ଦାଦନଙ୍କ ସଂଖ୍ୟା କମାଇଛି କୁକୁଡ଼ା ଚାଷ, ସରକାରୀ ସହାୟତାରେ ଘରେ ରହି ମୋଟା ଅଙ୍କର ରୋଜଗାର କରିପାରୁଛନ୍ତି କମ୍ ପାଠୁଆ

ଏନ୍‌ଇସିସି ବା ନେସନାଲ ଏଗ୍‌ କୋଅର୍ଡିନେସନ କମିଟିର ସ୍ଲୋଗାନ୍‌ ହେଉଛି ‘ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’ । ଏମିତି ତ ଅଙ୍ଗନବାଡି ଓ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ହସ୍ପିଟାଲ ରୋଗୀଙ୍କୁ ସରକାର ନିୟମିତ ଭାବେ ଅଣ୍ଡା ଯୋଗାଉଛନ୍ତି । ଛୋଟ ପିଲା ହୁଅନ୍ତୁ କି ଗର୍ଭବତୀ ମହିଳା, ସମସ୍ତଙ୍କ ଖାଦ୍ୟରେ ଅଣ୍ଡା ସାମିଲ କରିବାକୁ ସରକାର ସିଧାସଳଖ ବ୍ୟବସ୍ଥା କରିଛନ୍ତି। ସବୁକ୍ଷେତ୍ରରେ ଅଣ୍ଡା ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର। ଫଳରେ ବହୁମାତ୍ରାରେ ଅପପୁଷ୍ଟି ଓ ପୁଷ୍ଟିହୀନତା ଦୂର କରିବାରେ ସଫଳ ହୋଇଛନ୍ତି ସରକାର। ଅବଶ୍ୟ ଆମ ଦେଶ ହେଉ କି ରାଜ୍ୟରେ ଏମିତିରେ ବି ବେଳେ ବେଳେ ଅଣ୍ଡାର ଅଭାବୀ ବିକ୍ରି, ନକଲି ଅଣ୍ଡା, ପ୍ଲାଷ୍ଟିକ ଅଣ୍ଡା, ଚାଇନା ଅଣ୍ଡାକୁ ନେଇ ଚର୍ଚ୍ଚା ଧରିଥାଏ। ମାତ୍ର ଏଇ ଅଣ୍ଡା କାହା ପାଇଁ ଜୀବନ ଜୀବିକା ହୋଇ ଆସୁଛି । ଜୀବିକା ଅର୍ଜନରେ ବ୍ୟାପକ ଭାବେ ସହାୟ ହେଉଛି। କେବଳ ସତେଜ ଓ ଅସଲି ଅଣ୍ଡା ଉତ୍ପାଦନରେ ସୀମିତ ନରଖି ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ସହ ଦାଦନ ସମସ୍ୟାର ସମାଧାନ କରି ପାରିଛନ୍ତି ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ।

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ରହିଛି ୭ଟି ବ୍ଲକ। ସବୁଆଡେ ଖାଲି ପାହାଡ ପର୍ବତ। ତା ସାଙ୍ଗକୁ ନିରକ୍ଷରତା, ଦାରିଦ୍ର୍ୟ। ଯାହାର ଫାଇଦା ଉଠାଉଥିଲେ ଦଲାଲ। ଗଜପତିରେ ଆଦିବାସୀଙ୍କ ସଂଖ୍ୟା ଅଧିକ। ସେମାନଙ୍କ ସରଳତାର ସୁଯୋଗ ନେଇ ଅନେକ ସେମାନଙ୍କ ସହ ବିଶ୍ୱାସଘାତକତା କରିଥାନ୍ତି। ଜୀବିକା ଓ ଅଧିକ ଧନ ଉପାର୍ଜନ ନାଁରେ ଲୋଭ ଦେଖାଇଥାନ୍ତି। ଆଉ ଦଲାଲମାନେ ଏମାନଙ୍କୁ ପଡୋଶୀ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ବେଙ୍ଗାଲୁରୁ, ପଶ୍ଚିମବଙ୍ଗ, ସୁରଟ ଆଦି ଅଞ୍ଚଳକୁ ଦାଦନ ଖଟାଇବା ପାଇଁ ନେଇ ଯାଉଥିଲେ। ଆର୍ଥିକ ଅନଟନ ଯୋଗୁଁ ଆଦିବାସୀ ପୁରୁଷ ଓ ମହିଳାମାନେ ଦାଦନ ଖଟିବାକୁ ଚାଲି ଯାଉଥିଲେ। କେବେ ବୁଢା ବାପାମାଆଙ୍କୁ ଛାଡି ପୁଅ ଘର ଛାଡେ ତ ପୁଣି କେବେ ସ୍ତ୍ରୀକୁ ଛାଡି ସ୍ୱାମୀ ଚାଲିଯାଏ। କେବେ କେବେ ସନ୍ତାନକୁ ଛାଡି ଉଭୟ ବାପାମାଆ ପଳାଇଥାନ୍ତି ଦାଦନ ଖଟିବାକୁ। ତିନିମାସ ଚାଷ ସରିଲେ ବର୍ଷ ତମାମ ଇଟାଭାଟି, ଚିଙ୍ଗୁଡି ଘେରି, ମାଛବନ୍ଧ, କେମିକାଲ କମ୍ପାନୀ, ସୂତା କଳ, ଲୁଗା କଳ ଗୁଡିକରେ ଅସୁରକ୍ଷିତ ଭାବେ କାମ କରନ୍ତି ଏମାନେ। ଏମାନଙ୍କ ଭିତରୁ କିଏ ଦୁର୍ଘଟଣାର ଶିକାର ହୁଏ ତ ଆଉ କିଏ ନିର୍ଯାତନାରେ ସଢୁଥାଏ ଏମିତି ଅନେକ ଘଟଣାର ନଜିର ରହିଛି। କେଉଁଠି ସ୍ତ୍ରୀ ସ୍ୱାମୀକୁ ହରାଇଛି ତ ଆଉ କେଉଁଠି ସମ୍ପୂର୍ଣ୍ଣ ଅନାଥ ହୋଇ ଯାଇଛନ୍ତି ପିଲାମାନେ । ଭେଣ୍ଡିଆ ପୁଅର ମୃତ୍ୟୁ ପରେ ବୃଦ୍ଧାବସ୍ଥାରେ ବାପା ମାଆ କି କଷ୍ଟ ପାଆନ୍ତି କହିଲେ ନସରେ। ମାତ୍ର ଏମାନଙ୍କ ପାଇଁ ଯେମିତି ଉଦୟ ହୋଇଛି ନୂଆ ସକାଳ । ଏଠାକାର ଦାଦନ ସମସ୍ୟା ଦୂରେଇ ପାରିଛନ୍ତି ସରକାର । ବିଭିନ୍ନ ଜନହିତକର ଯୋଜନା ଦ୍ୱାରା ବଦଳି ଯାଇଛି ଏହି ଆଦିବାସୀଙ୍କ ଜୀବିକା। ସେଥିରୁ କୁକୁଡା ଚାଷ ଅନ୍ୟତମ। ଗଜପତିରେ ଦେଶୀ କୁକୁଡା, କଡକନାଥ କୁକୁଡା, ଗିରିରାଜ କୁକୁଡା, ଲେହର କୁକୁଡା ଓ ବ୍ରଏଲର କୁକୁଡା ଚାଷ କରାଯାଉଛି। ଅଧିକରୁ ଅଧିକ ଦୁର୍ଗମ ଓ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ ଫୋକସ କରିଛି ଜିଲ୍ଲା ପ୍ରଶାସନ। ପ୍ରଶାସନ ସହିତ ଯୋଡ଼ି ହୋଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ଓ ଭେଟନାରୀ ବିଭାଗ। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବ୍ୟକ୍ତିଗତ ଓ ଗୋଷ୍ଠୀ ଭିତ୍ତିରେ ଚାଷୀ ଚୟନ କରାଯାଇ କୁକୁଡା ଯୋଗାଇ ଦିଆଯାଉଛି। ପ୍ରଶିକ୍ଷଣ, ଆର୍ଥିକ ସହାୟତା, କୁକୁଡା ଛୁଆ, ଔଷଧ, ଟିକା, ଦାନା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି। ଫଳରେ କୁକୁଡା ଚାଷ କରି