Below header

ଲାଞ୍ଚୁଆ ପୋଲିସ ବାବୁଙ୍କୁ ଦଣ୍ଡାଦେଶ, ଅବସରପ୍ରାପ୍ତ ତିରିଂ ଥାନା ଓଆଇସି ଶରତ ଚନ୍ଦ୍ର ରାୟଙ୍କୁ ୫ବର୍ଷ ଜେଲ

ଲାଞ୍ଚ ମାମଲାରେ ପୂର୍ବତନ ପୋଲିସ ଅଧିକାରୀଙ୍କୁ ୫ବର୍ଷ ଜେଲ । ମୟୂରଭଞ୍ଜ ଜିଲା ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସକୋର୍ଟରେ ଏହି ଲାଂଚ ମାମଲାର ରାୟ ପ୍ରକାଶ ପାଇଛି । ଜଜ୍ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ମୟୂରଭଞ୍ଜ (କେନ୍ୟୁଜ): ତିରିଂ ଥାନାର ପ୍ରାକ୍ତନ ଭାରପ୍ରାପ୍ତ ଥାନାଧିକାରୀ ଶରତ ଚନ୍ଦ୍ର ରାୟଙ୍କୁ ଜେଲ। ଦୋଷୀ ସାବ୍ୟସ୍ତ କଲେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜଜ୍ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏଥିସହ ୮ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୮ମାସ ଜେଲ ଦଣ୍ଡ ଶୁଣାଇଛନ୍ତି।

ଗତ ୨୦୧୬ ମସିହାରେ ତିରିଂ ଥାନା ଗୟଳକଟା ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୋଲିସ ନିଯୁକ୍ତି ପାଇଁ ଆବେଦନ କରାଯାଇଥିଲା । ଆବେଦନକାରୀ ମନ୍ମଥ ବାସ୍କେ ଥାନାକୁ ଆସି ଥାନାଧିକାରୀଙ୍କୁ ଜଣାଇବା ପରେ ପୋଲିସ ନିଯୁକ୍ତିକୁ ନେଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ୭ ହଜାର ଟଙ୍କା ଦେବାକୁ ମନ୍ମଥ ରାଜି ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ । ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ୫ ଜଣ ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.