ରାସ୍ତା କାମରେ ମହା ଘୋଟାଲା ! ମୃତ ଲୋକଙ୍କୁ ଶ୍ରମିକ ସଜାଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷାଧିକ ଟଙ୍କା

ସୁବର୍ଣ୍ଣପୁର(କେନ୍ଯୁଜ୍): ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସଂଗ୍ରାମପୁର ପଂଚାୟତ ଅଧିନସ୍ଥ ଯୁବରାଜପୁର ଗାଁରେ ଯୁବରାଜପୁର ଠାରୁ ଘାସିମାଲ ପର୍ଯ୍ଯନ୍ତ ପ୍ରାୟ ୧ କିଲୋମିଟର ରାସ୍ତାପାଇଁ ୫ଲକ୍ଷ ୮୯ହଜାର ଟଙ୍କାର ବ୍ଯୟ ଅଟକଳ ହୋଇଥିଲା । ଆଉ ଏନେଇ ତିଆରି ବି ହୋଇଥିଲା ଫଳକ । କିନ୍ତୁ ଏବେ ଫଳକ ଭାଙ୍ଗି ତଳେ ପଡିଥିବା ବେଳେ ରାସ୍ତାରେ ମୋରମ କି ମାଟି ତସଲାଏ ବି ପଡିନି । ତଥାପି ରାସ୍ତା ତିଆରି ନାଁରେ ଚଳୁ ହୋଇଛି ଲକ୍ଷାଧିକ ଟଙ୍କା । ମଂଜୁରୀ ହୋଇଥିବା ଟଙ୍କାଠାରୁ ୩ଲକ୍ଷ ୯୫ହଜାର ଟଙ୍କା କାଗଜ କଲମରେ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମାବାସୀ ।

ଖାଲି ଏତିକି ନୂହେଁ । ଏହି ରାସ୍ତା ତିଆରି କାମରେ ମୃତ ଲୋକଙ୍କୁ ବି ଶ୍ରମିକ ନାଁ ଦେଇ ଟଙ୍କା ଉଠାଣ କରାଯାଇଛି । ରେକର୍ଡ କହୁଛି ଘାସିମାଲ ରାସ୍ତା ତିଆରି କାମରେ ମୃତ ସୀତା ମେହେର କାମ କରିଥିବା ବେଳେ ଜବକାର୍ଡରେ ବି ତାଙ୍କ ନାମ ରହିଛି । ଏଥିପାଇଁ ତାଙ୍କୁ ୨ଟି ପର୍ଯ୍ଯାୟରେ ମାର୍ଚ୍ଚରୁ ଜୁନ ପର୍ଯ୍ଯନ୍ତ ୧୪ଦିନ ପାଇଁ ୨୯୧୪ ଟଙ୍କା ମଧ୍ଯ ମଜୁରି ମିଳିଥିବା ରେକର୍ଡ କହୁଛି । ତେବେ ଆଶ୍ଚର୍ଯ୍ଯର କଥା ଗତ ୨୩ ଫେବୃୟାରୀରେ ୯୦ ବର୍ଷ ବୟସରେ ତାଙ୍କର ମୃତ୍ଯୁ ହୋଇଥିବା କହିଛନ୍ତି ସୀତା ମେହେରଙ୍କ ବଡପୁଅ । ଏପରିକି ସେମାନେ ମେହେର ସଂମ୍ପ୍ରଦାୟର ହୋଇଥିବାବେଳେ ବାପ ଅଜା ଅମଳରୁ କେବେ ମୂଲ ଲାଗି ନଥିବା ତାଙ୍କ ବୋହୁ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ୯୦ ବର୍ଷିୟା ବୁଢୀ ମା ମରିସାରିଥିବାବେଳେ, ସେ କିପରି ଆସି ରାସ୍ତାକାମ କଲେ ? ନା ତାଙ୍କ ଭୂତ ଆସି ଏହି ରାସ୍ତା କାମ କରିଛି? ଅନ୍ଯପଟେ ଏହି ରାସ୍ତା ଦୁର୍ନିତୀର ତଦନ୍ତ କରାଯାଇ ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିରମହାରାଜପୁର ବିଡିଓ ।

ସରକାର ଦୁର୍ନିତି ନିବାରଣ ପାଇଁ ଗଠନ କରିଛନ୍ତି ସ୍ବତନ୍ତ୍ର ଟିମ୍, ତଥାପି ଆଖିରେ ଧୂଳି ଦେଇ ସରକାରୀ ଟଙ୍କାକୁ ର୍ନିଭୟରେ ଆତ୍ମସାତ କରୁଛନ୍ତି କିଛି ଅସାଧୁ କର୍ମଚାରୀ। ଏମାନଙ୍କ ବିରୋଧରେ କଡା ପଦକ୍ଷପ ନେବା ସହିତ ସମସ୍ତ ସରକାରୀ ଯୋଜନାର ସଠିକ୍ ତଦାରଖ କରାଯିବା ନିହାତୀ ଜରୁରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.