Below header

ମାଡ ଖାଇ ଚେତା ହରାଇଲେ ଡାକ୍ତରୀ ଛାତ୍ର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜଣେ ଡାକ୍ତରୀ ଛାତ୍ରଙ୍କ ରାଗିଂର ଫଟୋ । ୩ଟି ଫଟୋ ସହିତ ଏକ ଅଭିଯୋଗ ପତ୍ର ବି ଭାଇରାଲ ହେଉଛି । ଯାହାପରେ ମେଡିକାଲ କଲେଜକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ବ୍ରହ୍ମପୁର (କେନ୍ୟୁଜ) : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ । ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଲହୁଲୁହାଣ କରି ମାଡ଼ ମାରିଛନ୍ତି ଚତୁର୍ଥ ବର୍ଷର ଦୁଇ ଛାତ୍ର । ରାଗିଂର ଶୀକାର ହୋଇଥିବା ଛାତ୍ରଙ୍କ ବାପା ଘଟଣାକୁ ନେଇ ଟୁଇଟ କରିବା ପରେ ବ୍ରହ୍ମପୁର ପୋଲିସ ଏବଂ ଏମକେସିଜି ମେଡ଼ିକାଲ କଲେଜ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ରାଗିଂ କରିଥିବା ଦୁଇ ଛାତ୍ରଙ୍କୁ ପୋଲିସ ପକ୍ଷରୁ ଥାନାରେ ହାଜର ହେବା ନିମନ୍ତେ ନୋଟିସ ଜାରୀ କରାଯାଇଛି । ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ । ଏମକେସିଜି ମେଡ଼ିକାଲ କଲେଜରେ ଏମବିବିଏସର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ରୁଦ୍ରଙ୍କ ବାପା ସୁଜୟ ରାଉତ ଟୁଇଟ କରିଛନ୍ତି । ଟୁଇଟରେ ଏମକେସିଜି ମେଡ଼ିକାଲ କଲେଜର ଡ଼ିନ, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲ୍ଲାପାଳ ସହ ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଓ ୫ଟି ମୋ ସରକାରକୁ ମଧ୍ୟ ଟେଗ କରି ଘଟଣା ସମ୍ପର୍କରେ ଜଣାଇବା ସହ ତାଙ୍କ ପୁଅକୁ ମାଡ଼ ହୋଇଥିବାର ଫୋଟ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ରୁଦ୍ର ଦ୍ବିତୀୟ ବର୍ଷ ଏମବିବିଏସ ପାଠ ପଢ଼ୁଥିବା ବେଳେ ଶୁକ୍ରବାର କଲେଜରୁ ନିଜର କାର୍ଯ୍ୟ ସାରି ମେଡ଼ିକାଲ କଲେଜ ପରିସରରେ ରହିଥିବା ଦ୍ୱିତୀୟ ହୋଟେଲକୁ ଫେରୁଥିଲେ । ସେହିସମୟରେ ଏମବିବିଏସ ଚତୁର୍ଥ ବର୍ଷର ଦୁଇ ଜଣ ଛାତ୍ର ତାଙ୍କୁ ଅଟକାଇ କୌଣସି କାରଣକୁ ନେଇ ମାଡ଼ ମାରିଥିଲେ । ଯାହାଫଳରେ ରୁଦ୍ରଙ୍କ ମୁହଁ, ଆଖି ଓ ବେକରେ ମଧ୍ୟ ଗଭୀର ମାଡ଼ ହୋଇଥିଲା । ଏନେଇ ଶନିବାର ରୁଦ୍ର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ତେବେ ରୁଦ୍ରଙ୍କ ବାପା କରିଥିବା ଟୁଇଟ ଦ୍ବାରା ଦିଲ୍ଲୀର ଏଣ୍ଟି ରାଗିଂ ସେଲ୍‌ ଏମକେସିଜି ମେଡ଼ିକାଲରେ ରହିଥିବା ଏଣ୍ଟି ରାଗିଂ ସେଲକୁ ତଦନ୍ତ ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ସେହିକ୍ରମରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାକୁ ନେଇ ରୁଦ୍ର ଓ ତାଙ୍କୁ ମାଡ଼ ମାରିଥିବା ଦୁଇ ଛାତ୍ରକୁ ପଚରାଉଚୁରା କରାଯାଇ ଏଣ୍ଟି ରାଗିଂ ସେଲ୍ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛନ୍ତି ମେଡ଼ିକାଲ କଲେଜର ଡ଼ିନ୍‌ ।

ସେପଟେ ରୁଦ୍ରଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ପୋଲିସ ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ରୁଦ୍ରଙ୍କ ବୟାନ ରେକର୍ଡ଼ କରାଯାଇଛି । ରୁଦ୍ରଙ୍କ ମେଡ଼ିକାଲ ଟେଷ୍ଟ କରାଯିବା ସହିତ ରୁଦ୍ରଙ୍କୁ ମାଡ଼ ମାରିଥିବା ଦୁଇ ଜଣ ଷ୍ଟାଲିନ ମହାପାତ୍ର ଓ ଜ୍ୟୋତି ପ୍ରକାଶ ରାଉତ ରୁଦ୍ରଙ୍କୁ ବୈଦ୍ୟନାଥପୁର ଥାନାରେ ହାଜର ହେବା ନେଇ ନୋଟିସ ଜାରୀ କରାଯାଇଛି । ଏହାସହ ରୁଦ୍ରଙ୍କ ବୟାନକୁ ଭିତ୍ତି କରି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ବର୍ତ୍ତମାନ ତଦନ୍ତ ଜାରୀ ରହିଥିବା ବେଳେ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ଏମକେସିଜି ମେଡ଼ିକାଲ ଡ଼ିନ୍‌କୁ ଦୋଷୀଙ୍କ ବିରୁଦ୍ଧରେ ୟୁଜିସି ନିୟମାବଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କୁହାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି । ରାଗିଂ ଅଭିଯୋଗକୁ ନେଇ ଟୁଇଟ ହେବା ପରେ ଏବେ ଆକ୍ସନ ମୋଡ଼ରେ ଉଭୟ ପୋଲିସ ଓ ଏମକେସିଜି ମେଡ଼ିକାଲ କଲେଜର ଏଣ୍ଟି ରାଗିଂ ସେଲ ରହିଥିବା ବେଳେ ରାଗିଂ କରିଥିବା ଛାତ୍ରଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନିଆଯାଉଛି ଏବେ ତାହା ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.