୧୧ରେ କଟକ ବିଦ୍ୟାଧରପୁର NRRIରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ, ରାଇସ କଂଗ୍ରେସର କରିବେ ଉଦଘାଟନ

କଟକ(କେନ୍ୟୁଜ୍): ୧୧ ତାରିଖରେ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ-NRRIରେ ଦ୍ୱିତୀୟ ରାଇସ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବାହ୍‌ଣ ୧୧ଟାରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ NRRI ପରିସରରେ ଥିବା ହେଲିପ୍ୟାଡରେ ପହଞ୍ଚିବେ । ରାଇସ କଂଗ୍ରେସର ଉଦଘାଟନ କରିବା ସହ ଦେଶ ବିଦେଶର କୃଷି ବିଜ୍ଞାନୀଙ୍କୁ ଉଦୋଧନ ଦେବେ ରାଷ୍ଟ୍ରପତି । ମଧ୍ୟାହ୍ନ ୧୨ଟା ଯାଏ ରାଷ୍ଟ୍ରପତି ଏନଆରଆରଆଇରେ ରହିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସମ୍ମାନିତ ଅତିଥି ଓ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଶେଷ ଅତିଥି ଭାବରେ ଯୋଗ ଦେବେ ।

ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସର ବିଷୟବସ୍ତୁ “ଧାନ ଅନୁସନ୍ଧାନରେ ପରିବର୍ତ୍ତନ: ସାମ୍ପ୍ରତିକ ବୈଜ୍ଞାନିକ ବିକାଶ ଏବଂ ବିଶ୍ୱ ଖାଦ୍ୟ ସଙ୍କଟ” ରଖାଯାଇଛି । ୧୧ରୁ ୧୪ ତାରିଖ ଯାଏ ଏହି ଚାରି ଦିନିଆ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଜାତୀୟ ଖାଦ୍ୟ ନିରାପତ୍ତା, ବିଶ୍ୱ ଖାଦ୍ୟ ସଙ୍କଟ, ପରିବର୍ତ୍ତନଶୀଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଆଦି ବିଷୟ ଉପରେ ଆଲୋଚନା କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ସୁରକ୍ଷାର ଅନୁଧ୍ୟାନ କରିଛନ୍ତି । କଟକ ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ କାର୍ଯ୍ୟକ୍ରମ ସ୍ଥଳୀ ବୁଲି ତଦାରଖ କରିଛନ୍ତି । କଟକରେ ମୋଟ ୧୬ ରୁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

 

Leave A Reply

Your email address will not be published.