥାନ ପାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.