Below header

ଭୁବନେଶ୍ବରରେ ଆରମ୍ଭ ହେଲା ଓଡ଼ିଶୀ ନୃତ୍ୟ ମହାକୁମ୍ଭର ମୁକ୍ତେଶ୍ୱର ନୃତ୍ୟ ଉତ୍ସବ

ଭୁବନେଶ୍ୱର(କେନ୍ୟୁଜ୍):ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଜିଠାରୁ ତିନିଦିନ ଧରି ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‍ଘାଟିତ ହୋଇଥିଲା । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟ ଗୋଟିଏ ମଞ୍ଚରେ ଦେଶ ତଥା ଦେଶ ବାହାରୁ ଆସୁଥିବା ନୃତ୍ୟଶିଳ୍ପୀଙ୍କୁ ଉପସ୍ଥାପନ କରାଇବା ସହିତ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା ।

ଉଦ୍‍ଘାଟନୀ ସନ୍ଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ଭିନ୍ନକ୍ଷମ, ସାମାଜିକ ସୁରକ୍ଷା, ସଶକ୍ତିକରଣ, ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା; ଓଡ଼ିଆ ଭାଷା, ସାହିତ୍ୟ  ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା – ଓମଂ ନମଃ ଶିବାୟ ଯାହାକୁ ପରିବେଷଣ କରିଥିଲେ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଓ ସାଥୀ । ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସରିତା ମିଶ୍ରଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ । ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ଶିବଙ୍କ ଉପରେ ନୃତ୍ୟ ପରିବେଷଣ ଓ ପରେ ପରେ ଭାଗିରଥୀଙ୍କ ରଚିତ କାବ୍ୟ ଉପରେ ନିବଦ୍ଧ ଅଭିନୟ ଗଙ୍ଗା । ପରେ ପରେ ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଗାୟତ୍ରୀ ରଣବୀର ଓ ସୌରଭ ମହାନ୍ତିଙ୍କ ଦ୍ୱାରା ପ୍ରଥମେ ଶୁଦ୍ଧଦେଶୀ ପଲ୍ଲବୀ ପରେ ପରେ ପାଶାଣୀ ଅହଲ୍ୟା ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ।

ଶେଷ କାର୍ଯ୍ୟକ୍ରମ ଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଶିଲ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ । ସେମାନେ ପ୍ରଥମେ ମଙ୍ଗଳାଚରଣରେ ପଞ୍ଚପରମେଶ୍ୱର ଓ ପରେ ପରେ ଗାୱତୀ ପଲ୍ଲବୀ ଏବଂ ଶେଷରେ ଅଭିନୟ ବ୍ରୀଜେବସନ୍ତମ୍‍ ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଡ଼. ମନୋରଞ୍ଜନ ପ୍ରଧାନ ଯାହାକୁ ଦର୍ଶକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।
କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଏବଂ ସଂହତି ପାଣି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ସ୍ଥାନୀୟ ଓ ବିଦେଶାରତ ଦର୍ଶକ ଉପଭୋଗ କରିଥିଲେ । ଏହି ନୃତ୍ୟ ଉତ୍ସବର ସିଧା ପ୍ରସାରଣ ଦୂରଦର୍ଶନର କେନ୍ଦ୍ରର ଡ଼ି ଡ଼ି ଭାରତୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୋସିଆଲ ମିଡ଼ିଆ ପାଲ୍ଟଫର୍ମରେ କରାଯାଉଅଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.