କରୋନା ଯୋଦ୍ଧାମାନଙ୍କ ପାଇଁ ଅତ୍ୟାବଶ୍ୟକ ସେବା: ଗ୍ୟାରେଜ, ପ୍ରେସର୍‌ ଚେକ୍‌ ଓ ପାନୀୟ ଜଳ ବ୍ୟବସ୍ଥା ଜରୁରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ପାଇଁ ସବୁ ବାଟ ବନ୍ଦ । କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାମ ହୋଇ ପାରୁନାହିଁ । ନିମ୍ନ ବର୍ଗ ଠାରୁ ଆରମ୍ଭ କରି ଧନୀ ବର୍ଗ ସମସ୍ତେ କରୋନାର ପ୍ରହାରରେ ଘର ଭିତରେ ରହୁଛନ୍ତି । ତେବେ ଯେଉଁମାନେ କରୋନା ଲଢ଼େଇରେ ଆଗକୁ ଆସିଛନ୍ତି ସେ ପୋଲିସ୍‌ ହେଉ କି ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ କିମ୍ବା ସାମ୍ବାଦିକ ସେମାନେ ସମସ୍ତେ ସଚେତନ ଓ ସତର୍କ ଅଛନ୍ତି । କରୋନା ଗାଇଡ୍‌ ଲାଇନ୍‌ ଅନୁସାରେ କାମ କରୁଛନ୍ତି । ହେଲେ ଏମାନେ ବାହାରେ କାମ କରିବା ବେଳେ ସମସ୍ତଙ୍କର କିଛି ମୌଳିକ ଆବଶ୍ୟକତା ରହିଛି । ଯାହା ପୂରଣ ହୋଇ ପାରୁନାହିଁ । ଯେମିତିକି ଦୋକାନ ବଜାର ଖୋଲା ରହୁନଥିବାରୁ ସେମାନେ ସେମାନଙ୍କ ଦୈନିକ ଡ୍ୟୁଟି ବେଳେ ପାଣି ବୋତଲଟିଏ ପାଇବାରେ ସମସ୍ୟା ହେଉଛି । ଏହି ୩୬ରୁ ୪ ଡିଗ୍ରୀ ଖରାରେ ସେମାନେ ଧାଁଦୌଡ଼ କରୁଛନ୍ତି । ପ୍ରତିକୂଳ ପରିସ୍ଥିତିରେ କାମ କରିବାକୁ ପଡୁଛି ।
ସେହିପରି ଏକ ବଡ଼ ସମସ୍ୟା ଉପୁଜିବ ବିଭିନ୍ନ ଯାନବାହନର ମରାମତି ଏବଂ ପ୍ରେସର୍‌ ଆଦି ଦେବା କ୍ଷେତ୍ରରେ । ଅତ୍ୟାବଶ୍ୟକ ଭାବେ ପୋଲିସ୍‌, ସ୍ୱାସ୍ଥ୍ୟକର୍ମୀ ଏବଂ ସାମ୍ବାଦିକଙ୍କ ଗାଡ଼ି ଦିନ ରାତି ବୁଲୁଛି । ପୁଣି ନେତା, ମନ୍ତ୍ରୀ ଏବଂ କିଛି ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ଅଫିସ୍‌ ଆସୁଛନ୍ତି । ବିଭାନ୍ନ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଏବଂ ପୌର କର୍ମଚାରୀ ବି କାମରେ ଲାଗିଛନ୍ତି । ଯଦି ବାଟରେ କୌଣସି ଜାଗାରେ କାହାର ଗାଡ଼ି ଖରାପ ହେଲା ତେବେ ତ କଥା ସରିଲା । କାରଣ ରାସ୍ତାଘାଟରେ ଏବେ ସାହାଯ୍ୟ ଟିକିଏ କରିବାକୁ କୁଆ କୋଇଲି ବି ନାହାନ୍ତି ।

