Below header

ପ୍ରସଙ୍ଗ : ସୁନ୍ଦରୀରୁ ଅଭିଜିତ୍ ଯାଏଁ, କେହି ନୁହନ୍ତି ମିତ୍ର

ଏବେ ଦୁଇଟି ପ୍ରସଙ୍ଗ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ସହରରେ ଅଭିଯୁକ୍ତ ଅଭିଜିତ ଓ ଜଙ୍ଗଲରେ ସୁନ୍ଦରୀ । ସୁନ୍ଦରୀକୁ ରାଜ୍ୟ ସରକାର ଆଣିଥିଲେ ସାତକୋଶିଆ ଅଞ୍ଚଳରେ ବାଘ ସଂଖ୍ୟା ବଢ଼ାଇବା ପାଇଁ । ହେଲେ ମହରଗରୁ ଯାଇ କାନ୍ତାରରେ ପଡ଼ିଲେ । ଏବେ ତାକୁ ଫେରାଇ ନେବା ଲାଗି ମୁଣ୍ଡ ପିଟୁଛି ବନ ବିଭାଗ । ସେପଟେ ଖୋଜା ଚାଲିଛି ସୁନ୍ଦରୀ କାହିଁ, ସୁନ୍ଦରୀ କାହିଁ । ସୁନ୍ଦରୀ କିନ୍ତୁ ଚକମା ଦେଇ ବାଘ ଧରାଳିଙ୍କୁ ଜଙ୍ଗଲ ଜଙ୍ଗଲ ବୁଲାଉଛି । ଗୋଟିଏ ବାଘୁଣୀ ସାରା ବ୍ୟବସ୍ଥାକୁ ଧୂଳି ଚଟାଇ ସାରିଲାଣି । କେତେବେଳେ ମଣିଷ ତ କେବେ ଗାଈ ଗୋରୁଙ୍କୁ ଆକ୍ରମଣ କରୁଛି । ତେଣୁ ସ୍ଥାନୀୟ ବାସିନ୍ଦାଙ୍କ ରୋଷର ଶିକାର ହୋଇଛି ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ । ଏଥିରେ ଦୋଷ କାହାର ? କାହିଁକି ଠିକଣା ଯୋଜନା କରି ବାଘକୁ ଜଙ୍ଗଲରେ ଛଡ଼ାଗଲା ନାହିଁ ? ଏ ସବୁ ପ୍ରଶ୍ନ ଏବେ ଅବାନ୍ତର । ଜଙ୍ଗଲ ନିକଟରେ ରହୁଥିବା ତଥା ସୁନ୍ଦରୀ ଭୟରେ ରାତି ଉଜାଗର ରହୁଥିବା ବାସିନ୍ଦାଙ୍କ ପ୍ରତି ଆମର ସମବେଦନା ରହିଛି । କିନ୍ତୁ ସାଧାରଣ ଜନତାଙ୍କ ମନରେ କିଛି ପ୍ରଶ୍ନ ବି ଉଙ୍କି ମାରୁଛି । ସତରେ ସୁନ୍ଦରୀ ଅଛି ତ ? ଯଦି ସେ ପୁରୁଷ ବାଘକୁ ପାଇଥିଲା ଓ ଆଉ ଅଘଟଣ ଘଟାଇବ ନାହିଁ ବୋଲି କୁହାଯାଉଥିଲା ତେବେ ପୁଣି କାହିଁକି ଫେରିଲା ସୁନ୍ଦରୀ ସଂକଟ ? ଏହି ସଂକଟ ଦୂର କରିବାକୁ ଯେତିକି ଖର୍ଚ୍ଚ ଓ ଯନ୍ତ୍ରଣା ହେଲାଣି ତାର କ୍ଷତିପୂରଣ କରି ହେବ କି ? ବାଘ ସୁରକ୍ଷିତ ରହୁ, ତା ସହିତ ମଣିଷ ବି ।

