Below header

ବଡ଼ ହୃଦୟବାନ ମଣିଷଟିଏ ଗଗନ, କରନ୍ତି ରାତି ଅଧିଆ ସମାଜସେବା

ଏକେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ, ଜଣେ ମଣିଷ ଜୀବନର ବାସ୍ତବିକ ଘଟଣା । ଯାହାକି ମନକୁ ଛୁଇଁଲା ଭଳି କଥାଟିଏ ।

ଭୁବନେଶ୍ୱର (କେନ୍ୟୁଜ) : ଏକେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ, ଜଣେ ମଣିଷ ଜୀବନର ବାସ୍ତବିକ ଘଟଣା । ଯାହାକି ମନକୁ ଛୁଇଁଲା ଭଳି କଥାଟିଏ । ହୁଏତ ଆପଣ ପ୍ରତିଦିନ ଦେଖୁଥିବେ ଏଭଳି ମଣିଷକୁ କିନ୍ତୁ ନଜର ଅନ୍ଦାଜ କରି ଯାଉଥିବେ । ଆଜି ଆମ ଦୃଷ୍ଟିରେ ଦେଖନ୍ତୁ ତାଙ୍କୁ । ଆଉ ଅନୁଭବ କରନ୍ତୁ । ରାତି ପ୍ରାୟ ଅଧା ହେବାକୁ ବସିଲାଣି । ଦେହ ଥରାଇ ଦେଲା ଭଳି ହେମାଳ । ସାରା ସହରକୁ ସତେ ଯେମିତି ନିଜ କବଜାରେ ରଖିଛି ଶୀତ । ଶୂନଶାନ୍ ନିଶ୍ଚୁପ ସହର ଶୋଇ ଯାଇଥାଏ ନିଦରେ । ଆଉ ସେତିକି ବେଳେ ଜଣେ ବ୍ୟକ୍ତି ଖଣ୍ଡେ ଲୁନା ଚଲାଇ ଚାଲିଥାନ୍ତି ଆଗକୁ ଆଗକୁ । ଖଣ୍ଡେ ସାର୍ଟ ଆଉ ପ୍ୟାଣ୍ଟରେ ଦେହ ଢାଙ୍କି ହୋଇଛି । ଏତେ ବଡ଼ ହାଡ଼ଥରା କୋହଲା ଶୀତକୁ ଖାତିର ନକରି ଲୁନାର ମିଞ୍ଜି ମିଞ୍ଜି ଆଲୁଅରେ ଧୀରେ ଧୀରେ ଯାଉଥାନ୍ତି । ଆମେ ଏଭଳି ଜଣେ ବ୍ୟକ୍ତିଙ୍କୁ ଏତେ ରାତିରେ ଦେଖି ମନ ଭିତରେ ଅନେକ ପ୍ରଶ୍ନ ସୃଷ୍ଟି ହେଲା । ଆମ ଗାଡ଼ି ଚାଲିଲା ତାଙ୍କ ପଛେ ପଛେ । ଲୋକଟି ଯୁଆଡେ ଗଲେ ଆମେ ସେହି ରାସ୍ତାରେ ତାଙ୍କ ପିଛା କଲୁ । ବ୍ୟକ୍ତି ଜଣକର ଗାଡି ଯାଇ ପହଁଚିଲା ନୟାପଲ୍ଲୀ ଗାନ୍ଧୀ ମାର୍କେଟ ହାଟ ଭିତରେ । ଗାଡି ଯାଇ ପହଂଚୁ ପହଂଚୁ ଗାଡି ପାଖରେ ବେଢ଼ିଗଲେ କିଛି ଲୋକ । ଲୁନାରେ ଥିବା ବ୍ୟକ୍ତି ଜଣଙ୍କ ଗାଡ଼ିରେ ଓହଳାଇ ଥିବା ବ୍ୟାଗ ଭିତରୁ ବାହାର କରି ଆଣିଲେ କିଛି ଖାଦ୍ୟ ପୁଡିଆ । ଗୋଟି ଗୋଟି କରି ଜଣ ଜଣ ହାତକୁ ବଢ଼ାଇଦେଲେ । ପୁଣି ସେଠାରୁ ଆଉ ଟିକେ ଆଗକୁ ଗାଡି ନେଇ ଅନ୍ଧାରିଆ ଜାଗାକୁ ଯାଇ ଡାକିଲେ ମଉସା… ମଉସା । ଅନ୍ଧାର ଭିତରେ ଜଣେ ବୁଢା ମଉସା ଆସି ହାତ ବଢ଼ାଇ ନେଇଗଲେ ଖାଦ୍ୟ ପୁଡିଆ ସବୁ । କିଛି ସମୟ ପରେ ଖାଦ୍ୟ ଦେଉଥିବା ବ୍ୟକ୍ତି ଚାଲିଗଲେ ।

ଅମେ ତାଙ୍କ ବିଷୟରେ ଜାଣିବାକୁ ସେଠିକାର ଲୋକଙ୍କ ସହିତ କଥା ହେଲୁ । ଜାଣିଲୁ କି ଲୁନାରେ ଆସିଥିବା ଲୋକ ଜଣକ ହେଉଛନ୍ତି ଗଗନ ସାହୁ । ନୟାପଲ୍ଲୀ ଏନ- 2 ଅଞ୍ଚଳରେ ତାଙ୍କର ଖଣ୍ଡେ ଚାଳିଆ ହୋଟେଲ ଅଛି । ତାଙ୍କ ବିଷୟରେ ଜାଣିବାକୁ ତାପର ଦିନ ଆମେ ପହଂଚିଲୁ ଗଗନ ସାହୁଙ୍କ ହୋଟେଲ ପାଖରେ । କହିବାକୁ ଗଲେ କେଇ ଖଣ୍ଡ କପଡା ଢଙ୍କା ଚାଳିଆ ହୋଟେଲଟିଏ । ତାଭିତରେ କିଛି ଟେବୁଲ ଚେୟାର ପଡିଛି । ଗଗନ ସାହୁ ସବୁଦିନ ଭଳି ଭାତ ଡାଲି ଖଟା ତରକାରୀ ଖାଦ୍ୟ ସବୁ ରାନ୍ଧିବା ପରେ ପୁଡିଆ କରିବାରେ ବ୍ୟସ୍ତ ଥିଲେ । ପଚାରି ବୁଝିଲୁ ସବୁ କଥା ।

ସତରେ ଗରିବ ଗୁରୁବାଙ୍କ ପାଇଁ ଯାହା ଅନ୍ତର କାନ୍ଦେ ସେ ହେଉଛନ୍ତି ଗଗନ ସାହୁ । ଆଜିର ଦୁନିଆରେ ପର କଣ ନିଜ ଲୋକଙ୍କ ପାଇଁ ଦୁଇ ଟଙ୍କା ଖର୍ଚ୍ଚ କରିବାକୁ ଲୋକେ କୁଣ୍ଠାବୋଧ କରନ୍ତି । ହେଲେ ଗଗନ ସାହୁଙ୍କ ଉଦାରତା ଆଉ ମଣିଷ ପଣିଆ ଆଗରେ ମୁଣ୍ଡ ନଇଁ ଯାଇଛି । ହୋଟେଲ ବୋଲି ଏଡିକି ଖଣ୍ଡେ ହେଲେ ସେହି ସ୍ୱଳ୍ପ ରୋଜଗାର ଭିତରୁ କିଛି ବଳକା କରି ପ୍ରତି ଦିନ ଗରିବଙ୍କ ପେଟ ଭୋକ ମେଣ୍ଟାଉଛନ୍ତି । ସବୁ ଦିନ କାମ ସାରିଲା ପରେ କିଛି ପୁଡିଆ ବାନ୍ଧି ଦେଇ ଆସନ୍ତି ପନ୍ଦର କୋଡିଏ ଭୋକିଲା ପେଟକୁ । ଗଗନ ସାହୁଙ୍କ କହିବା କଥା ଆମ ରୋଜଗାରରୁ ଯଦି କିଛି ଗରିବ ଗୁରୁବାମାନଙ୍କୁ ଦିଅନ୍ତେ ତେବେ ଆଉ କାହାର ଅଭାବ ରୁହନ୍ତା ନାହିଁ । ଆମେ ଯଦି ମିଳି ମିଶି ଏମାନଙ୍କ ପାଇଁ ହାତ ବଢ଼ାନ୍ତେ ତେବେ କେହି ଭୋକ ଉପାସରେ ଶୁଅନ୍ତେ ନାହିଁ । ଆଜିର ଦୁନିଆରେ ପର ପାଇଁ ଗଗନ ସାହୁଙ୍କ ଅନ୍ତର କାନ୍ଦେ । ପରର ଦୁଃଖ ଦେଖି ସହି ପାରନ୍ତିନି । ଯେତେ ଅସୁବିଧାରେ ନିଜେ ଥିଲେ ବି ପର ପାଇଁ ସାହାଯ୍ୟ କରିବାକୁ ଦୌଡ଼ି ଯାଆନ୍ତି ଗଗନ ସାହୁ । ଏଭଳି ଚିନ୍ତା ଧାରା ଯଦି ସମସ୍ତଙ୍କର ରୁହନ୍ତା ତେବେ ସମାଜରୁ ଦୁଃଖୀ ଆଉ ଦୁଃଖ କିଛି ରହିବ ନାହିଁ । ତେବେ ଆଶ୍ଚର୍ଯ୍ୟ ଲାଗେ ନିଜେ ଏମିତି କିଛି ବଡ଼ ରୋଜଗାର କରୁ ନାହାନ୍ତି ଗଗନ । କିନ୍ତୁ ବଡ଼ ହୃଦୟ ରଖିଛନ୍ତି । ଅନ୍ୟର ଦୁଃଖକୁ ବୁଝିଛନ୍ତି ଆଉ ସାହାଯ୍ୟ ବି କରୁଛନ୍ତି । ଅବଶ୍ୟ ସେ ନିଜର ପ୍ରଚାର ଚାହାନ୍ତି ନାହିଁ । କେବଳ ଚାହାନ୍ତି ଏହି ଦୁଃଖୀରଙ୍କିଙ୍କ ପାଇଁ ଭଗବାନ ସାହା ହୁଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.