ରାଜଧାନୀ ଭୁବନେଶ୍ୱରରୁ ମାୟାନଗରୀ ମୁମ୍ବାଇ, ଜାଣନ୍ତୁ ଓଡ଼ିଆ ଝିଅ ଦେବମିତ୍ରାଙ୍କ ବଲିଉଡ ନିର୍ଦ୍ଦେଶକ ବନିବାର ସଂଘର୍ଷମୟ କାହାଣୀ

ଓଡ଼ିଶାରେ ଜନ୍ମିତ କନ୍ୟା ଭାରତ ସମେତ ଦେଶ ବାହାରେ ମଧ୍ୟ ନାଁ କମାଉଥିବା ଦେଖିବାକୁ ମିଳୁଛି। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ଫିଲ୍ମ ନିର୍ମାଣ, ଡ୍ରେସ୍‌ ଡିଜାଇନିଂ, ବାଲୁକାକଳା ଆଦି କ୍ଷେତ୍ରରେ ମଧ୍ୟ ବହୁ ଓଡ଼ିଆ ଓଡ଼ିଶାର ନାଁକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ସମ୍ମାନ ଆଣିଛନ୍ତି। ଏବେ ପୁଣି ଥରେ ଜଣେ ଓଡ଼ିଆ ଝିଅ ବଲିଉଡ୍‌ରେ ନିର୍ଦ୍ଦେଶନା ଦେଇ ନାରୀମାନଙ୍କ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି। ଓଡ଼ିଶାରେ ଜନ୍ମିତ ଦେବମିତ୍ରା ପ୍ରଥମ ଥର ପାଇଁ ବଲିଉଡ୍‌ ଫିଲ୍ମ ‘ମୋତିଚୁର ଚକନାଚୁର’ରେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଜରିଆରେ ଦେବମିତ୍ରା ବଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି। ଉଡ୍‌ପିକର ମୁଭି ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ନଭେମ୍ବର ୧୫ରେ ମୁକ୍ତିଲାଭ କରିଛି।

ଏହାସହ ପଢ଼ନ୍ତୁ: ମେଟ୍ରୋରେ ଦୀପକ କଲାଲ୍‌ଙ୍କୁ ଏହି କାରଣରୁ ଚାପୁଡ଼ା ମାରିଲେ ଯୁବତୀ, ଦେଖନ୍ତୁ ଭିଡିଓ

ଦୃଢ଼ଇଚ୍ଛାଶକ୍ତି, କିଛି କରି ଦେଖାଇବାର ମନୋବୃତ୍ତି ଓ କଠିନ ପରିଶ୍ରମ ବଳରେ ଜଣେ ସଫଳତାର ଶୀର୍ଷରେ ପହଞ୍ଚିଥାଏ। ତାହା ହିଁ ଘଟିଛି ଦେବମିତ୍ରାଙ୍କ କ୍ଷେତ୍ରରେ। ଅନ୍ୟ ଇଣ୍ଡଷ୍ଟ୍ରି ଅପେକ୍ଷା ବଲିଉଡ୍‌ରେ ପ୍ରବେଶ କରିବା ସାମାନ୍ୟ କଷ୍ଟକର। ଏକ ବଡ଼ ପ୍ରୋଜେକ୍ଟ ଓ ବିଗ୍‌ ବ୍ରେକ୍‌ ମିଳିବା ଭାଗ୍ୟର କଥା। ଆଉ ଯାହାର କୌଣସି ଗଡ଼୍‍ଫାଦର ନଥିବେ ତାଙ୍କ ପାଇଁ ବଲିଉଡ୍‌ ସ୍ୱପ୍ନ ଛଡ଼ା ଆଉ କିଛି ନୁହେଁ। କିନ୍ତୁ ନିଜ କଠିନ ପରିଶ୍ରମ ସହ ଧୈର୍ଯ୍ୟ ଯୋଗୁ ଆଜି ଦେବମିତ୍ରା ଏକ ବିଗ୍‌ ବଜେଟ୍‌ ଫିଲ୍ମରେ ନିର୍ଦ୍ଦେଶନା ଦେଇ ପାରିଛନ୍ତି।

ଦେବମିତ୍ରାଙ୍କ ପୂରା ନାମ ହେଉଛି ଦେବମିତ୍ରା ବିଶ୍ୱାଳ ହସନ୍‌। ହିନ୍ଦୀ ଫିଲ୍ମ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକ ଏବଂ ଆଥିୟା ସେଟ୍ଟୀଙ୍କ ଅଭିନୀତ ଫିଲ୍ମ ମୋତିଚୁର ଚଖନାଚୁରରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ସମ୍ପର୍କରେ ଦେବମିତ୍ରା କହିଛନ୍ତି ଯେ, ନାଁରୁ ହିଁ ବୁଝି ହେଉଛି ମୋତିଚୁର ଅର୍ଥାତ୍‌ ମୋତିଚୁର ଲଡୁ। ଭାରତୀୟ ବିବାହ ସହ ଲଡୁର ସମ୍ପର୍କ ରହିଛି। ସେହିଭଳି ଏକ ପାରମ୍ପରିକ ବିବାହର କାହାଣୀ ଉପରେ ଏହି ଫିଲ୍ମ ଆଧାରିତ।

ଫିଲ୍ମଟି ଦୁଇ ଜଣ ସଚ୍ଚା ପ୍ରେମ ଚାହୁଁଥିବା ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବେସିତ। ଏଥିରେ ନଓ୍ଵାଜୁଦ୍ଦିନ୍‌ ଜଣେ ୩୬ ବର୍ଷୀୟ ଦୁବାଇ ଫେରନ୍ତା ଏନ୍‌ଆର୍‌ଆଇ ପୁଷ୍ପିନ୍ଦ୍ର ତ୍ୟାଗୀ ଭୂମିକାରେ ଅଭିନୟ କରୁଛନ୍ତି। ସେ ନିଜ ପାଇଁ ଜଣେ ପତ୍ନୀ ଖୋଜୁଥିବା ବେଳେ ତାଙ୍କର ବିବାହ ଆନି ନାମ ଏକ ଝିଅ ସହ ହୋଇଛି। ଆନି ବିଦେଶରେ ସେଟେଲ୍‌ ହେବାକୁ ଜଣେ ଏନ୍‌ଆର୍‌ଆଇକୁ ଯେମିତି ହେଲେ ବିବାହ କରିବାକୁ ଚାହୁଁଛନ୍ତି। ଆନି ଭୂମିକାରେ ଆଥିୟା ଅଭିନୟ କରୁଛନ୍ତି। ବିବାହ ପରେ ଉଭୟେ କିଛି ଏମିତି ପରିସ୍ଥିତିର ସାମ୍ନା କରୁଛନ୍ତି ଯାହାକୁ ମଜାଳିଆ ଢଙ୍ଗରେ ଫିଲ୍ମରେ ଦେଖିବାକୁ ମିଳିବ।

ଫିଲ୍ମର କାହାଣୀ ସମ୍ପର୍କରେ ଦେବମିତ୍ରା ବିଭିନ୍ନ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ମଧ୍ୟ ସୁନୀଲ ସେଟ୍ଟୀ ଏହି କାହାଣୀକୁ ପ୍ରଶଂସା କରିଥିଲେ। ସେ ଏହି ଫିଲ୍ମର କାହାଣୀ ଝିଅ ଆଥିୟାକୁ ଶୁଣିବାକୁ କହିଥିଲେ। ଆଥିୟାଙ୍କୁ ଏହାର କାହାଣୀ ଖୁବ୍‌ ପସନ୍ଦ ଆସିଥିଲା ଓ ସେ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ। ଅନ୍ୟପଟେ ନଓ୍ଵାଜୁଦ୍ଦିନ୍‌ ମଧ୍ୟ ସ୍କ୍ରିପ୍ଟ ଶୁଣି ମାତ୍ର ୧୫ ମିନିଟ୍‌ ମଧ୍ୟରେ ହଁ ଭରିଥିଲେ ବୋଲି କହିଛନ୍ତି ଦେବମିତ୍ରା।

