Below header

ଗହ୍ମା ପୂର୍ଣ୍ଣିମାରେ ରାକ୍ଷୀ ପିନ୍ଧିବେ ଶ୍ରୀଜିଉ, ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଘରେ ଚାଲିଛି ରାକ୍ଷୀ ପ୍ରସ୍ତୁତି

ପୁରୀ(କେନ୍ୟୁଜ୍): ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ଲାଗି ହେବ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ସୁନା ଲାଗିଥିବା ପାଟ ରାକ୍ଷୀ ଓ ଗୁଆରମାଳକୁ ପୁଷ୍ପାଳକ ସେବକମାନେ ଲାଗି କରିବେ । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଘରେ ରାକ୍ଷୀ ପ୍ରସ୍ତୁତି ଚାଲିଛି । ଚିତାଲାଗି ଅମାବାସ୍ୟା ପରଠାରୁ ଆରମ୍ଭ ହୋଇଥିବା ପାଟରାକ୍ଷୀ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗାପାଟ ସୂତା ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି । ନାଲି, ନେଳି, ବାଇଗଣୀ ଓ ହଳଦିଆ ରଙ୍ଗର ପାଟସୂତାକୁ ନରମ କରାଯାଇ ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ ।

ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ୪ଟି ରାକ୍ଷୀ ପ୍ରସ୍ତୁତ କରାଯାଉଛି । ସେହିପରି ୫୪ଟି ଗୁଆରେ ଗୋଟିଏ ମାଳ ପ୍ରସ୍ତୁତ କରାଯାଏ । ଏହି ମାଳ ପ୍ରସ୍ତୁତ ହୋଇଥାଏ ୪ଟି ରଙ୍ଗରେ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ ଓ ନାଲି ଗୁଆରମାଳ ଏବଂ ପ୍ରଭୁ ବଳଭଦ୍ରଙ୍କୁ ନେଳି ଓ ବାଇଗଣୀ ରଙ୍ଗର ଗୁଆରମାଳ ଲାଗି ହୋଇଥାଏ । ରାକ୍ଷୀ ପୂର୍ଣ୍ଣମୀ ଦିନ ପାଳିତ ହେବ ବଳଭଦ୍ରଙ୍କ ଜନ୍ମ ।

ଗହ୍ମା ପୂର୍ଣ୍ଣମୀ ପୂର୍ବାହ୍ନରେ ଶ୍ରୀମନ୍ଦିରରୁ ଡାକରା ଆସିବା ପରେ ପାଟରା ସେବକ ରାକ୍ଷୀ ଓ ଗୁଆମାଳକୁ ତାଟରେ ଧରି ଶ୍ରୀମନ୍ଦିରକୁ ଯିବେ । ଭୋଗ ମଣ୍ଡପ ଶେଷହେବା ପରେ ୩ବାଡରେ ମଇଲମ କରାଯିବ । ପୂଜାପଣ୍ଡା, ପତି ଓ ମୁଦିରସ୍ତ ୩ବାଡ଼ରେ ସର୍ବାଙ୍ଗ ଲାଗି କରିବେ । ମହାପ୍ରଭୁଙ୍କୁ ନୂଆଲୁଗା ଲାଗି କରାଯିବ । ପୁଷ୍ପାଳକ ସେବକ ଦୁଇଠାକୁରଙ୍କୁ ସୁନା ଲାଗିଥିବା ୪ଟି ପାଟରାକ୍ଷୀ ଓ ଗୁଆର ମାଳ ଲାଗି କରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.