ଜାତୀୟ ସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତାରେ ବାଜି ମାରିଲେ ଓଡ଼ିଆ, ଖୋର୍ଦ୍ଧାର ଶ୍ରେୟାଂଶ ହେଲେ ତୃତୀୟ
ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଶାର ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ୍) : ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଶାର ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ଓଡ଼ିଶାରୁ ୨୭ ଜଣ ଛାତ୍ର ଛାତ୍ରୀ ଏହି ପ୍ରକଳ୍ପ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଖୋର୍ଦ୍ଧାର ଶ୍ରେୟାଂଶ ନାୟକଙ୍କ ଛତୁ ଚାଷ ପାଇଁ ନଡ଼ା କାଟିବା ଓ ପ୍ୟାକିଂ କରିବାରର ଅଟୋମେଟିକ୍ ମେସିନ ତୃତୀୟ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଛାତ୍ରୀ କ୍ରିଷ୍ଣା ସାହୁଙ୍କ ସ୍ମାର୍ଟ ହେଲଥ କେୟାର, ମୟୁରଭଞ୍ଜର ତୃପ୍ତି ଟଙ୍ଗଙ୍କ ରୋଲର ବ୍ରସ୍, ଝାରସଗୁଡ଼ାର ସୁମୟ ସେନାପତିଙ୍କ ସୋଲଡରିଂ ସ୍ମୋକ୍ ଅବଜର୍ଭର, କଳାହାଣ୍ଡି ଛାତ୍ର ସୌମ୍ୟ ରଞ୍ଜନ ସିଂହଙ୍କ ଦ୍ୱାରା ପ୍ରସ୍ତୁତ ସେଫ୍ ସୁଇଂ ଆଡଭାନସେସ୍ ପ୍ରକଳ୍ପ ପ୍ରଶଂସିତ ହୋଇଥିଲା ।
ଗତ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ପ୍ରକଳ୍ପ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ସାରା ଦେଶରୁ ମୋଟ ୬୦ଟି ପ୍ରକଳ୍ପ ଏଥିରେ ସ୍ଥାନ ପାଇଥିଲା । କେନ୍ଦ୍ର ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ତରଫରୁ ଏହାକୁ ଆୟୋଜନ କରାଯାଇଥିଲା । ପ୍ରକଳ୍ପ ସଂଯୋଜକ ଭାବେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ଛାତ୍ର ଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ । ଓଡ଼ିଶା ଲୋକସମ୍ପର୍କ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି ।