Below header

ପୁରୀରେ ପାଳନ ହେବ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବଙ୍କର ପଦାର୍ପଣ ଶତବାର୍ଷିକୀ ଉତ୍ସବ, ଆୟୋଜିତ ହେବ ଜାତୀୟସ୍ତର ସମ୍ମିଳନୀ

୨୦୨୪ ମସିହା ବୈଶାଖ ମାସରେ ସଦ୍ଗୁରୁ ପରମହଂସ ପରିବ୍ରାଜକାଚାର୍ଯ୍ୟ ଶ୍ରୀମଦ୍ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବଙ୍କର ଜନ୍ମଶତବାର୍ଷିକୀ ପାଳନ ହେବ । ନିତ୍ୟ ବାସସ୍ଥଳୀ ପୁରୀ ସ୍ଵର୍ଗଦ୍ଵାର ‘ନୀଳାଚଳ କୁଟୀର’ରେ ୧୯୨୪ ମସିହା ବୈଶାଖ ପ୍ରଥମ ଦିନରେ ସେ ପଦାର୍ପଣ କରିଥିଲେ । ସେହି ଦିନ ଶତବାର୍ଷିକୀ ପାଳନ କରିବା ପାଇଁ ନୀଳାଚଳ ସାରସ୍ଵତ ସଂଘ, ପୁରୀ ତାଳବଣିଆ ଠାରେ ଜାତୀୟ ସ୍ତରର ଏକ ମହୋତ୍ସବର ଯୋଜନା କରୁଛି ।
ଶ୍ରୀଶ୍ରୀ ଠାକୁର ମହାରାଜଙ୍କ ଜନ୍ମ ୧୨୮୬ ସାଲ ବା ୧୮୭୯ ମସିହା ଝୁଲଣ ପୂର୍ଣିମା ଦିନ ବଙ୍ଗ ପ୍ରଦେଶର ନଦିଆ ଜିଲ୍ଲାରେ ହୋଇଥିଲା । ସେ ଅଳ୍ପ ବୟସରେ ତନ୍ତ୍ର, ଜ୍ଞାନ, ଯୋଗ ଓ ପ୍ରେମ ଏହି ଚତୁର୍ବିଧ ସାଧନରେ ସିଦ୍ଧିଲାଭ କରି ନିର୍ବିକଳ୍ପ ସମାଧିରୁ ଗୁରୁଭାବରେ ଅବତରଣ ପୂର୍ବକ ସ୍ଵୀୟ ଜ୍ଞାନୀ ଗୁରୁ ଶ୍ରୀମଦ୍ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଦ୍ୱାରା ଆଦିଷ୍ଟ ହୋଇ ଗୁରୁଭାର ଗ୍ରହଣ କରି ଜୀବଉଦ୍ଧାର କାର୍ଯ୍ୟରେ ବ୍ରତୀ ହୋଇଥିଲେ ।
ଭଗବାନ ଶଙ୍କରାଚାର୍ଯ୍ୟଙ୍କ ମତ ଓ ଶ୍ରୀମାନ୍ ଗୌରାଙ୍ଗ ଦେବଙ୍କ ପଥ ହିଁ ଥିଲା ତାଙ୍କର ଆଦର୍ଶ । ଏହି ପଥରେ ଧର୍ମ ପିପାସୁ ଜନଗଣଙ୍କ ମୁକ୍ତିର ମାର୍ଗ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ପ୍ରଥମେ ଆସାମ ପ୍ରଦେଶର କୋକିଳାମୁଖଠାରେ ‘ ଆସାମ ବଙ୍ଗୀୟ ସାରସ୍ଵତ ମଠ’ ପ୍ରତିଷ୍ଠା କରି ତାଙ୍କ ଭାବଧାରାର ପ୍ରଚାର ପ୍ରସାର ପାଇଁ ବଙ୍ଗ ପ୍ରଦେଶରେ ୪ଗୋଟି ବିଭାଗୀୟ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
ତାଙ୍କର ଲକ୍ଷ୍ୟ ଥିଲା ସର୍ବଧର୍ମର ସମନ୍ବୟ, ଅସମ୍ପ୍ରଦାୟିକଭାବେ ଧର୍ମର ପ୍ରଚାର ଏବଂ ବିଶ୍ବରେ ଭାତୃଭାବର ପ୍ରତିଷ୍ଠା । ଏହାକୁ କାର୍ଯ୍ୟକାରୀ କରିବା ପ୍ରତି ବର୍ଷ ଭକ୍ତ ସମ୍ମିଳନୀ ନାମରେ ଏକ ଅନୁଷ୍ଠାନ କରି ଆଦର୍ଶ ଗୃହସ୍ତ ଜୀବନ ଗଠନ, ସଂଘଶକ୍ତିର ପ୍ରତିଷ୍ଠା ଓ ଭାବ ବିନୀମୟକୁ ସେ ଗୁରୁତ୍ବ ପ୍ରଦାନ କରିଥିଲେ । ସେ ପରବର୍ତ୍ତୀ ସମୟରେ ତାଙ୍କ ପ୍ରତିଷ୍ଠିତ ମଠ ଓ ସମସ୍ତ ବିଭାଗୀୟ ଆଶ୍ରମକୁ ଟ୍ରଷ୍ଟବୋର୍ଡ଼ ହାତରେ ପ୍ରଦାନ କରି ନିର୍ଜନ ବାସପାଇଁ ଉତ୍କଳର ଜଗନ୍ନାଥ ଧାମକୁ ବାଛିଥିଲେ ।