PRESSUREଯାହା ସୂଚନା ରହିଛି ଜାତୀୟ ରାଜପଥ କଡ଼ରେ ଗ୍ୟାରେଜ, ପ୍ରେସର ଦୋକାନ ଆଦି ଖୋଲିବାକୁ ଅନୁମତି ମିଳିଛି । କାରଣ ମାଲବାହୀ ଗାଡ଼ି ସବୁ ଯାତାୟାତ କରୁଛି । ସେହିଭଳି ନିହାତି ଚଳପ୍ରଚଳ କରୁଥିବା ସହର କିମ୍ବା ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଗ୍ୟାରେଜ ଏବଂ ପ୍ରେସର ଦୋକାନଙ୍କୁ ଅନୁମତି ଦିଆଯାଉ । ବିଶେଷ କରି ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ଯାହାର ନିୟମିତ ପ୍ରେସର ଚେକ୍‌ ପାଇଁ ବ୍ୟବସ୍ଥା ରହିଛି ସେମାନଙ୍କୁ ଏବଂ ଅସ୍ଥାୟୀ ଭାବେ ଅନ୍ୟ ଗ୍ୟାରେଜ୍‌ ଦୋକାନୀଙ୍କୁ ଅନୁମତି ଦିଆଗଲେ ସମସ୍ୟା ଦୂର ହୋଇ ପାରିବ । ଆଉ ମଧ୍ୟ ନିୟମିତ ଭାବେ ସହରାଞ୍ଚଳର ଯେଉଁ ସ୍ଥାନରେ ପୋଲିସ୍‌ ପଇଁତରା ମାରୁଛନ୍ତି ସେସବୁ ସ୍ଥାନରେ ଗ୍ୟାରେଜ୍‌ ରହିଲେ ସୁବିଧା ହେବ । ଏ ଦିଗରେ ପୋଲିସ୍‌, ପ୍ରଶାସନ ପଦକ୍ଷେପ ନେବେ ବୋଲି ଆମେ ଆଶା କରୁଛୁ ।

ଅଂଶୁଘାତର ଡର, ପିଇବା ପାଣି ଦରକାର

ରାଜ୍ୟରେ ଦିନକୁ ଦିନ ତାତି ମଧ୍ୟ ବଢ଼ିବାରେ ଲାଗିଲାଣି । ଏହି ସମୟରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିଥାଏ । ହେଲେ ଚଳିତ ବର୍ଷ ଏହା ସମ୍ଭବ ନୁହେଁ । ତେଣୁ କରୋନା ବିରୋଧରେ ଯୁଦ୍ଧ କରୁଥିବା ଆମ ଯୋଦ୍ଧା ଯେଭଳି ପାନୀୟ ଜଳ ପାଇଁ ସମସ୍ୟାରେ ନପଡ଼ନ୍ତି ସେ ଦିଗରେ ମଧ୍ୟ ସ୍ଥାନୀୟ ପ୍ରଶାସନ ଦାୟିତ୍ୱର ସହିତ ବ୍ୟବସ୍ଥା କରିବା ଦରକାର ।

SUNSTROKE-2ଆମେ ଜାଣୁଛୁ ଯେ କରୋନା ଭଳି ମହାମାରୀକୁ ସାମନା କରିବା କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଏକ ନୂଆ ଅଭିଜ୍ଞତା । ତେଣୁ କିଛି ନିଷ୍ପତ୍ତି କେବଳ ତତ୍‌କାଳ ପରିସ୍ଥିତିକୁ ନେଇ କରାଯାଉଛି । ଟ୍ରାଲ୍‌ ଆଣ୍ଡ ଏରର୍‌ ମେଥଡ଼ ମଧ୍ୟ ବ୍ୟବହାର ହେଉଛି । ଏସବୁ ସତ୍ତ୍ୱେ ଯଦି କୌଣସି ତ୍ରୁଟି ରହିଯାଉଛି ତେବେ ସରକାର ତୁରନ୍ତ ତାକୁ ସୁଧାରି ସମସ୍ୟା ଦୂର କରିବା ଲାଗି ଉଦ୍ୟମ କରୁଛନ୍ତି । ତେଣୁ ଗ୍ୟାରେଜ ଓ ପାନୀୟ ଜଳ ଭଳି କିଛି ଛୋଟ ବଡ଼ ସମସ୍ୟା ମଧ୍ୟ ସହଜରେ ଦୂର ହୋଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.