ଏହାସହ ପଢ଼ନ୍ତୁ: ସୁଟିଂ ବେଳେ ହିନା ଖାନ୍‌ଙ୍କ ଉପରେ ଚଢ଼ିଗଲା ଟ୍ରକ୍‌,…

ଦେବମିତ୍ରାଙ୍କ ଜୀବନର କାହାଣୀ ମଧ୍ୟ ବେଶ୍‌ ରୋଚକ। ୨୦୦୩ ମସିହାରେ ଦେବମିତ୍ରା ମାୟାନଗରୀ ମୁମ୍ବାଇ ନିଜ ସ୍ୱପ୍ନ ସାକାର କରିବାକୁ ଚାଲିଆସିଥିଲେ। ସେତେବେଳେ ସେ ମାତ୍ର ୨୨ ବର୍ଷର ହୋଇଥିଲେ। ପରିବାର ଓ ବନ୍ଧୁବାନ୍ଧବଙ୍କ ସାହାଯ୍ୟ ଓ ସହାନୁଭୂତି ଯୋଗୁ ଦେବମିତ୍ରା ଆଜି ଏହି ସଫଳତାର ଶିଖରରେ ପହଞ୍ଚିଥିବା କହିଛନ୍ତି। ମହର୍ଷି କଲେଜରେ ପଢ଼ିବା ବେଳୁ ହିଁ ଦେବମିତ୍ରାଙ୍କର ଲେଖାଲେଖି ପ୍ରତି ଯଥେଷ୍ଟ ଆଗ୍ରହ ଥିଲା। ଏଣୁ ସେ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ମନସ୍ଥ କରିଥିଲେ।

ବାଲାଜୀ ଟେଲିଫିଲ୍ମରେ ଜଣେ ଉଦ୍ୟୋଗ ପ୍ରଶିକ୍ଷକ ଭାବେ ଏକ ବିଜ୍ଞାପନରେ ପ୍ରଥମେ କାମ କରିବା ସୁଯୋଗ ପାଇଥିଲେ ଦେବମିତ୍ରା। ପରେ ସେ ରାଧା କି ବେଟିୟା କୁଛ କର ଦିଖାଏଙ୍ଗେ ଏବଂ ଲାପତାଗଞ୍ଜରେ ନିର୍ଦ୍ଦେଶନା ଦେଇଥିଲେ। ଧୀରେ ଧୀରେ ସେ ଆହୁରି ଅଧିକ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ ଓ ଲୋକଙ୍କ ସହ ମିଶି ନିଜ ଲିଖିତ କାହାଣୀ ଶୁଣାଇଥିଲେ। ଦେବମିତ୍ରା କହିଛନ୍ତି ଯେ ଘରେ ବସି କେବଳ ଲେଖିଦେଲେ ହେବନି ବାହାରକୁ ବାହାରି ନିଜ ଲେଖାକୁ ଅନ୍ୟମାନଙ୍କୁ ଜଣାଇବା ବି ଜରୁରୀ। ତା’ ହେଲେ ହିଁ ଜଣେ ଆପଣଙ୍କ ଲେଖାକୁ ପ୍ରଶଂସା କରିବ ଓ ଭବିଷ୍ୟତରେ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ।

ଦେବମିତ୍ରାଙ୍କ କହିବାନୁସାରେ ଫିିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କେବେବି କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିନାହିଁ। କେବେବି କେହି ତାଙ୍କୁ ଜଣେ ମହିଳା ଭାବେ ବ୍ୟବହାର କରିନାହାନ୍ତି। ବରଂ ତାଙ୍କ କାମକୁ ସମସ୍ତେ ଆଦର କରିଛନ୍ତି ଓ ଆଗକୁ ବଢ଼ିବାକୁ ଉତ୍ସାହିତ କରିଛନ୍ତି। ତାଙ୍କ କହିବାନୁସାରେ ୯ଟାରୁ ୫ଟା ଅଫିସରେ କାମ କରିବା ହେଉ ବା କୌଣସି ବେପାର ଆରମ୍ଭ କରିବା, ସବୁକାମ ପାଇଁ ଇଚ୍ଛାଶକ୍ତି ଓ ସମୟ ଦରକାର। ତାଙ୍କୁ ଏହି ପର୍ଯ୍ୟନ୍ତ ପହଞ୍ଚିବାକୁ ୧୫ ବର୍ଷ ଲାଗିଛି ବୋଲି କହିଛନ୍ତି ଦେବମିତ୍ରା। ତେବେ କାର୍ଯ୍ୟବ୍ୟସ୍ତତା ଭିତରେ ମଧ୍ୟ ବର୍ଷକୁ ଦୁଇଥର ଦେବମିତ୍ରା ପରିବାର ସହ ଦେଖାକରିବାକୁ ଭୁବନେଶ୍ୱର ଆସିଥାନ୍ତି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.