ମାଟି ଦୀପରୁ ମୁହଁ ଫେରାଇ ନେଉଛନ୍ତି ଲୋକେ, ଆକର୍ଷିତ କରୁଛି ରଙ୍ଗୀନ ଲାଇଟ୍
ଦିନଥିଲା କୁମ୍ଭକାରମାନେ ମାଟିରେ ହାଣ୍ଡି ,ମାଠିଆ ,କଳସୀ ,ଦୀପ ,ସରା ଭଳି ବିଭିନ୍ନ ପ୍ରକାରର ପାତ୍ରକୁ ତିଆରି କରୁଥିଲେ । ଲୋକମାନେ ସେହି ମାଟିପାତ୍ରକୁ କୁମ୍ଭକାରଙ୍କ ଠାରୁ କିଣୁଥିଲେ । ଯାହାଦ୍ୱାରା କୁମ୍ଭକାରମାନେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ଦୁଇ ପଇସା ରୋଜଗାର କରିପାରୁଥିଲା ।
ଦୀପାବଳି ପାଇଁ ସଜେଇ ହେଲାଣି ଗାଁରୁ ସହର । ଘରେ ଘରେ ରଙ୍ଗ ବେରଙ୍ଗର ଲାଇଟ ଲାଗିଲାଣି । ଲିଚୁ ଲାଇଟ ସାଙ୍ଗକୁ ବିଭିନ୍ନ ପ୍ରକାରର ଇଲେକ୍ଟ୍ରିକ୍ ଦୀପରେ ଝଲସୁଛି ଗାଁ ଦାଣ୍ଡ । ସାରା ଭାରତବର୍ଷରେ ହିନ୍ଦୁ ମାନଙ୍କ ଏହି ପର୍ବକୁ ଖୁବ ଧୁମଧାମ ରେ ପାଳନ କରାଯାଏ । ଭାରତୀୟ ବୈଦିକ ଶାସ୍ତ୍ର ଅନୁସାରେ ଦୀପାବଳି ପର୍ବ ତ୍ରେତୟା ଯୁଗରୁ ପାଳନ ହୋଇ ଆସୁଛି । ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ରାବଣ କୁ ନିଧନ କରି ଅଯୋଧ୍ୟା କୁ ଫେରିଥିଲେ ସେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଭାଇ ଲକ୍ଷ୍ମଣଙ୍କୁ ସ୍ୱାଗତ କରିବା ଲାଗି ଅଯୋଧ୍ୟା ବାସୀ ନିଜ ଘର ଆଗରେ ଦୀପ ଜଳାଇ ଶ୍ରୀରାମ ,ସୀତା ଏବଂ ଲକ୍ଷ୍ମଣଙ୍କୁ ସ୍ୱାଗତ କରିଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଭାରତବର୍ଷର ହିନ୍ଦୁ ଧର୍ମାବଲମ୍ବୀ ମାନେ ଦୀପାବଳି ପର୍ବକୁ ଆଲୋକର ପର୍ବ ଭାବରେ ପାଳନ କରି ଆସୁଛନ୍ତି । ତେବେ ଏହି ପର୍ବ ପାଇଁ କୁମ୍ଭକାରମାନେ ଦୀପକୁ ମାଟିରେ ତିଆରି କରି ଲୋକମାନଙ୍କୁ ବିକ୍ରି କରିଥାନ୍ତି ଏବଂ ଦୁଇ ପଇସା ରୋଜଗାର କରିଥାନ୍ତି । ଦିନଥିଲା କୁମ୍ଭକାରମାନେ ମାଟିରେ ହାଣ୍ଡି ,ମାଠିଆ ,କଳସୀ ,ଦୀପ ,ସରା ଭଳି ବିଭିନ୍ନ ପ୍ରକାରର ପାତ୍ରକୁ ତିଆରି କରୁଥିଲେ । ଲୋକମାନେ ସେହି ମାଟିପାତ୍ରକୁ କୁମ୍ଭକାରଙ୍କ ଠାରୁ କିଣୁଥିଲେ । ଯାହାଦ୍ୱାରା କୁମ୍ଭକାରମାନେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ଦୁଇ ପଇସା ରୋଜଗାର କରିପାରୁଥିଲା । କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ ସବୁକିଛି ବଦଳି ଯାଇଛି । ଦିନକୁ ଦିନ ବଜାରରେ ବିଭିନ୍ନ ଷ୍ଟିଲ ଆଲୁମିନିୟମର ବାସନ ସବୁ ଆସିଯିବା ପରେ ଲୋକମାନେ ଏହି ମାଟି ତିଆରି ପାତ୍ର ଠାରୁ ମୁହଁ ଫେରାଇ ନେଉଛନ୍ତି । ଯାହାଦ୍ୱାରା ବର୍ଷ ବର୍ଷ ଧରି ନିଜର କୌଳିକ ବୃତ୍ତି ଉପରେ ନିର୍ଭର କରି ବଞ୍ଚୁଥିବା କାକଟପୁରର କୁମ୍ଭକାର ପରିବାର ଏବେ ଜୀବିକା ହରାଇ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ।
ସମୟ ଥିଲା ଦୀପାବଳି ଆସିଲେ କୁମ୍ଭକାର ପରିବାରର କୁମ୍ଭାର ଚକ ତାର ବୁକୁରେ ମାଟିପିଣ୍ଡୁଳାର ବୋଝକୁ ଧରି ସମୟର ଚକ ସହିତ ତାଳଦେଇ ସୃଷ୍ଟି କରୁଥିଲା ଅନେକ ହାଣ୍ଡି ,ମାଠିଆ ,ଦୀପ ସହିତ ଅନେକ କିଛି । ସମୟର ଚକ ଗଡି ଗଡି ଏବେ ଆଧୁନିକତାର ସହର ମଧ୍ୟରେ ଗତି କରୁଥିବାବେଳେ କୁମ୍ଭାର ଚକର ଗତି ଏବେ କ୍ଷୀଣ ହୋଇ ପଡିଛି । ଆଜିର ଆଧୁନିକ ମଣିଷ ପାଖରେ ମାଟି ପାତ୍ର ବା ମାଟି ଦୀପର ଆଦର କମିଯାଇଛି । ସମୟ ଅନୁଯାଇ ଆଜିର ମଣିଷର ରୁଚି ବଦଳିଛି ,ବଦଳିଛି ତାର ପର୍ବ ପାଳନ କରିବାର ସଉକ । ଯେଉଁ ଘର ବାରଣ୍ଡାରେ ଜେଜେ ,ବାପାମାନେ ଧାଡିକୁ ଧାଡି ଦୀପ ଜଳାଇ କାଉଁରିଆ କାଠିରେ ବଡବଡୁଆ ଡାକୁଥିଲେ ଆଜିର ଆଧୁନିକ ଯୁଗର ପିଲାମାନେ କଂକ୍ରିଟ ଘରର ବାଲକୋନୀରେ ରଙ୍ଗୀନ ଲିଚୁ ଲାଇଟ ଲଗାଇ ଡିଜିଟାଲ ଇଲେକ୍ଟ୍ରିକ୍ ଦୀପ ଜଳାଇ ରଙ୍ଗୀନ ଦୀପାବଳୀକୁ ପାଳନ କରୁଛନ୍ତି ।
ଯୁଗ ବଦଳିଛି ସମୟ ବଦଳିଛି , ଆମର ରୁଚି ଅନୁଯାଇ ଆମ ପରମ୍ପରାକୁ ମଧ୍ୟ ଆମେ ବଦଳାଇ ଦେଇଛୁ । କୁମ୍ଭକାରର ଚକ ଆଉ ବୁଲୁ ନାହିଁ, ପୂର୍ବଭଳି ତିଆରି ହେଉନି ଦୀପାବଳିର ଦୀପ । କୁଳବେଉସା କୁ ଜୀବିକା କରି ଆଦରି ନେଇଥିବା କୁମ୍ଭକାର ପରିବାର ଏବେ ଦୁର୍ଦ୍ଦିନରେ । କୌଳିକ ବୃତ୍ତିକୁ ଛାଡି ପରିବାର ଚଳାଇବା ପାଇଁ ବିଦେଶ ଯାଇ ଦାଦନ ଖଟିଲେଣି କୁମ୍ଭକାର ପରିବାର । ସମୟ ଆସିବ ଆଉ ଦେଖିବାକୁ ମିଳିବନି ପାରମ୍ପରିକ କୁମ୍ଭାର ଚକ ।