Below header

ସମ୍ବଲପୁର ହିଂସା : ବିଜେପିର ବନ୍ଦ ଡାକରାକୁ ପ୍ରତିବାଦ କରି ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି

ସମ୍ବଲପୁରକୁ ଶାନ୍ତି ଫେରୁଥିବା ବେଳେ ବନ୍ଦ ଡାକରା ଦେଇ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁଛି । ପ୍ରତିବାଦରେ ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି । ସନ୍ଧ୍ୟାରେ ରାଜ୍ୟବ୍ୟାପୀ ଶାନ୍ତି ଶୋଭାଯାତ୍ରା କରାଯିବ । ଦଳ ଅଭିଯୋଗ କରିଛି, ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବିଜେପି । ସହରରେ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି, ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥଳରେ ବିଜେପି ବନ୍ଦ ଡାକରା ଦେଇ ହୀନ ରାଜନୀତି କରୁଛି । ସମ୍ବଲପୁର ହିଂସାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏଭଳି ସମୟରେ ବିଜେପି ହୀନ ରାଜନୈତିକ ଷଡ଼ଯନ୍ତ୍ର କରୁଛି।

ଅନ୍ୟପଟେ ବିଜେପିର ବନ୍ଦ ସମର୍ଥନକୁ ବିଜେଡି ନିନ୍ଦା କରିଛି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ସମ୍ବଲପୁରରେ ଶାନ୍ତି ଫେରୁଛି, ପୋଲିସ ପଦକ୍ଷେପ ନେଇଛି । ସେତିକି ବେଳେ ବିଜେପି ରାଜନୈତିକ ଫାଇଦା ହାସଲ କରିବା ଓ ଲୋକଙ୍କୁ ହିଂସା ପାଇଁ ଉସୁକାଇବା ଆରମ୍ଭ କରିଛି। ବିଭିନ୍ନ ସ୍ପର୍ଶକାତର ଘଟଣାରେ ବିଜେପି ଏପରି ରଣନୀତି ପୂର୍ବରୁ ଅବଲମ୍ବନ କରିଛି ଓ ଏବେ ପୁଣି ତାହାର ପୁନରାବୃତ୍ତି କରିଛି। ସମ୍ବଲପୁରରେ ଶାନ୍ତି ଫେରିଥିବା ସମୟରେ ରାଜ୍ୟ ବିଜେପି ନେତାମାନେ ନିଜ ଫାଇଦା ହାସଲ ଉଦ୍ୟମରେ ଅଛନ୍ତି। ଏହି ମାମଲାରେ ପୁଲିସ ତଦନ୍ତ କରି ପ୍ରତ୍ୟେକ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯିଏ ବି ହିଂସା ପାଇଁ ଉସୁକାଇଛନ୍ତି ତାଙ୍କୁ ଛଡ଼ାଯିବ ନାହିଁ। ସେମାନେ ମଧ୍ୟ ଆଇନର ସମ୍ମୁଖୀନ ହେବେ। ତେଣୁ ବିଜେପିର ବନ୍ଦ ପାଳନ ଦୁର୍ଭାଗ୍ୟଜନକ । ସାରା ରାଜ୍ୟରେ ବୁଧବାର ସନ୍ଧ୍ୟାରେ ଦଳ ପକ୍ଷରୁ ଶାନ୍ତି ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି।

ଅପରପକ୍ଷେ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ ଯେତେବେଳେ ସମ୍ୱଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରିଆସୁଛି, ସେତିକି ବେଳେ ବିଜେପି ନେତାମାନେ ସମ୍ୱଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ପୁଣି ଥରେ ଶାନ୍ତ ପରିବେଶରେ ହିଂସାର ନିଆଁ ଲଗାଇବା ପାଇଁ ଉଦ୍ୟମ କରୁଛନ୍ତି। ବିଜେପି ଶାସିତ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ। ଓଡ଼ିଶା ବିଜେପି ନେତାମାନେ ହୀନ ରାଜନୀତି କରିବା ପୂର୍ବରୁ ଆତ୍ମ ସମୀକ୍ଷା କରିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.