ଭୁବନେଶ୍ବରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟରେ ଦ୍ବାରସ୍ଥ ହେଲେ ପ୍ରଦୀପ ପାଣିଗ୍ରାହୀ

କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ଜାମିନ ଆବେଦନ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ୍ରେ ଅଛନ୍ତି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଗତ ୭ ତାରିଖ ଦିନ ଭୁବନେଶ୍ବରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି।
ସେପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ । ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ । ପ୍ରାଥମିକ ତଦନ୍ତ କରି ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଆସନ୍ତାବର୍ଷ ଫେବ୍ରୁଆରୀ ୧୨ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆଜି ଲୋକାୟୁକ୍ତଙ୍କ ପାଖରେ ମାମଲା ଦାୟର ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲା ଦାଖଲ କରାଯାଇଛି ।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଛନ୍ତି ଏକାଧିକ ସରକାରୀ ତଦନ୍ତକାରୀ ସଂସ୍ଥା । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁୀର୍ନତିର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଥିଲେ । ସରକାରଙ୍କ ଠାରୁ ଏକ ନିରପେକ୍ଷ ସଂସ୍ଥାକୁ ତଦନ୍ତଭାର ପଠାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଲୋକପ୍ରତିନିଧିଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ହେଉଛି ପ୍ରଥମ ଘଟଣା ।