ବଢ଼ିଲା ତିତ୍‌ଲିର ବେଗ, ଆଗୁଆ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ବର (କେନ୍ଯୁଜ୍) : ସମୁଦ୍ର ଭିତରେ ଅତି ଭୟଙ୍କର ରୂପ ଧାରଣ କରି ଆଗକୁ ମାଡ଼ି ଆସୁଛି ବାତ୍ୟା । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇସାରିଛି ତିତ୍‌ଲି । ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ତିତ୍‌ଲି । ବର୍ତ୍ତମାନ ଏହି ବାତ୍ୟା ଗୋପାଳପୁରଠାରୁ ୨୩୦ କିଲୋମଟିର ଓ କଳିଙ୍ଗପଟ୍ଟନମ୍‌ଠାରୁ ୧୯୦କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ସାଢ଼େ ୫ଟା ବେଳକୁ ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁବ ବାତ୍ୟା । ସକାଳେ ସାଢ଼େ ୮ଟାରୁ ୯ଟା ଭିତରେ Eye Of The Strom ସ୍ଥଳଭାଗ ଦେଇ ଗତି କରିବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ।

ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ଗତକାଲି ରାତିରୁ ଝିପିଝିପି ବର୍ଷା ଲାଗି ରହିଛି । ରାଜ୍ୟର ୭ଟି ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁପର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲା ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝରକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି । ସମସ୍ତ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।

titli

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ରାଜ୍ୟର ଅନେକ ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ୍‌ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ବିଶେଷ ପ୍ରଭାବିତ ଆଶଙ୍କା ଥିବା ୫ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏସବୁ ଜିଲ୍ଲାରେ ସମୁଦ୍ରରେ ଗୋଟିଏ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରୁ ଉପକୂଳବର୍ତ୍ତୀ ଓ ତଳି ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୧୦ଟି ଏନ୍‌ଡିଆର୍‌ଏଫ୍‌ ଓ ୮ଟି ଓଡ୍ରାଫ ଟିମ୍‌ ମୁତୟନ ରହିଛନ୍ତି ।

titli 3

ସେହିପରି ସେନା, ବାୟୁସେନା ଓ ନୌସେନା ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । ଆବଶ୍ୟକ ପଡ଼ିଲେ ସହାୟତା ଲୋଡ଼ାଯିବ । ଋଷିକୁଲ୍ୟା ଓ ବଂଶଧାରା ନଦୀରେ ବନ୍ୟା ଆଶଙ୍କା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ୧୧ ଓ ୧୨ ତାରିଖ ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର । କିନ୍ତୁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଲେଜ ଛାତ୍ର ସଂସଦ ନିର୍ବାଚନକୁ ବି ବାତିଲ୍‌ କରାଯାଇଛି ।

Leave A Reply

Your email address will not be published.