ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଆଉ ଗୋଟିଏ ପ୍ରମାଣ, ନାବାଳିକା ନାକରୁ ବାହାରିଥିବା ରକ୍ତ ପୋଛିଥିବା ଟାଓ୍ଵଲ ଜବତ

କେନ୍ୟୁଜ୍(ବ୍ୟୁରୋ):  ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଆଉ ଗୋଟିଏ ପ୍ରମାଣ । ପୋଖରୀରୁ ମିଳିଛି ନାବାଳିକାଙ୍କ ଲେଗିଙ୍ଗସ୍‌ । ତାପୂର୍ବରୁ ଜଳ ନିଷ୍କାସନ କରାଯାଇଥିଲା । ପୋଖରୀ ଘାଣ୍ଟି ଅଧିକ ତଥ୍ୟ ପ୍ରମାଣ ଯୋଗଡ଼ କରୁଛି ଏସଆଇଟି । ଓଡ୍ରାଫ ଟିମ୍‌ ପାଣି ଭିତରେ ଖୋଜାଖୋଜି କରୁଛନ୍ତି । ଲାଗିଛନ୍ତି ସ୍କୁବା ଡାଇଭର । ପୋଖରୀରୁ ମିଳିଛି ଗୋଟିଏ ବ୍ୟାଟେରୀ ଓ ସିମକାର୍ଡ ନଥିବା ମୋବାଇଲ୍‌ ଫୋନ୍‌ । ସେହିପରି ଅଭିଯୁକ୍ତ ଶ୍ୱାସରୁଦ୍ଧ କରିବା ବେଳେ ନାବାଳିକାଙ୍କ ନାକରୁ ରକ୍ତ ବାହାରିଥିଲା । ଯେଉଁ ଟାଓ୍ଵଲରେ ସରୋଜ ରକ୍ତ ପୋଛିଥିଲା ତାକୁ ଜବତ କରିଛି ଏସଆଇଟି । ପରୀକ୍ଷା ପାଇଁ ଗାମୁଛାକୁ ଲାବ୍ରୋଟୋରୀକୁ ପଠାଯାଇଛି ।

ଆଜି ଯଦୁପୁରରେ ପହଞ୍ଚିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏପଟେ ସରୋଜ ସେଠୀକୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ଏସଆଇଟି । ଦୁଇ ଜଣଙ୍କ ଆଗରେ ଅଭିଯୁକ୍ତ ଘଟଣା ସମ୍ପର୍କରେ କହିଥିଲା । ସେମାନଙ୍କ ବାବଦରେ ତଥ୍ୟ ହାସଲ ସହ ଆବଶ୍ୟକ ହେଲେ ପଚରାଉଚରା କରିବ ଏସଆଇଟି । ଆଉ କାହାର ସଂପୃକ୍ତି ସନ୍ଦେହ ହେଲେ ସେମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯିବ ।

ହତ୍ୟା ପରେ ସରୋଜ ଦୁଷ୍କର୍ମ ଉଦ୍ୟମ କରିଥିଲା । ପ୍ରଶ୍ନ ଉଠୁଛି, ମୃତଦେହକୁ ଏକାକୀ ପୋଖରୀ ପାଖରେ ଲୁଚାଇ ଦେଇଥିଲା କି ? ନା ଏହି କାମରେ ତାକୁ ଆଉ କିଏ ସହଯୋଗ କରିଥିଲେ ? ଘର ଲୋକ ଏବାବଦରେ ଜାଣିଥିଲେ କି ନାହିଁ ? ଏସଆଇଟି ତଦନ୍ତ ବେଳେ ମିଡ଼ିଆରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିଲା ଅଭିଯୁକ୍ତ ? କାହା ସହ ପରାମର୍ଶ କରି କିମ୍ବା ପ୍ରରୋଚନାରେ ତଦନ୍ତକୁ ବାଟବଣା କରିବା ପାଇଁ ସେମିତି ମନ୍ତବ୍ୟ ଦେଉଥିଲେ କି ? ସବୁଠୁ ବଡ଼ କଥା ହେଲା ରାତି ସାରା ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖି ସକାଳେ ଜଘନ୍ୟ କାଣ୍ଡ ଘଟାଇଥିଲା ସରୋଜ । ହତ୍ୟା ପରେ ଶବ ସହିତ ଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି ।

 

Leave A Reply

Your email address will not be published.