sundari 1

ଇଏ ତ ଗଲା ଜଙ୍ଗଲ ରାଜାର କଥା । ଏବେ ଆସିବା ମଣିଷ ପାଖକୁ । ନିଜ କଟୁ ମନ୍ତବ୍ୟରେ ରାଜ୍ୟବାସୀଙ୍କୁ ସୁନ୍ଦରୀ ଠାରୁ ଅଧିକ ଘାଇଲା କରିଥିବା ଅଭିଜିତ ଆୟାର ମିତ୍ର ଏବେ ଘୁରି ବୁଲୁଛନ୍ତି ଏ ଥାନାରୁ ସେ ଥାନା । ଯେଉଁଭଳି ଭାବେ ଓଡ଼ିଆ ଲୋକ, ରାଜ୍ୟର ଐତିହ୍ୟ ଓ ସଂସ୍କୃତି ଏବଂ ରାଜନେତାଙ୍କୁ କୁତ୍ସିତ ଭାଷାରେ ବାଣ ମାରିଲେ ତାର ଜବାବ ଅନ୍ତତଃ ତାଙ୍କୁ ମିଳିଛି । ଆଗେ ବଡ଼ ବଡ଼ ବାହସ୍ଫୋଟ ମାରୁଥିବା ଏହି ପୁରୁଷ ଜଣକ ଏବେ ମୂଷା ଭଳି ହେଉଛନ୍ତି । ଏକଦମ ନିରବି ଯାଇଛନ୍ତି । ମୁହଁରେ ଯେମିତି ପଡ଼ିଛି ବଡ଼ ଆଲିଗଡ଼ ତାଲା । ମୁଖମଣ୍ଡଳରେ ପଶ୍ଚାତାପର ଛାପ ଅଛି କି ପରିସ୍ଥିତିକୁ ଦେଖି ଏଭଳି ନିରବି ଯାଇଛନ୍ତି ତାହା ଏବେ ଜାଣିବା ମୁସ୍କିଲ ।

ଗୋଟିଏ ରାଜ୍ୟର ସମ୍ମାନ ହାନି କରିବାରେ କି ପ୍ରକାର ଦଣ୍ଡ ମିଳେ ତାହା ଅନ୍ତତଃ ଉଦହାରଣ ପାଲଟି ଯାଉ ୟାଙ୍କରି କଥାରୁ । ବର୍ତ୍ତମାନ ପରିସ୍ଥିତିକୁ ନେଇ କିଛି ଆଲୋଚନା, ସମାଲୋଚନା ବି ହେଉଛି । ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥାଉ କି ନଥାଉ ସେ କଥା ଗୁରୁତ୍ବପୂର୍ଣ୍ଣ ନୁହେଁ । ତେବେ ରାଜ୍ୟର ସମ୍ମାନ କ୍ଷୁଣ୍ଣ କରୁଥିବା ବ୍ୟକ୍ତି, ସେ ରାଜ୍ୟ ଭିତର ହେଉ କି ବାହାର କ୍ଷମାଯୋଗ୍ୟ ନୁହେଁ ।

abhijit

ଭୁଲ କରି ମୁହଁ ଫୁଟାଣି ମାରିବାର ଅର୍ଥ ନୁହେଁ ବାକ୍ ସ୍ବାଧୀନତା । ଏହାର ମାନେ ନୁହେଁ ଯେ କାହାର ସମ୍ମାନରେ ଆଞ୍ଚ ଆଣିବାର ଅଧିକାର ମିଳିଗଲା । ସୋସିଆଲ ମିଡିଆ ଆସିବା ପରେ ଏଭଳି ପରସ୍ପର ପ୍ରତି ଆକ୍ଷେପ ଏବଂ ସମ୍ମାନ ହାନି କଲା ଭଳି ମନ୍ତବ୍ୟ ଅତିମାତ୍ରାରେ ବଢ଼ି ଯାଇଛି । ଏଥିରେ ରୋକ୍ ଲାଗିବା ଅତି ଜରୁରୀ ହୋଇ ପଡ଼ିଛି ।

