Below header

ଶ୍ରବଣଙ୍କ ସାଧୁତାକୁ ସଲାମ୍, ଯାତ୍ରୀଙ୍କୁ ସୁନାଗହଣା ଫେରାଇଥିବାରୁ ପୁରୀ ଏସପି କଲେ ସମ୍ବର୍ଦ୍ଧିତ

ପୁରୀ(କେନ୍ୟୁଜ୍): ସଚ୍ଚୋଟତାର ବଳିଷ୍ଠ ଉଦାହାରଣ ସାଜିଥିବା ପୁରୀର ଅଟୋ ଚାଳକ ଶ୍ରବଣ କୁମାରଙ୍କୁ ସମ୍ବର୍ଦ୍ଧନା। ପୁରୀ ଏସପି ତାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି। ଅଟୋରେ ହଜାଇଥିବା ସୁନା ଗହଣାକୁ ଯାତ୍ରୀଙ୍କୁ ଫେରାଇ ଏବେ ପ୍ରଶଂସା ସାଉଣ୍ଟିଛନ୍ତି ଶ୍ରବଣ।

ପୁରୀର ଜଣେ ଅଟୋ ଚାଳକ ଶ୍ରବଣ କୁମାର। ଶ୍ରବଣ ଏମିତି ଏକ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ପୁରୀକୁ ଆସିଥିବା ପର୍ଯ୍ୟଟକଙ୍କୁ ଆତିଥ୍ୟତାର ସ୍ୱତନ୍ତ୍ର ପରିଚୟ ଦେଇ ତାଙ୍କର ସୁନାହାର ଓ ଅନେକ ସୁନା ଗହଣାକୁ ଫେରାଇ ଦେଇଛନ୍ତି ସେ ସାଉଁଟିଛନ୍ତି ସେହ୍ନ, ଶ୍ରଦ୍ଧା ଓ ସମ୍ମାନ। ପୂରା ଘଟଣା ଘଟିଥିଲା ନଭେମ୍ବର ୩୦ ତାରିଖରେ। ମଙ୍ଗଳବାର ପୁରୀ ସ୍ଥିତ ଚକ୍ରତୀର୍ଥ ରୋଡ୍ ଏକ ହୋଟେଲ ଆଗରୁ ଏକ ବିବାହ ନିର୍ବନ୍ଧ ପାଇଁ ଆସିଥିଲେ ବାଲେଶ୍ୱରର ପ୍ରମୋଦ କୁମାର ସିଂ ସାମନ୍ତଙ୍କ ବୋହୂ ଓ ପରିବାର ଲୋକ। ସେମାନଙ୍କୁ ଶ୍ରବଣ ନିଜ ଅଟୋରେ ନେଇ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ସମ୍ମୁଖରେ ଛାଡ଼ିଥିଲେ। ତରବର ହୋଇ ସେମାନେ ଓହ୍ଲାଇ ନିର୍ବନ୍ଧରେ ଯୋଗଦେବାକୁ ଚାଲିଯାଇଥିଲେ। ପରେ ସେମାନେ ଜାଣିବାକୁ ପାଇଲେ ଯେ ବ୍ୟାଗଟି ଅଟୋରେ ଛାଡ଼ି ଚାଲିଆସିଛନ୍ତି, ଯେଉଁଥିରେ ଥିଲା ସୁନା ହାର ସାଙ୍ଗକୁ ଆଉ କିଛି ଗହଣା। ଏକଥା ପ୍ରମୋଦଙ୍କ ବୋହୂ ତାଙ୍କ ଶାଶୂଙ୍କୁ ଜଣାଇଥିଲେ। ଏପରିକି ଅନେକ ସ୍ଥାନରେ ଖୋଜିଥିଲେ ପ୍ରମୋଦ, କିନ୍ତୁ ବ୍ୟାଗ୍ ପାଇନଥିଲେ। ପରେ ହୋଟେଲକୁ ଯାଇ ଆଖ ପାଖରେ ପଚାରିବାରୁ ଜାଣିବାକୁ ପାଇଲେ ଯେ ଜଣେ ଅଟୋଚାଳକ ସୁନା ଭରା ବ୍ୟାଗ୍ ପାଇଛନ୍ତି, ଯାହାକୁ ସେ ସି-ବିଚ୍ ଥାନାରେ ଡିପୋଜିଟ କରିଛନ୍ତି। ଖବର ପାଇ ପ୍ରମୋଦ ଥାନାକୁ ଯାଇଥିଲେ। ଥାନାରେ ପ୍ରମୋଦ ସମସ୍ତ ସୁନା ଫେରିପାଇବା ପରେ ଶ୍ରବଣଙ୍କୁ କୁଣ୍ଢାଇ ପକାଇଥିଲେ। ଏପରିକି ଶ୍ରବଣଙ୍କ ସାଧୁତା ପାଇଁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ।

puri sp2

ପ୍ରଥମେ ଶ୍ରବଣ ନିଜ ଅଟୋରେ ବ୍ୟାଗ୍ ଥିବା ଦେଖି ତୁରନ୍ତ ପ୍ରମୋଦ ଓ ସେମାନଙ୍କ ପରିବାର ଲୋକଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ନପାଇବାରୁ ଶେଷରେ ଶ୍ରବଣ ଉକ୍ତ ବ୍ୟାଗକୁ ଥାନାକୁ ହସ୍ତାନ୍ତର କରିଥିଲେ। ପରେ ପ୍ରମୋଦ ହଜିଯାଇଥିବା ସୁନାକୁ ଫେରାଇବାରେ ସକ୍ଷମ ହୋଇଥିଲେ। ଶ୍ରବଣଙ୍କ ଏହି କାମ ପ୍ରମାଣିତ କରିଛି ଯେ ସ୍ୱାଭିମାନ ଆଗରେ ସୁନା ରୁପା କିଛି ନୁହଁ। ଏମିତି ଅନେକ ଥର ପର୍ଯ୍ୟଟକ ଜିନିଷ ଫେରାଇ ଦେଇଛନ୍ତି ବୋଲି କହିଛନ୍ତି ଶ୍ରବଣ କୁମାର। ସେପଟେ ଅତିଥିର ସହର ପୁରୀରେ ଆତିଥ୍ୟତାର ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ଶ୍ରବଣ କୁମାର। ତାଙ୍କୁ ତାଙ୍କର ସାଧୁତା ପାଇଁ ପୁରୀ ଏସପି କନୱାର ବିଶାଲ ସିଂ ସମ୍ବର୍ଦ୍ଧିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.