ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଅଚଳାବସ୍ଥା,ହୋହଲ୍ଲା ଯୋଗୁ ଚାଲି ପାରିଲାନି ଗୃହ କାର୍ଯ୍ୟ

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଅଚଳାବସ୍ଥା । ଦୁଇଟି ପ୍ରସଙ୍ଗରେ ଅଚଳ ହେଲା ଗୃହକାର୍ଯ୍ୟ। ଚାଷ ଓ ଚାଷୀକୁ କଂଗ୍ରେସ ଅସ୍ତ୍ର କରିଥିବା ବେଳେ ବିଜେପି ଚିଟଫଣ୍ଡକୁ ମୁଦ୍ଦା କରିଥିଲା । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ ବିରୋଧୀ। ନାରାବାଜି କରିଥିଲେ । କଂଗ୍ରେସ ଦାବି କରିଥିଲା, ଚାଷୀଙ୍କ ଋଣ ଛାଡ଼, ଧାନ ଏମଏସପି ୨୬ ଶହ ଟଙ୍କାକୁ ବୃଦ୍ଧି ଓ ଚାଷୀ ପରିବାର ଶିକ୍ଷିତ ପିଲାଙ୍କୁ ଚାକିରି ମିଳୁ । ନଚେତ୍‌ ସେମାନଙ୍କୁ ବେକାରି ଭତ୍ତା ଦିଅ। ସେପଟେ ଚିଟଫଣ୍ଡ ସ୍କାମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରିଥିଲା ବିଜେପି। ଚିଟଫଣ୍ଡ ଲୁଟେରାଙ୍କୁ କିଏ ସୁରକ୍ଷା ଦେଉଛି, ଗରିବଙ୍କ ଅର୍ଥ କେବେ ଫେରିବ ବୋଲି ବିଜେପି ପ୍ରଶ୍ନ କରିଥିଲା ।

ବିଜେଡି କହିଛି, ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ କାଳିଆ ଯୋଜନା କରିଛନ୍ତି । ଦେଶବ୍ୟାପୀ ଏହାକୁ ନେଇ ଚର୍ଚ୍ଚା। ଉପକୃତ ହେବେ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସହ ଭୂମିହୀନ । ହିତାଧିକାରୀଙ୍କୁ ମିଳିଲାଣି ପ୍ରଥମ ପର‌୍ୟ୍ୟାୟ କାଳିଆ ସହାୟତା ରାଶି । ସେହିପରି ଚାଷୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କାଳିଆ ବୃତ୍ତି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି କହିଛି, ଏସବୁ ଗୃହ ଭିତରେ ଆଲୋଚନା କଲେ ଲୋକଙ୍କ ପାଖରେ ପହଞ୍ଚିଯିବ ଯୋଜନାର ଉପକାରିତା। ହେଲେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି।

ହଟ୍ଟଗୋଳ ଯୋଗୁ ଆଜି ଧୋଇଗଲା ବିଧାନସଭା ଅଧିବେଶନ। ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

Leave A Reply

Your email address will not be published.