କଳିଙ୍ଗ ଟିଭିର ପ୍ରୟାସ: ୨୦ବର୍ଷ ପରେ ମା’ ପୁଅଙ୍କ ଭର୍ଚୁଆଲରେ କରାଇଲେ ଭେଟଘାଟ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜରଡ଼ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ନାୟକ । ମାନସିକ ବିକାରଗ୍ରସ୍ତ ହୋଇ ୨୦ବର୍ଷ ହେଲା କେଉଁ ଆଡ଼େ ଚାଲି ଯାଇଥିଲେ। ତେବେ ସେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟ ଏକ ଗ୍ରାମରେ ଥିବା ନେଇ ଠାବ କରିଥିଲେ କଳିଙ୍ଗ ଟିଭିର କଲିକତା ବ୍ଯୁରୋ ହେଡ୍‌ ପ୍ରମୋଦ ମହାନ୍ତି। ସେ ଗଞ୍ଜାମ ଜିଲ୍ଲାର ବୋଲି ଜଣା ପଡ଼ିବା ପରେ ଆମ ଦକ୍ଷିଣ ଓଡ଼ିଶାର ମୁଖ୍ଯ ପ୍ରକାଶ ପଟ୍ଟନାୟକଙ୍କ ମାଧ୍ଯମରେ ଆରମ୍ଭ ହୋଇଥିଲା ଖୋଳତାଡ଼।

ଏହା ପରେ ଆମ ଟିମ୍‌ ତାଙ୍କ ଗାଁରେ ପହଁଚିବା ସହ ପୂର୍ଣ୍ଣଙ୍କ ମାଆ ଓ ଭାଇଙ୍କୁ ଭେଟି ପୂର୍ଣ୍ଣଙ୍କ ସଂପର୍କରେ ଜଣାଇଥିଲେ। ସେମାନେ ଖବର ପାଇ ଭାବବିହ୍ଵଳ ହୋଇ ଉଠିବା ସହ ଗ୍ରାମବାସୀ ବି ଖୁସି ହୋଇ ତାଙ୍କର ଚିକିତ୍ସା ଓ ଭରଣ ପୋଷଣ ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ। ମାନସିକ ବିକାରଗ୍ରସ୍ତ ହୋଇ ସେ କେବେଠାରୁ କେଉଁ ଆଡ଼କୁ ଚାଲି ଯାଇଥିଲେ। ତେବେ ସଂଯୋଗ ବଶତଃ ଆମ ପ୍ରତିନିଧି ପ୍ରମୋଦ ମହାନ୍ତି ତାଙ୍କୁ ଠାବ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା କଳିଙ୍ଗ ଟିଭିର ପ୍ରୟାସ। ତାଙ୍କ ଘର ଲୋକଙ୍କୁ ଠାବ କରି ନିଖୋଜ ପୂର୍ଣ୍ଣଙ୍କ ସଂପର୍କରେ ଖବର ଦେବା ପାଇଁ ଆରମ୍ଭ ହେଲା ଅଭିଯାନ।

କବିସୂର୍ଯ୍ଯନଗର ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ଜଣାଯିବା ପରେ ସେଠାକାର ବିଧାୟିକା ଲତିକା ପ୍ରଧାନଙ୍କ ସହଯୋଗରେ ଜରଡ଼ ଗ୍ରାମବାସୀ ରାଜୀବ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିଥିଲେ ଆମ ଦକ୍ଷିଣ ଓଡ଼ିଶା ମୁଖ୍ଯ ପ୍ରକାଶ ପଟ୍ଟନାୟକ। ରାଜୀବଙ୍କ ମାଧ୍ଯମରେ ଶୁକ୍ରବାର ରାତିରେ ପ୍ରମୋଦଙ୍କ ବଡ଼ ଭାଇଙ୍କ ସହ କଥା ହେବା ପରେ ଶନିବାର ସକାଳେ ଜରଡ଼ ଗାଁରେ ପହଁଚିଥିଲା କଳିଙ୍ଗ ଟିଭିର ଟିମ୍‌। ପୂର୍ଣ୍ଣଙ୍କ ନିକଟରେ ଉପସ୍ଥିତ ଥିବା ଆମ ପ୍ରତିନିଧି ଓ ଜରଡ଼ରେ ଥିବା ଆମ ପ୍ରତିନିଧି ଭିଡିଓ କଲିଂ ମାଧ୍ଯମରେ ମାଆ ପୁଅଙ୍କର ଭେଟକାଟ୍‌ କରାଇଥିଲେ। ସେତେବେଳେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଭଲ ମଣିଷ ମାଧ୍ଯମରେ ଭଗବାନ ଏପରି ରହିଛନ୍ତି ବୋଲି କୋହଭରା କଣ୍ଠରେ ସେ କହିଥିଲେ।

କଳିଙ୍ଗ ଟିଭିର ଏପରି ପ୍ରୟାସକୁ ଗ୍ରାମବାସୀ ମଧ୍ଯ ସାଧୁବାଦ ଜଣାଇବା ସହ କିସ୍‌ ଓ କିଟ୍‌ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ଯୁତ ସାମନ୍ତ ଅନେକ ଗରିବ ଅସହାୟଙ୍କ ଦାୟିତ୍ୱ ନେଇ ଆସୁଥିବାବେଳେ ପୂର୍ଣ୍ଣଙ୍କ ଦାୟିତ୍ୱ ମଧ୍ଯ ନେବାକୁ ଗ୍ରାମବାସୀ ଓ ପୂର୍ଣ୍ଣଙ୍କ ବଡ଼ ଭାଇ ନିବେଦନ କରିଛନ୍ତି। ଅନ୍ଯ ପଟେ ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିବା ବେଳେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାସ ମହାରଣା କଳିଙ୍ଗ ଟିଭିକୁ ଧନ୍ଯବାଦ ଦେବା ସହ ତାଙ୍କୁ ତାଙ୍କ ଗାଁକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବୁ ବୋଲି କହିଛନ୍ତି।