କିନ୍ତୁ ଆମେ ଏଠି କହୁଛୁ ରାଜ୍ୟର ସମ୍ମାନର କଥା । ଗୋଟିଏ କାହାଣୀ କହିଲେ ଟିକେ ଭଲ ହେବ। — ଜଣେ ବଣିକ ବିଭିନ୍ନ ଦେଶ ବୁଲି ବେପାର ବାଣିଜ୍ୟ କରୁଥିଲେ । ଏଭଳି ଭାବେ ସେ ଗୋଟିଏ ଅଜଣା ଦେଶରେ ପହଞ୍ଚିଲେ । ସେହି ଦେଶକୁ ଯିବା ଲାଗି ନଦୀ ପାର ହେବାକୁ ପଡ଼େ । ଯେତେବେଳେ ସେ ନଦୀ ପାଖରେ ପହଞ୍ଚିଲେ ତାଙ୍କୁ ଅପରପାର୍ଶ୍ବକୁ ନେବାକୁ ଡଙ୍ଗା ସଜା ହୋଇଥିଲା । ଅତିଥି ଭାବେ ପାଛୋଟି ନିଆଗଲା । ସେହି ରାଜ୍ୟରେ ସେ କିଛି ଦିନ ବିତାଇ ବେପାର କଲେ । ସେମାନଙ୍କ ଆତିଥ୍ୟ ପାଇ ଅତି ଖୁସି ହୋଇଥିଲେ । ଫେରିଲା ବେଳେ ସେଠାକାର ଲୋକେ ତାଙ୍କୁ ଅନେକ ଉପହାର ମଧ୍ୟ ଦେଲେ । ଡଙ୍ଗାରେ ବସାଇ ନଦୀ ପାରି କରିଦେଲେ । ତେବେ ଡଙ୍ଗାରୁ ଓହ୍ଲାଇଲା ବେଳେ ତାଙ୍କୁ ଛାଡ଼ିବାକୁ ଆସିଥିବା ଭଦ୍ରବ୍ୟକ୍ତି ଜଣକ ତାଙ୍କୁ ଅନୁରୋଧ କଲେ ଟିକେ ଯୋତା ଓହ୍ଲାଇବା ପାଇଁ । ଯୋତାକୁ ଡଙ୍ଗାରେ ଭଲ ଭାବେ ଝାଡ଼ି ନଦୀ ପାଣିରେ ଧୋଇ ଦେଲେ । ତା ପରେ ତାଙ୍କୁ ଫେରାଇ ଦେଲେ । ଏଥିରେ ଆଶ୍ଚର୍ଯ୍ୟ ହୋଇ ଅତିଥି ଜଣକ କାରଣ ପଚାରିଲେ । ସେତେବେଳେ ଭଦ୍ରବ୍ୟକ୍ତି ଜଣକ କହିଲେ, ଆମେ ଆମ ଦେଶକୁ ଏତେ ଭଲ ପାଉ ଯେ ଆମର ଧୂଳି ଟିକେ ବି କାହାକୁ ଦେବାକୁ ଚାହୁଁନା ।

ଏହି କାହାଣୀ କହିବାର ତାତ୍ପର୍ଯ୍ୟ ହେଉଛି, ନିଜ ମାଟିକୁ ନିଜ ରାଜ୍ୟକୁ ଭଲ ପାଇ ଶିଖିବା । ରାଜ୍ୟ ବାହାରର ଅଭିଜିତ କେବଳ ନୁହେଁ, ଅନେକ ଅଭିଜିତ ଆମ ରାଜ୍ୟ ଭିତରେ ମଧ୍ୟ ଅଛନ୍ତି । ସେମାନେ ଅନ୍ତତଃ ସଚେତନ ହୋଇଯାନ୍ତୁ ।

ଆଉ ଗୋଟିଏ କଥା ହେଉଛି ସୁନ୍ଦରୀକୁ ଆମେ ମିତ୍ର ବନାଇବାକୁ ଆଣିଥିଲୁ ସେ ଆମକୁ ଧୋକା ଦେଲା । ଏପଟେ ମିତ୍ର ନାମଧାରୀ ଅଭିଜିତ୍ ବି ବନ୍ଧୁ ହୋଇ ଚରମ ଧୋକା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.