ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଓ ୧୭ ପୁଣି କାଚିବ

ଭୁବନେଶ୍ବର(କେନ୍ଯୁଜ୍): ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟ ଶୁକ୍ରବାର ଦିନ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଏବେ ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ଓଡ଼ିଶାରେ ଗତକାଲିଠାରୁ ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ୪ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୩ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହାସହିତ ଆଜି ଅନ୍ଯପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ଏହା କ୍ରମଶଃ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୫ତାରିଖ ବେଳକୁ ଘନୀଭୂତ ହେବ। ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ।

ଏହାର ପ୍ରଭାବରେ ୧୬ ଓ ୧୭ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସଙ୍କ ପୂର୍ବାନୁମାନ, ସପ୍ତାହ ଶେଷରେ ଆଣ୍ଡାମାନ ଦ୍ୱୀପ ନିକଟ କିମ୍ବା ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଡିପ୍ରେସନ କିମ୍ବା ଶକ୍ତିଶାଳୀ ଅବପାତରେ ପରିଣତ ହୋଇ ଉତ୍ତର ତାମିଲନା଼ଡୁ, ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପରେ ପ୍ରଭାବ ପକାଇ ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.