ପୋଲିସ ଏସ୍ଆଇଙ୍କ ଉପରେ ମାଡ଼ିଗଲା ହାଇୱା, ହସ୍ପିଟାଲ ନେବା ବାଟରେ ଉଡ଼ିଗଲା ପ୍ରାଣବାୟୁ
ଭଦ୍ରକ(କେନ୍ୟୁଜ୍) : ପୋଲିସ ଏସ୍ଆଇଙ୍କ ଉପରେ ମାଡ଼ିଗଲା ହାଇୱା। ଗୁରୁତର ଅବସ୍ଥାରେ କଟକ ନିଆଯିବା ବେଳେ ବାଟରେ ମୃତ୍ଯୁ। ମୃତକ ହେଲେ ଭଦ୍ରକ ରିଜର୍ଭ ପୋଲିସର ଏସ୍ଆଇ ସୁଜିତ୍ ପାଣ୍ଡବ (୪୭)। ଘର ଭଦ୍ରକ ଚରମ୍ପାରେ।
ସୂଚନା ମୁତାବକ, ଶୁକ୍ରବାର ଭୋର୍ ପ୍ରାୟ ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟ ଚିଙ୍ଗୁଡ଼ିପୁର ଛକଠାରେ ଟ୍ରାଫିକ୍ ଜାମ୍ ହୋଇଥିବା ଖବର ପାଇ ଭଦ୍ରକ ପୋଲିସର ହାଇୱେ ପାଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚିଥିଲେ। ଏହି ଟିମ୍ରେ ଥିଲେ ରିଜର୍ଭ ପୋଲିସର ଏସ୍ଆଇ ସୁଜିତ୍ ପାଣ୍ଡବ। ରାସ୍ତାରେ ଠିଆହୋଇ ଟ୍ରକ୍ ଗୁଡ଼ିକୁ ପାସ୍ କରାଉଥିବା ବେଳେ ହଠାତ୍ ଏକ ହାଇୱା ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା।
ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇଥିବା ସୁଜିତଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯିବା ସମୟରେ ପାଣିକୋଇଲି ଛକ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଭଦ୍ରକ ଚରମ୍ପାସ୍ଥିତ ବାସଭବନରେ ମୃତଦେହ ପହଞ୍ଚିବା ପରେ ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେନାରୁ ଅବସର ପରେ ସୁଜିତ୍ ଭଦ୍ରକ ରିଜର୍ଭ ପୁଲିସରେ ଏସ୍ଆଇ ଭାବେ ନିଯୁକ୍ତି ପାଇଥିଲେ।