ଅବ୍ୟବସ୍ଥା କଥା ନକହିବା ଭଲ: ରାସନ ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି ହତାଧିକାରୀ
ଚାଉଳ ଦିମୁଠା ପାଇଁ ଏମାନଙ୍କୁ ଏଭଳି କଷ୍ଟ ଉଠାଇବାକୁ ପଡେ, ଯାହା ଭାବିଲା ବେଳକୁ ମୁଣ୍ଡ ଚକର ଖାଇ ଯାଉଛି । ଏହି ଲୋକ ମାନେ ଅପେକ୍ଷା କରିଥିବା ସ୍ଥାନଟି ଫରେଷ୍ଟ କଲୋନୀ ନିକଟରେ। ଏୟାରପୋର୍ଟ ଟ୍ରାଫିକ ଛକକୁ ଲାଗିଛି ଏହି କଣ୍ଟ୍ରୋଲ ଦୋକାନ ଟି।
ଭୁବନେଶ୍ୱର(କେନ୍ୟୁଜ୍):ତଳେ କେତେ ଗୁଡିଏ ପଥର ଥୁଆ ହୋଇଛି ତା ତଳେ ରଖା ଯାଇଛି ବ୍ୟାଗ୍ । ଆଉ କେତୋଟି ଟେକା, ସିମେଣ୍ଟ ଏବଂ ପିଚୁଖଣ୍ଡ ଖାଲି ସେମିତି ମାଟି ଉପରେ ରଖାଯାଇଛି । ପାଖରେ କିଛି ମହିଳା ପୁରୁଷ ଅପେକ୍ଷା କରି ବସି ରହିଛନ୍ତି । କିଛି କଥା ବୁଝା ପଡ଼ୁନଥାଏ । ସେମିତି ବି କିଛି ରିଲିଫ ନେଲା ଭଳି ଅସମୟ ଆସିନି। ତା ଛଡା ନେତା ମନ୍ତ୍ରୀ ତ ସେମିତି କେହି ଆସିବାର ନାହିଁ । ତେବେ ଏ ଅପେକ୍ଷା କାହା ପାଇଁ । ଇରେ ଏଠି ଆଉ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଆସିନି ତ? ନହେଲେ ଏମିତି ଅସମ୍ଭାଳ ଭିଡ଼ କାହିଁକି?
ବୁଝୁ ବୁଝୁ କଣ ନା ଏଇଟା ଗୋଟିଏ ସରକାରୀ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ଶାଖା । ଯେଉଁଠାରେ ରାସନ ବଣ୍ଟନ ହୁଏ । ଏଯେଉଁ ଲୋକ ମାନଙ୍କୁ ଦେଖୁଛନ୍ତି ଏମାନେ ଆସିଛନ୍ତି ଏହି କଣ୍ଟ୍ରୋଲ ଡିଲର ଠାରୁ ଚାଉଳ ଗହମ ନେବାପାଇଁ। ତେବେ ଆଉ ଯେଉଁ ଟେକା ପଥର ଧାଡିରେ ଥୁଆ ହୋଇଥିବା ଦେଖୁଛନ୍ତି ଏମାନେ ଅନୁପସ୍ଥିତ ଥିବା ମଣିଷ । ଅର୍ଥାତ ଉପସ୍ଥିତି ନଥିବା ହତାଧିକାରୀ, ଏହାକୁ ରଖି ଯାଇଛନ୍ତି କି ସେମାନେ ଉପସ୍ଥିତ ଅଛନ୍ତି ବୋଲି।
ଏହି ଟେକା ପଥର ମଣିଷ ବଦଳରେ ରଖା ହୋଇଛି । ଯାହାର ଲାଇନ ଅନୁସାରେରେ ବ୍ୟାଗ ଯେଉଁ ସିରିଏଲ ଅନୁସାରେ ଆସିବ ସେହି ଅନୁସାରେ ରାସନ ସେମାନଙ୍କୁ ଦିଆଯିବ। ଏକଥା ଖୁବ କମ ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ବୁଢ଼ୀ ମାଉସୀ ଖୁବ ସରଳ ଭାବରେ ସବୁ କଥା ଗୋଟି ଗୋଟି କରି କହିଥିଲେ। କିଛି ଅଳ୍ପ ଲୁହ ଭରା ଆଖିରେ ସେ ଦୁଃଖ ପ୍ରକାଶ କଲେ। ଲାଗୁଥିଲା ଆଉ କିଛି ସମୟ ପରେ ଆଖିର ଲୁହ ମାଉସୀଙ୍କର ବୋଲ ମାନିବନି।
