Below header

ରେଳ ଦୁର୍ଘଟଣାରେ ଲିଭିଗଲା ସନ୍ଦୀପଙ୍କର ଜୀବନ ଦୀପ, ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ

ଦିନ କେଇଟା ପରେ ଚାକିରିରେ ଯୋଗ ଦେଇଥାନ୍ତେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଅଧାରେ ରହିଗଲା ସନ୍ଦିପଙ୍କର ଇଂଜିନିୟର ହେବାର ସ୍ୱପ୍ନ । କରମଣ୍ଡଳ ଟ୍ରାଜେଡିରେ ଚାଲିଗଲା ଜୀବନ।

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଲିଭଗଲା ଜୀବନର ଦୀପ । ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର କାର୍ତ୍ତିକ ଦାସଙ୍କ ପୁଅ ସନ୍ଦୀପ। ଦିନେ ସଫ୍ଟୱେର ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିଥିଲେ । ଇଞ୍ଜିନିୟରିଂ ପଢା ଶେଷ ପରେ ଚାକିରି ପାଇଁ ଇଣ୍ଟରଭିୟୁ ଦେଇଥିଲେ । ଦିନ କେଇଟା ପରେ ଚାକିରିରେ ଯୋଗ ଦେଇଥାନ୍ତେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । କରମଣ୍ଡଳ ଟ୍ରାଜେଡିରେ ଚାଲିଗଲା ସନ୍ଦୀପଙ୍କ ଜୀବନ । ମାଉସିଙ୍କ ଝିଅର ଦେହ ଖରାପ ଥିବାରୁ ଡାକ୍ତରଙ୍କୁ ଦେଖାଇବାକୁ କଟକ ବଡ଼ ମେଡ଼ିକାଲକୁ ଯିବା ପାଇଁ କହିଥିଲେ ।

ମାଉସି ଓ ଭଉଣୀକୁ ନେଇ କରମଣ୍ଡଳ ଏକ୍ସପ୍ରେସରେ ବାଲେଶ୍ୱରରୁ କଟକ ଯାଉଥିଲେ। ସେହି ଦୁର୍ଘଟଣାରେ ସନ୍ଦୀପଙ୍କ ସହ ମାଉସି ଏବଂ ଭଉଣୀଙ୍କ ସହ ଚାଲିଗଲା ଜୀବନ । ଖବର ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବର ପାହାଡ଼ ଭିତରୁ ଖୋଜିଥିଲେ ସେମାନଙ୍କ ମୃତଦେହ । ଲୋମଟାଙ୍କୁରା ଦୃଶ୍ୟ ବର୍ଣ୍ଣନା କରିବା ସମୟରେ ନିଜର କୋହକୁ ଅଟକାଇ ପାରୁନଥିଲେ ପରିବାର ଲୋକେ । ଗାଁରେ ସନ୍ଦୀପଙ୍କ ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ସେହିଭଳି ଗାଁର କାଳି ଚରଣଙ୍କ ଟ୍ରେନ ଦୁର୍ଘଟଣାରେ ମଧ୍ୟ ମୃତ୍ୟୁ ହୋଇଛି । କାଳି ଚରଣ ଭୁବନେଶ୍ୱରରେ ରାଜମିସ୍ତ୍ରୀ କାମ କରୁଥିଲେ । ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ତେବେ ଗାଁର ଅନ୍ୟ ଜଣେ ଯୁବକ ଭୁବବନେଶ୍ଵରରୁ ସେହି ଟ୍ରେନରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି । ଦୁର୍ଘଟଣାର ସେହି ସମୟର ହୃଦୟବିଦାରକ ଦୃଶ୍ୟକୁ ସେ କ୍ୟାମେରା ସାମ୍ନାରେ ବଖାଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.