ପ୍ରଚଣ୍ଡ ତାତିରେ କଲବଲ ହେଲାଣି ଓଡ଼ିଶା, ଦୁଇ ତିନି ଦିନ ଭିତରେ ୪୩ ଡିଗ୍ରୀ ଛୁଇଁବ ପାରା

ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ଉପରେ ଥିବାବେଳେ ବାରିପଦା ଓ ଝାରସୁଗୁଡାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସରେ ପହଂଚିଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆହୁରି ଜଳିବ ଓଡ଼ିଶା । ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲୋକଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ଏଣେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ପରିସ୍ଥିତି ଆହୁରି ଅସହ୍ୟ ହୋଇପଡ଼ିଛି। ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ଟପିଲା ଦିନ ତାପମାତ୍ରା । ବାରିପଦାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଗରମ ଓ ଗୁଳୁଗୁଳି ଅତିଷ୍ଠ କଲାଣି । ବାୟୁମଣ୍ଡଳର ତଳ ଭାଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ଦୁଇରୁ ୩ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ଦୁଇରୁ ୩ ଡିଗ୍ରୀ ସେଲସିୟସ ପର୍ଯନ୍ତ ବୃଦ୍ଧି ପାଇବ। ଅର୍ଥାତ ୪୩ ଡିଗ୍ରୀ ଛୁଇଁବ ତାପମାତ୍ରା । ତେଣୁ ଆଗକୁ ଭୀଷଣ ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ସାଧାରଣତଃ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ୱାଭାବିକ ରହିଥାଏ । ଗତବର୍ଷ ଏପ୍ରିଲ ଶେଷ ତାରିଖରେ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଏଥର ବି ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଦିନ ସମୟରେ ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଥିବା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.