ଭଦ୍ରକ: ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ପୁଣି ଭାରାରେ ବୁହା ହେଲେ ପ୍ରସୂତି
ଭଦ୍ରକ : ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଭାରାରେ ବୁହା ହେଲେ ପ୍ରସୂତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତେନ୍ତୁଳିଡ଼ିହି କୁହ୍ଲିବିନ୍ଧାରେ । ସକାଳେ ତେନ୍ତୁଳିଡିହି କୁହ୍ଲିବିନ୍ଧା ଗାଁର ତ୍ରିଲୋଚନ ମହାନ୍ତିଙ୍କ ଝିଅର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ତାଙ୍କୁ ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଗାଁକୁ ପକ୍କା ସଡ଼କ ନଥିବାରୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି କୁହାଯାଇଥିଲା। ଫଳରେ ଗ୍ରାମବାସୀଙ୍କ ସହାୟତାରେ ତ୍ରିଲୋଚନ ଝିଅକୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଭାରାରେ ବୋହି ନେଇଥିଲେ। ପରେ ତାଙ୍କୁ ଅଟୋ ଯୋଗେ ମେଡିକାଲ ନିଆଯାଇଥିଲା। ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣା ଏବେ ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ପାଲଟିଛି।