ବୁଢ଼ି ମାଉସୀ କହୁଥିଲେ ଏଠାରେ ସକାଳ ଛଅଟରୁ ସନ୍ଧ୍ୟା ଛଅଟା ଯାଏ ଲାଇନ ଲଗାଇ ପଥର ଥୋଇ ଅପେକ୍ଷା କରିବାକୁ ପଡେ । ତାପରେ ବି ରାସନ ମିଳେନି। ଏମାନଙ୍କୁ ଏମିତି ଦିନ ଦିନ ଧରି ଧାଡିରେ ପଥର ବ୍ୟାଗ୍ ରଖି ସମୟ ନଷ୍ଟ କରି ଅପେକ୍ଷା ହିଁ କରିବାକୁ ପଡେ । ଅନ୍ୟ ପକ୍ଷରୁ ଏଠାରେ ଉପସ୍ଥିତ ସମସ୍ତେ ପ୍ରାୟତଃ ଦିନ ମଜୁରିଆ କରି ପରିବା ଚଳାନ୍ତି । ଯଦି ଚାଉଳ ଦିମୁଠା ପାଇଁ ଏମାନଙ୍କୁ ଏଭଳି କଷ୍ଟ ଉଠାଇବାକୁ ପଡେ, ଏକଥା ଭାବିଲା ବେଳକୁ ମୁଣ୍ଡ ଚକର ଖାଇ ଯାଉଛି । ଏହି ଲୋକ ମାନେ ଅପେକ୍ଷା କରିଥିବା ସ୍ଥାନଟି ଫରେଷ୍ଟ କଲୋନୀ ନିକଟରେ। ଏୟାରପୋର୍ଟ ଟ୍ରାଫିକ ଛକକୁ ଲାଗିଛି ଏହି କଣ୍ଟ୍ରୋଲ ଦୋକାନ ଟି।
ସତରେ କଣ ଭୁବନେଶ୍ୱର ରେ ଏମିତି ଘଟଣା ଘଟେ ନା ଆମର ଏଇଟା ଭ୍ରମ । ନା ମିଛ କହୁଛନ୍ତି ରାସନ ନେବାକୁ ଆସିଥିବା ଲୋକ ମାନେ । ଚାଲନ୍ତୁ ଖାଉଟି ହିତାଧିକାରୀ ମାନଙ୍କ ମୁହଁରୁ ଶୁଣିବା । ବାସ୍ତବିକ ଦେଖିବାକୁ ଗଲେ ସରକାରଙ୍କ ସବୁ ଯୋଜନା ମଧ୍ୟରୁ ରାସନ କାର୍ଡ ଯୋଜନାରେ ଗରିବ ଖଟିଖିଆ ମଣିଷଟି ଯେତେବେଳେ ଟଙ୍କାକିଆ ଦୁଇ ମୁଠା ଚାଉଳ ତା ପରିବାର ପାଇଁ ପାଏ , ସେତେବେଳେ ତା ଖୁସି କହିଲେ ନସରେ । ଲୋକମାନଙ୍କ ଓଠରେ ଏହି ହସ ଟିକେ ଦେଖିବାକୁ ସରକାର କେତେ କଣ ବନ୍ଦୋବସ୍ତ କରିଥାନ୍ତି।
ହେଲେ କିଛି ସରକାରଙ୍କ ପରିଚାଳିତ ସଂସ୍ଥା ଏମିତି ଅଛନ୍ତି ଯେଉଁ ମାନେ ସରକାରଙ୍କ ଖାଆନ୍ତି କିନ୍ତୁ ସରକାରଙ୍କୁ ଏକ ପ୍ରକାର ବଦନାମ କରନ୍ତି। ସରକାରଙ୍କ ପ୍ରତି କୌଣସି ଖାତିରି ନାହିଁ । ଆଉ ଏପଟେ ଲୋକମାନେ ହଇରାଣ ହେଲା ପରେ ସରକାରଙ୍କୁ ଭୁଲ ବୁଝନ୍ତି । ଯେଉଁ ଲୋକଙ୍କ ସୁବିଧା ପାଇଁ ସରକାରଙ୍କୁ ଅନେକ କିଛି କରିବାକୁ ପଡେ ସେହି ଲୋକଙ୍କ ପାଇଁ ଏହି କିଛି ବ୍ୟକ୍ତି ବିଶେଷଙ୍କ ଯୋଗୁଁ ସରକାର ଦୁର୍ନାମ ମୁଣ୍ଡାନ୍ତି ।
ତେବେ ଏଭଳି ଅବ୍ୟବସ୍ଥା ପାଇଁ ଅନେକ ହିତାଧିକାରୀ ଖାଉଟି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗରିବ ହିତାଧିକାରୀ ଖାଉଟିଙ୍କୁ ଦୁଃଖ କଷ୍ଟ ଯନ୍ତ୍ରଣା ଦେଉଥିବା ଡିଲରଙ୍କ ଉପରେ ବିଭାଗୀୟ ଅଧୀକାରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।