Below header

ଦଶମ ବୋର୍ଡ ପରୀକ୍ଷାରେ ୯୯.୪% ନମ୍ବର ରଖି ଓଡ଼ିଆ ପୁଅ ଅଭୟ ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଟପର

ସମ୍ବଲପୁର: ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡ଼ିଆ ପୁଅ । ସିବିଏସ୍ସି ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଟପର ହୋଇଛନ୍ତି ସମ୍ବଲପୁରରେ ବାସ କରୁଥିବା ଓଡ଼ିଆ ପୁଅ ଅଭୟ ନାୟକ । ସୂଚନା ଅନୁଯାୟୀ, ଅଭୟ ସମୁଦାୟ ୫୦୦ ନମ୍ବରରୁ ୪୯୭ ମାର୍କ ବା ୯୯.୪ ପ୍ରତିଶତ ନମ୍ବର ରଖି ଏହି ବିରଳ ଗୌରବ ଲାଭ କରିଛନ୍ତି । ଏବାବଦରେ ସୂଚନା ଦେଇଛନ୍ତି ସମ୍ବଲପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ର ଅଧ୍ୟକ୍ଷ ମନୀଷ ଶ୍ରୀବାସ୍ତବ । ଏଥିସହ ଅଭୟ ସମ୍ବଲପୁର ଜିଲ୍ଲା ଟପର ହେବାର ଗୌରବ ହାସଲ କରିଛନ୍ତି । କହିରଖିବା ଉଚିତ ହେବକି, ବର୍ତ୍ତମାନ ସୁଦ୍ଧା ଭାରତରେ ସମୁଦାୟ ୧୨୩୫ ଟି କେନ୍ଦ୍ରୀୟ ବିଦ୍ୟାଳୟ ଅଛି । ଅବିରତ ନିଷ୍ଠା ଓ ପରିଶ୍ରମ ହିଁ ତାଙ୍କ ସଫଳତାର ମୂଳମନ୍ତ୍ର ବୋଲି ଏକ ସାକ୍ଷାତକାର ସମୟରେ କହିଛନ୍ତି ଅଭୟ । ଅଭୟଙ୍କ ଅନୁଯାୟୀ, ଟ୍ୟୁସନ ଯିବା ଆସିବାରେ ଅଯଥା ସମୟ ନଷ୍ଟ ହୋଇଥାଏ ।

ଏହି କାରଣରୁ ହିଁ ପରୀକ୍ଷାର ୬ ମାସ ପୂର୍ବରୁ ନିଜର ନିଜର ସମସ୍ତ ଟ୍ୟୁସନ ବନ୍ଦ କରିଦେଇଥିଲେ । ଏହି ସମୟରେ ସେ ଘରେ ହିଁ ନିଜ ପଢ଼ାପଢ଼ି ଜାରି ରଖିବା ସହ ଅସୁବିଧା ସମୟରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କୁ ସାହାଯ୍ୟ କରିଥିବା କହିଛନ୍ତି ଅଭୟ । ଏହା ସହ ନିଜ ପିତା ମାତାଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ଅଭୟଙ୍କ ବାପା ଶୈଳେଶ କୁମାର ନାୟକ ସମ୍ବଲପୁର ରେଳ ମଣ୍ଡଳରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ମା ସସ୍ମିତା ଜଣେ ଗୃହିଣୀ । +୨ ବିଜ୍ଞାନ ପଢି ଆଗକୁ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇ ଭବିଷ୍ୟତରେ ଜଣେ ବାୟୋମେଡିକାଲ ଗବେଷକ ହେବାର ଲକ୍ଷ ରଖିଛନ୍ତି ଅଭୟ । ବର୍ତ୍ତମାନ ସମୟରେ ଜାରି ହୋଇଥିବା କୋଭିଡ-19 ସମୟରେ ବାୟୋମେଡିକାଳ ପ୍ରତି ତାଙ୍କର ଆଗ୍ରହ ଆହୁରି ବଢ଼ିଯାଇଥିବା କହିଛନ୍ତି ଅଭୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.