ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ଦେବାକୁ ପ୍ରାର୍ଥନା, ଜବାବ ଦାଖଲ ପାଇଁ ନୋଟିସ୍‌

କଟକ(କେନ୍ଯୁଜ୍): ଓଡ଼ିଶା ପ୍ରିଭେନସନ୍‌ ଅଫ୍‌ ଗାମ୍ବଲିଙ୍ଗ୍‌ ଆକ୍ଟ ୧୯୫୫କୁ ବିରୋଧ କରି ଏବଂ ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ପ୍ରଦାନ କରିବାକୁ ପ୍ରାର୍ଥନା କରି ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨ ଫେବ୍ରୁଆରି ମାସକୁ ଧାର୍ଯ୍ୟ କରାଯାଇଛି । ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି ଓ ଅନ୍ୟମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ଓଡିଶାରେ ଜୁଆ ଖେଳକୁ ନିଷେଧ କରାଯାଇଛି । ଓଡ଼ିଶା ପ୍ରିଭେନସନ୍‌ ଅଫ୍‌ ଗାମ୍ବଲିଙ୍ଗ୍‌ ଆକ୍ଟ ୧୯୫୫ ବଳରେ ଜୁଆଖେଳ ବା ଦ୍ୟୁତ କ୍ରୀଡ଼ାକୁ ସରକାର ବେଆଇନ ଘୋଷଣା କରିବା ସହ ଏହା ଦଣ୍ଡନୀୟ ଅପରାଧ ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ ଦେଶର ଅନ୍ୟ କେତେକ ରାଜ୍ୟରେ ବିଭିନ୍ନ ଅନ୍‌ଲାଇନ ଗେମ୍‌ ଜରିଆରେ ଲୋକମାନେ ଜୁଆ ଖେଳୁଛନ୍ତି । ଏଭଳି ଖେଳ ଉପରେ ରାଜ୍ୟରେ କିନ୍ତୁ କଟକଣା ରହିଛି ।

ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଅନ୍‌ଲାଇନ୍‌ ହେଉ କି ଅଫ୍‌ ଲାଇନ ସବୁ ପ୍ରକାର ଜୁଆ ଖେଳ ଉପରେ ରହିଥିବା କଟକଣାକୁ ଏହି ମାମଲାରେ ବିରୋଧ କରାଯାଇଛି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଏଭଳି ଅନ୍‌ ଲାଇନ ଖେଳ ପାଇଁ ଅନୁମତି ଦିଆଯାଉ । ଆଇନରେ ଥିବା ବ୍ୟବସ୍ଥାକୁ ଅସମ୍ବିଧାନିକ ଘୋଷଣା କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏକ ଅନ୍‌ ଲାଇନ ଗେମ୍‌ ସଂସ୍ଥା ପକ୍ଷରୁ ଏହି ମାମଲା ଦାୟର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.