ଉତ୍କଳ ଆଗମନ ପୂର୍ବରୁ ସାଲେପୁର ଭକ୍ତମଧୁ ବିଦ୍ୟାପୀଠର ୮ମ ଶ୍ରେଣୀ ଛାତ୍ର ଚନ୍ଦ୍ରଶେଖର ମିଶ୍ର ଅନ୍ୟ ଦୁଇଜଣ ସହପାଠୀଙ୍କ ସହ ଶ୍ରୀଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ଶରଣ ନେଇ ଯୋଗଶିକ୍ଷା କରିବାକୁ ପ୍ରାର୍ଥୀ ହେବାରୁ ପୁରୀ ହିଁ ଯୋଗ ଶିକ୍ଷା କରିବାର ଅନୁକୁଳ କ୍ଷେତ୍ର ଓ ସେ ଅଳ୍ପଦିନ ପରେ ପୁରୀରେ ଅବସ୍ଥାନ କରିବେ ବୋଲି ସୂଚନା ଦେଇଥିଲେ ।
ଉତ୍କଳରେ ମୋର ସାଧନା ସଫଳ ରୂପ ଗ୍ରହଣ କରିବ ଏବଂ ଗ୍ରାହତ୍ମ୍ୟ ଓ ସନ୍ୟାସ ଆଶ୍ରମର ଅପୂର୍ବ ସମନ୍ବୟ ସମଧୂତ ହେବ । ମୋତେ ତୁମେମାନେ ଦର୍ଶନ କଲ ଏଣୁ ମୁକ୍ତିଲାଭରେ ତୁମମାନଙ୍କର କିଛିମାତ୍ର ଅସୁବିଧା ହେବ ନାହିଁ ।
ଶ୍ରୀ ଜଗନ୍ନାଥ ଧାମର ଜଗନ୍ନାଥ ସଂସ୍କୃତି ଭାରତ ପ୍ରସିଦ୍ଧ । ମହାପ୍ରଭୁ ଜଗନ୍ନାଥ ହିଁ ଉତ୍କଳର ଗୌରବ। ଏହି ପୀଠ ଅତି ବିଚିତ୍ର । ଭାରତ ବର୍ଷର ବହୁ ପ୍ରଥିତଯଶା ମହାପୁରୁଷ ଏହି ଧାମକୁ ତାଙ୍କର ଶେଷ ବାସସ୍ଥଳୀ ବୋଲି ବାଛି ନେଇଛନ୍ତି । ଶ୍ରୀଶ୍ରୀ ଠାକୁର ଉତ୍କଳ ଧାମରେ ବାସ ଉତ୍କଳୀୟ ଭକ୍ତମାନଙ୍କ ପ୍ରତି ମହାନ କୃପାର ନିଦର୍ଶନ ।
ଏହି ନୀଳାଚଳ କୁଟୀରରେ ଶ୍ରୀଶ୍ରୀ ଠାକୁର ସ୍ଵୀୟ ଜନ୍ମଦିନରେ ୧୯୩୪ ମସିହାରେ ଜଗତଗୁରୁଙ୍କ ପ୍ରେରଣାରେ ‘ନୀଳାଚଳ ସାରସ୍ଵତ ସଂଘ’ ଗଠନ କରି ନିଜେ ତାହାର ସଭାପତି ରହିଥିଲେ । ୧୯୩୫ ନଭେମ୍ବର ମାସରେ ଶ୍ରୀଶ୍ରୀ ଠାକୁର ମହାସମାଧୀ ଗ୍ରହଣ କରିଥିଲେ । କିନ୍ତୁ ଗୁରୁଭାର କାହାକୁ ନ ଦେଇ ନିଜେ ଗୁରୁ ହୋଇ ରହିଲେ ।
ତାଙ୍କର ମନ୍ତ୍ର ଶିଷ୍ୟ ତଥା ନୀଳାଚଳ ସାରସ୍ଵତ ସଂଘ, ପୁରୀର ପରିଚାଳକ ଦୁର୍ଗାଚରଣ ଭାଇଙ୍କ ପ୍ରଚେଷ୍ଟାରେ ଉତ୍କଳର ଘରେ ଘରେ ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରାର ପ୍ରଚାର ପ୍ରସାର ହେବା ସହ ଶତାଧିକ ଶାଖାସଂଘମାନ ଓଡ଼ିଶା ତଥା ଭାରତ ଓ ଭାରତ ବାହାରେ ଗଢ଼ିଉଠି ସହସ୍ର ସହସ୍ର ଭଲ ଆଦର୍ଶ ଗୃହସ୍ଥ ଜୀବନ ଗଠନରେ ନିଜକୁ ବ୍ରତୀ କରିପାରିଛନ୍ତି ।
ଶ୍ରୀଶ୍ରୀ ଠାକୁରଙ୍କ ଉତ୍କଳ ଆଗମନ ଓ ନୀଳାଚଳ କୁଟୀର ବିଜେର ଶତବାର୍ଷିକୀରେ ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରାକୁ ପୁଷ୍ଟ କରିବା ପାଇଁ ଆସାମ ବଙ୍ଗୀୟ ସାରସ୍ଵତ ମଠର ମହନ୍ତ ମହାରାଜ ଓ ସମସ୍ତ ଗୃହୀ ସନ୍ୟାସୀ ତଥା ନୀଳାଚଳ ସାରସ୍ଵତ ସଂଘ, ପୁରୀ ଅନ୍ତର୍ଗତ ସମସ୍ତ ଗୃହୀଭକ୍ତମାନେ ବହୁସଂଖ୍ୟାରେ ଯୋଗହେଇ ଏହି ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ନୀଳାଚଳ ସାରସ୍ଵତ ସଂଘର ସଭାପତି ନିବେଦନ ଜଣାଇଛନ୍ତି I

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.