Below header

ଏପ୍ରିଲ ୯ ତାରିଖରେ ହାଇକୋର୍ଟରେ ହାଜର ହେବେ ସୁମିତ ଓ ତପସ୍ବିନୀ

କଟକ(କେନ୍ୟୁଜ୍):ହାଇକୋର୍ଟରେ ତପସ୍ୱିନୀ। କହିଲେ ସ୍ୱାମୀ କେଉଁଠି ଅଛନ୍ତି ମୁଁ ଜାଣିନି। ହାଇକୋର୍ଟରେ ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା। ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପତି ପତ୍ନୀ ଏପ୍ରିଲ ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୁମିତ ସାହୁ ନେଇଥିବା ଭଡ଼ା ଘରର ଭିଡିଓ କରି ହାଇକୋର୍ଟରେ ଦାଖଲ କରିବାକୁ ଉଭୟ ତପସ୍ୱିନୀ ଓ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏପ୍ରିଲ ୩୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କିନ୍ତୁ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଏପ୍ରିଲ ୯ରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆଜିର ଶୁଣାଣି ସମୟରେ ତପସ୍ୱିନୀ ହାଇକୋର୍ଟରେ ଉପସ୍ଥିତ ଥିଲେ। ସୁମିତ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ସରକାରୀ କ୍ୱାଟର ମିଳିଛି। ସେହି ଘରେ ସୁମିତ ତପସ୍ୱିନୀଙ୍କୁ ନେଇ ରହିବାକୁ ତପସ୍ୱିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି।

ବାହାରେ ଭଡ଼ା ଘର ନେଇ ପତି ପତ୍ନୀ ରହିବାକୁ ପୂର୍ବରୁ ଫେବୃଆରୀ ୨୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହା ସହିତ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ଭରଣପୋଷଣ ବାବଦକୁ ସୁମିତ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବେ ବୋଲି ହାଇକୋର୍ଟ ସେହି ନିର୍ଦ୍ଦେଶନାମା ସ୍ପଷ୍ଟ କରିଥିବାବେଳେ ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଏକ ମାସ ପର୍ଯ୍ୟନ୍ତ ତପସ୍ୱୀନି ସେହି ଘରେ ରହିବାକୁ କୋର୍ଟ ଅନୁମତି ଦେଇଥିବା ବେଳେ ଏକ ମାସ ମଧ୍ୟରେ ବାହାରେ ଘରଭଡା ନେଇ ସ୍ତ୍ରୀ ସହିତ ରହିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କିନ୍ତୁ ଆଜି ପର୍ଯ୍ୟନ୍ତ ତପସ୍ୱୀନୀ ଶ୍ୱଶୁର ଘରେ ରହି ଆସୁଛନ୍ତି।

ତପସ୍ୱିନୀଙ୍କ ପକ୍ଷରୁ ଓକିଲ ମାନସ ଚାନ୍ଦ ମାମଲା ପରିଚାଳନା କରୁଥିବା ବେଳେ ସୁମିତଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ହାଇକୋର୍ଟକୁ ଅପିଲରେ ଆସିଛନ୍ତି ଡାକ୍ତର ସୁମିତ ସାହୁ। ବ୍ରହ୍ମପୁର ଜିଲା ଦୌରାଜଜ ଗତ ଜାନୁଆରୀ ୪ ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଏହି ଅପିଲ କରିଛନ୍ତି ସୁମିତ। ସୁମିତ ସାହୁଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟରେ ଅନ୍ୟଏକ ମାମଲା ଦାୟର କରିଛନ୍ତି। ଗତ ଡିସେମ୍ବର ୨୦ ତାରିଖ ରେ ତାଙ୍କ ଘରେ ୩୦ରୁ ଉର୍ଦ୍ଧ୍ବ ମହିଳା ଗେଟ ଭାଙ୍ଗି ପ୍ରବେଶ କରିବା ସହ ଗାଳି ଗୁଲଜ କରିଥିଲେ।

ଏହି ଘଟଣାରେ ପୋଲିସ ର ନିଷ୍କ୍ରିୟତା ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ଯୋଗାଇ ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରମୋଦ ସାହୁ। ଅନ୍ୟ ଏକ ମାମଲାରେ ଡାକ୍ତର ସୁମିତ ସାହୁଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, ସ୍ୱାମୀ ସ୍ତ୍ରୀଙ୍କ ମନୋମାଳିନ୍ୟ ହୋଇଥିବା ବେଳେ ଜିଲା ଦୌରାଜଜ୍ ଗୋଟିଏ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଉଭୟଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ପୁନଶ୍ଚ ସେହି ଘର ସୁମିତଙ୍କର ମଧ୍ୟ ନୁହେଁ। ଏହା ସହ ସୁମିତ ଓ ତାଙ୍କ ପରିବାରର ସାମାଜିକ ସମ୍ମାନ କ୍ଷୁର୍ଣ୍ଣ ହୋଇଛି ବୋଲି ଅଦାଲତଙ୍କୁ ଦର୍ଶାଯାଇଥିଲେ। ବ୍ରହ୍ମପୁର ଜିଲା ଦୌରାଜଜଙ୍କ ନିର୍ଦ୍ଦେଶନାମାର ପୂର୍ଣ୍ଣ ବିଚାର କରିବାକୁ ସୁମିତ ଆବେଦନରେ ପ୍ରାର୍ଥନା କରିଛନ୍ତି। ସେହି ଘରେ ରହିବା ପାଇଁ ହୋଇଥିବା ନିର୍ଦ୍ଦେଶନାମା ଓ ମାସିକ ୧୭ ହଜାର ଟଙ୍କା ଭରଣ ପୋଷଣ ନିର୍ଦ୍ଦେଶନାମା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଥିଲେ ସୁମିତ।

କୌଣସି ପ୍ରକାର ଶୁଣାଣି ନ କରି ଜିଲା କୋର୍ଟ କିଭଳି ଅନ୍ତରୀଣ ଭରଣ ପୋଷଣ ପାଇଁ ନିର୍ଦ୍ଦେଶ ଦେଲେ ବୋଲି ଆବେଦନରେ ପ୍ରଶ୍ନ ଉଠାଇ ଥିଲେ। ଏଭଳି ନିର୍ଦ୍ଦେଶନାମାରେ ହାଇକୋର୍ଟ ରହିତାଦେଶ ଜାରି କରିବାକୁ ପ୍ରାର୍ଥନା କରାଯାଇଥିବା ବେଳେ ତାହାକୁ ଗ୍ରହଣ କରିଛନ୍ତି ଓଡିଶା ହାଇକୋର୍ଟ। ତେବେ ତଳକୋର୍ଟ ଧାର୍ଯ୍ୟ କରିଥିବା ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ଭରଣପୋଷଣ ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ଏପ୍ରିଲ ୯ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ସେଦିନ ସୁମିତ ଓ ତପସ୍ୱିନୀ ଉଭୟେ ଅଦାଲତଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.