ପବିତ୍ର ରାମ ନବମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ

ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିପାଇଁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥାଏ ।

ପୁରୀ (କେନ୍ୟୁଜ) : ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ପାଇଁ ଅଷ୍ଟମୀ ଦିନ ଅର୍ଥାତ ଗତକାଲି ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯାଇ ଗର୍ଭଉଦକ ଦିଆଯାଇଥିଲା । ଆଜି ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହେବ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ ।

ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିପାଇଁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥାଏ । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି ।

ନବମୀ ଦିନ ଜନ୍ମୋତ୍ସବ ପରେ ରାମଲୀଳା ଉତ୍ସବ ଚାଲେ । ଚୈତ୍ରଶୁକ୍ଲ ଦଶମୀ, ଏକାଦଶୀ, ଦ୍ବାଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ବୈଶାଖ କୃଷ୍ଣ ପ୍ରତିପଦ ଓ ଦ୍ବିତୀୟା ତିଥିମାନଙ୍କରେ ଯଥାକ୍ରମେ ଯଜ୍ଞରକ୍ଷା, ସୀତାବିବାହ, ବନବାସ, ମାୟାମୃଗ ବଧ, ଲଙ୍କାପୋଡ଼ି, ସେତୁବନ୍ଧ, ରାବଣବଧ ଲୀଳା ଉତ୍ସବ ପାଳନ କରାଯାଏ । ତେବେ ପବିତ୍ର ରାମ ନବମୀ ଅଵସରରେ ଆଜି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସେହିପରି ଆଜିଠାରୁ ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବ କ ପାଳନ କରିବାର ପରମ୍ପରା ରହିଛି। ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାମନବମୀ ଅବସରରେ କଟକ କରତ କଳରେ କାଠ ଚିରଟ କାର୍ଯ୍ୟର ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମାଳ ମାହାର୍ଦ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରତିନିଧିଦଳ କଟକ ଖପୁରିଆ ଅଭିମୁଖେ ଯାତ୍ରା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.