ଆସୁଛନ୍ତି ଟିମ୍ ୨୬, ସାବାଡ୍ କରିବେ ଛିନ୍ତାଇ ଓ ଲୁଟେରାଙ୍କୁ
ଭୁବନେଶ୍ୱର : ଏବେ ସାବାଡ ହେବେ ଛିନତାଇ, ଲୁଟ୍ ଓ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀ । ଲୁଟେରାଙ୍କ ପାଖରେ ପହଁଚିବାକୁ ସ୍ପେଶାଲ ୨୬ ଟିମ୍ ଗଠନ କରିଛି କମିଶନରେଟ ପୋଲିସ । ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଛିନତାଇ, ଲୁଟ ଏବଂ ଡାକୟତି ଭଳି ଅଘଟଣ ଅଧିକ ପରିମାଣରେ ଘଟୁଥିବାରୁ ଏଭଳି ଟିମ୍ ଗଠନ କରାଯାଇଛି । ଏଥିପାଇଁ ସବୁ ଥାନରେ ଜଣେ ଜଣେ ସ୍ୱତନ୍ତ୍ର ଅଫିସର ରହିବେ । ତାଙ୍କୁ ସହଯୋଗ କରିବେ ୪ଜଣ କନେଷ୍ଟବଳ । ଧୀରେ ଧୀରେ କମିଶନରେଟ ପୋଲିସ ସ୍ପେଶାଲ ୨୬ ସାହାଯ୍ୟରେ ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିବ । ଏ ସମ୍ପର୍କରେ ଆଜି ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।
ଏବେ ଆସନ୍ତୁ ନଜର ପକାଇବା ଗତ ୩ ମାସ ମଧ୍ୟରେ କେତେ ଛିନ୍ତାଇ ମାମଲା ଥାନରେ ରୁଜୁ ହୋଇଛି । ୨୦୨୦ଡିସେମ୍ବର ମାସରେ ୫୭ଟି, ୨୦୨୧ ଜାନୁଆରୀରେ ୬୨, ଫେବ୍ରୁଆରୀରେ ୫୭ଟି ଛିନତାଇ ହୋଇଛି । ସେହିଭଳି ଯଦି ଚୋରି ମାମଲା ଆମେ ଦେଖିବା ୨୦୨୦ ଡିସେମ୍ବରରେ ୧୮୭ଟି, ୨୦୨୧ ଜାନୁଆରୀରେ ୨୦୦ ଏବଂ ଫେବ୍ରୁଆରୀ ମାସରେ ୧୮୧ଟି ଚୋରି ମାମଲା ରୁଜୁ ହୋଇଛି ।
ତେଣୁ ପ୍ରତିଦିନ ଘଟୁଥିବା ଏଭଳି ଘଟଣାକୁ ଦେଖି କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।