ଏମାନେ ଭଲ ରୋଜଗାର କରି ପାରୁଛନ୍ତି। ସ୍ୱାବଲମ୍ବୀ ହୋଇ ଦାଦନର ଦୁଃଖକୁ ଭୁଲି ପାରିଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଗଜପତି ଜିଲ୍ଲାରେ ଲୋକେ ବାଡି ଓ ଅଗଣାରେ କୁକୁଡା ପାଳନ କରୁଛନ୍ତି । ୫୦୦ ବ୍ରଏଲର କୁକୁଡାକୁ ନେଇ ବ୍ରଏଲର ଫାର୍ମ, ୨୦୦ ଲେୟରକୁ ନେଇ ମିନି ଲେୟର ଫାର୍ମ, ହଜାରେ ଲେୟରଙ୍କୁ ନେଇ ଲେୟର ଫାର୍ମ ଓ ଅଭିନବ କୁକୁଟ ଉତ୍ପାଦିକା ଯୋଜନା ଚାଲିଛି। ସେଥିରେ ଅଣ୍ଡା ଉତ୍ପାଦନ ସହ କୁକୁଡା ବି ବିକ୍ରି କରାଯାଉଛି। ଜିଲ୍ଲାରେ ଚାଷୀଙ୍କୁ ବାଛିବା ପାଇଁ ପ୍ରଥମେ ଫିଲ୍ଡ ଅଫିସର, ବ୍ଲକ ସ୍ତରୀୟ କମିଟି, ଜିଲ୍ଲାସ୍ତରୀୟ କମିଟିକୁ ଚାଷୀଙ୍କ ତାଲିକା ପଠାନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଫାର୍ମରେ କୁକୁଡା ଚାଷ ପାଇଁ ସହାୟତା ଦିଆଯାଉଛି। ଅଭିନବ କୁକୁଟ ଉତ୍ପାଦିକା ଯୋଜନା ପାଇଁ ସମୁଦାୟ ୧ଲକ୍ଷ ୧୨ ହଜାର ୫୦୦ ଟଙ୍କା, ୫ଟି କିସ୍ତିରେ ପ୍ରଦାନ କରାଯାଉଛି। ପ୍ରଥମ କିସ୍ତି ୩୧ ହଜାର ୫୦୦ ଟଙ୍କା ଘର ନିର୍ମାଣ ପାଇଁ, ପରେ ଚିଆଁ କିଣିବା ପାଇଁ ୪ଟି କିସ୍ତିରେ ୨୦ ହଜାର ୨୫୦ ଟଙ୍କା ଦିଆଯାଉଛି। ଚାଷୀଙ୍କ ପାଇଁ ସରକାର ସମ୍ପୂର୍ଣ୍ଣ ରିହାତି କରିଛନ୍ତି।

gajapati

ଯାହା ଜିଲ୍ଲାର ମୋହନା ଓ ନୂଆଗଡ ବ୍ଲକରେ ୨୦୧୮-୨୦୧୯, ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୨୦ଟି ହିତାଧିକାରୀ ସୃଷ୍ଟି ଲକ୍ଷ୍ୟ ଥିଲା। ଏସବୁ କ୍ଲଷ୍ଟର ସ୍ତରରେ ପ୍ରଦାନ କରାଯାଇଛି। ଏଥିରେ ଉଭୟ ବ୍ଲକର ୨୦ ଜଣ ଚାଷୀ ଉପକୃତ ହୋଇଛନ୍ତି। ଜଣେ ଜଣେ ଦେଢଶହ କୁକୁଡା କ୍ରୟ କରି ପୁରୁଷ କୁକୁଡାକୁ ବଜାରରେ ବିକିବା ସହ ଅଣ୍ଡାଗୁଡ଼ିକୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଉଛନ୍ତି। ହଜାରେ ଲେୟର କୁକୁଡା ଫାର୍ମ ପାଇଁ ୭ ଲକ୍ଷ ୫୯ ହଜାର ୨ଶହ ଟଙ୍କା ପ୍ରକଳ୍ପ ଖର୍ଚ୍ଚ ରହିଛି । ବ୍ୟକ୍ତିଗତ ଭାବେ ଯେଉଁ ଚାଷୀ ଚାଷ କରୁଛନ୍ତି ସେହିମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଯେଉଁଥିରେ ସରକାର ତିନିଟି କିସ୍ତିରେ ୩ ଲକ୍ଷ ୩ ହଜାର ୬୮୦ ଟଙ୍କା ରିହାତି ଦେଉଛନ୍ତି। ପ୍ରଥମ କିସ୍ତି ଘର ତିଆରି, ପିଞ୍ଜରା କିଣିବା ପାଇଁ ୯୧ ହଜାର ଟଙ୍କା, ଲେଅର କିଣିବା ପାଇଁ ଆଉ ୧ ଲକ୍ଷ ୨୧ ହଜାର ଟଙ୍କା ଦିଆଯାଉଛି। ହିତାଧିକାରୀ ଦୈନିକ ୯୦୦ରୁ ୯୫୦ଟି ଅଣ୍ଡା ପାଇବା ସହ ୯୦୦ରୁ ହଜାରେ ଟଙ୍କା ଆୟ କରି ପାରୁଛନ୍ତି। ନିକଟସ୍ଥ ବଜାର, ଫାଷ୍ଟଫୁଡ ଦୋକାନରେ ଅଣ୍ଡା ଦେଉଛନ୍ତି । ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଯୋଗାଇ ବେଶ ଲାଭବାନ ହୋଇ ପାରୁଛନ୍ତି। ରାଜ୍ୟ ସରକାରଙ୍କ ଷ୍ଟେଟ ପ୍ଲାନରେ ପ୍ରଥମ ଲେୟର ଫାର୍ମ ଗଜପତି ଜିଲ୍ଲାରେ ହୋଇଛି, ଯାହା ଗଜପତି ଜିଲ୍ଲା ପ୍ରଶାସନକୁ ଅଧିକ ଦାୟିତ୍ୱବାନ୍‌ କରିଥିଲା । ଏହାର ସଫଳତା ପାଇଁ ସମସ୍ତେ ଖୁବ୍‌ ପରିଶ୍ରମ କରିଥିଲେ । ତେଣୁ ବର୍ତ୍ତମାନ ସଫଳ ସ୍ଥିତି ପରେ ଉଭୟ ହିତାଧିକାରୀ ଓ ସରକାରୀ ଶିକ୍ଷାନୁଷ୍ଠାନର କର୍ମଚାରୀ ବେଶ୍‌ ଖୁସି। ଅନ୍ୟ ପଟେ ନିୟମିତ ଭାବେ ଅଣ୍ଡା ପାଇବା ଯୋଗୁଁ ସରକାରୀ ସ୍କୁଲ ଗୁଡିକରେ ଦେଖା ଦେଉଥିବା ସମସ୍ୟାର ସମାଧାନ ହୋଇଛି।

ଜିଲ୍ଲାରେ ପ୍ରତିଦିନ ସରକାର ୯୦ ହଜାର ଅଣ୍ଡା କ୍ରୟ କରୁଛନ୍ତି। ଜିଲ୍ଲାରେ କୁକୁଡା ଚାଷ ପାଇଁ ଉତ୍ସାହ ଓ କରୋନା ସମୟରେ ଫେରି ଆସିଥିବା ଦାଦନ ଶ୍ରମିକଙ୍କ ଭବିଷ୍ୟତ ପାଇଁ କୁକୁଡା ଚାଷ ବହୁ ମାତ୍ରାରେ ସହାୟକ ହୋଇଛି। ସରକାରୀ ସୂଚନା ଅନୁସାରେ, ଗଜପତି ଜିଲ୍ଲାରେ ୨୦୨୦-୨୦୨୧ରେ ୫୦୦ ବ୍ରଏଲର କୁକୁଡା ପାଳନ କେନ୍ଦ୍ର କରାଯାଇଛି । ଏଥିରେ ୩୩ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ସେମାନେ ସବସିଡି ଆକାରରେ ପାଇଛନ୍ତି ୨୩ ଲକ୍ଷ ୪୩ ହଜାର ଟଙ୍କା। ହଜାରେ ଟିକିଆ ଲେୟର ପାଳନ କରି ଲେୟର ଫାର୍ମିଙ୍ଗରେ ୨୦ଜଣ ହିତାଧିକାରୀ ୨୦ଟି ଲେୟର ଫାର୍ମ କରିଛନ୍ତି । ଆଉ ସବସିଡି ପାଇଛନ୍ତି ୪୩ ଲକ୍ଷ ୭୨ ହଜାର ୯୯୨ଟଙ୍କା । ୧୬ ହଜାର ୧୫୦ଟି ଅଣ୍ଡା ଉତ୍ପାଦନ କରି ପାରିଛନ୍ତି। ଅଭିନବ କୁକ୍କୁଟ ଉତ୍ପାଦିକା ଯୋଜନାରେ ୨୦ଜଣ ହିତାଧିକାରୀ ୨୦ ଲକ୍ଷ ୪୫ ହଜାର ଟଙ୍କା ସବସିଡି ପାଇଛନ୍ତି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ୨୦୦ ଟିକିଆ ମିନି ଲେୟର ଫାର୍ମରେ ୨୩ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ପାଇଛନ୍ତି ୨ ଲକ୍ଷ ଟଙ୍କାର ରିହାତି। ଏହି ଫାର୍ମରୁ ୨୨୦୦ କୁକୁଡା ଅଣ୍ଡା ଉତ୍ପାଦନ ହୋଇଛି । ସେହିପରି ବାଡ଼ି ଅଗଣାରେ କୁକୁଡା ପାଳନ କରି ୨୧୯ ଜଣ ହିତାଧିକାରୀ ୮ ଲକ୍ଷ ୨୧ ହଜାର ୨୫୦ ଟଙ୍କା ରିହାତି ପାଇ ପାରିଛନ୍ତି। ସେହିପରି ୨୦୨୧-୨୦୨୨ରେ ୫୦୦ ବ୍ରଏଲର କୁକୁଡା ପାଳନ କେନ୍ଦ୍ରର ୮୦ ଜଣ ଉପକୃତ ହୋଇଛନ୍ତି। ସେମାନଙ୍କୁ ୧୭ ଲକ୍ଷ ୭୧ ହଜାର ୨୦୦ ଟଙ୍କାର ସବସିଡି ମିଳିଛି। ହଜାରେ ଟିକିଆ ଲେୟର ପାଳନ କରି ୨ଜଣ ହିତାଧିକାରୀ ୨ଟି ଲେଏର ଫାର୍ମ କରିଛନ୍ତି।

ହଜାରେ ବଏଲର କୁକୁଡା ପାଳନ କେନ୍ଦ୍ର ଭାବେ ଏସଏଚଜିର ୬୦ଟି ହିତାଧିକାରୀ ସବସିଡି ବାବଦରେ ୧ ଲକ୍ଷ ୧୫ ହଜାର ୨ ଶହ ଟଙ୍କା ପାଇଛନ୍ତି। ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ୨୦୦ ଟିକିଆ ମିନି ଲେୟର ଫାର୍ମରେ ୨୭ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ୧୧ ଲକ୍ଷ ୫୨ ହଜାର ଟଙ୍କାର ରିହାତି ପାଇଛନ୍ତି। ସେହିପରି ବାଡି ଅଗଣାରେ କୁକୁଡା ପାଳନ କରି ୨୨୮ ଜଣ ହିତାଧିକାରୀ ୮ ଲକ୍ଷ ୫୫ ହଜାର ଟଙ୍କା ସବସିଡି ପାଇଛନ୍ତି। ସମୁଦାୟ ଜିଲ୍ଲାରେ ଦୁଇ ବର୍ଷରେ ୭୧୨ ହିତାଧିକାରୀ ୧ କୋଟି ୫୭ ଲକ୍ଷ ୭୫ ହଜାର ୬୪୨ ଟଙ୍କାର ସବସିଡି ପାଇଛନ୍ତି। ୧୮ ହଜାର ୫୦ଟି ଅଣ୍ଡା ଉତ୍ପାଦନ କରି ପାରିଛନ୍ତି। ଜିଲ୍ଲାପାଳଙ୍କ ଅହରହ ଉଦ୍ୟମ ଓ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀଙ୍କ ସଠିକ ପରିଚାଳନା ଯୋଗୁଁ ଆଜି ଗଜପତି ଜିଲ୍ଲାରେ ସଫଳ ହୋଇଛି ଏହି ଯୋଜନା ।

ଯେଉଁଠି ସରକାରୀ ଯୋଜନାକୁ ଅଧିକାରୀମାନେ ଠିକଣା ଜାଗାରେ ପହଞ୍ଚାନ୍ତି, ଭଲ ସହଯୋଗ କରନ୍ତି ଏବଂ ହିତାଧିକାରୀଙ୍କ ସହ ସମନ୍ଵୟ ରଖନ୍ତି ସେଇଠି ହିଁ ଯୋଜନା ସବୁ ସଫଳ ହୋଇଥାଏ । ଆଉ ଲକ୍ଷ୍ୟ ପୂରଣ ହୁଏ । ସେଇ ଉଦାହରଣ ଦେଇଛି ଗଜପତି ଜିଲ୍ଲା ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.