‘ୟେ ହମ୍‌ ହୈ, ୟେ ହୁକ୍କା ହୈ, ଔର୍‌ ଅବ୍‌ ପାଓ୍ଵରୀ ନେହିଁ ହୋ ରହି ହୈ’… ଜବରଦସ୍ତ ଭାଇରାଲ ହେଉଛି ଦିଲ୍ଲୀ ପୋଲିସର ଏହି ଟ୍ଵିଟ୍‌

ବେଆଇନ ଭାବେ ଚାଲିଥିବା ଏକ ହୁକ୍କା ବାର୍‌ ଉପରେ ଚଢ଼ାଉ କରିବା ପରେ ଦିଲ୍ଲୀ ପୋଲିସ ଏକ ଟ୍ଵିଟ୍‌ କରିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଥିବା ଏହି ହୁକ୍କା ବାର୍‌ ଉପରେ ଅତର୍କିତ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ପୋଲିସକୁ ବିପୁଳ ପରିମାଣରେ ହୁକ୍କା ଏବଂ ମାଦକ ଦ୍ରବ୍ୟ ମିଳିଥିଲା।

କାର୍ଯ୍ୟାନୁଷ୍ଠାନ ପରର ଫଟୋକୁ ଟ୍ଵିଟ୍‌ରେ ପୋଷ୍ଟ କରି ଦିଲ୍ଲୀ ପୋଲିସ ଯେଉଁ କ୍ୟାପସନ ଲେଖିଛି, ତାହାକୁ ୟୁଜରମାନେ ଖୁବ୍‌ ପସନ୍ଦ କରିଛନ୍ତି। ପୋଲିସ ଲେଖିଛି କି, ‘ୟେ ହମ୍‌ ହୈ, ୟେ ହୁକ୍କା ହୈ, ଔର୍‌ ଅବ୍‌ ପାଓ୍ଵରୀ ନେହିଁ ହୋ ରହି ହୈ’। କହି ରଖୁଛୁ, ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଡାଏଲଗ୍‌ ଟ୍ରେଣ୍ଡ କରୁଛି।

ପୋଲିସ ସୂଚନା ମୁତାବକ, ରାତ୍ରି ପ୍ୟାଟ୍ରୋଲିଂ ସମୟରେ କିଛି ଯବାନ ଯେତେବେଳେ ୨ ରେଷ୍ଟୁରାଣ୍ଟକୁ ଭିଜିଟ୍‌ କରିଥିଲେ, ତ ସେଠାରେ କରୋନା ନିୟମ ଉଲ୍ଲଂଘନ ହେଉଥିବାର ଦେଖିବାକୁ ପାଇଥିଲେ। ଲୋକେ ଏଠି ଖୁଲମ୍‌ଖୁଲା ବସି ହୁକ୍କା ଧୂଅାଁ ଛାଡ଼ୁଥିଲେ। ପୋଲିସ ଯେତେବେଳେ ଦୁଇ ମାଲିକଙ୍କୁ ପଚରାଉଚରା କରିଥିଲା, ତ ସେମାନେ ପୋଲିସକୁ ଭିତରକୁ ଯିବାକୁ ଦେଇ ନ ଥିଲେ। ପରେ ପୋଲିସ ବଳପୂର୍ବକ ପଶି ଯାଞ୍ଚ କରିବା ପରେ ବିପୁଳ ପରିମାଣରେ ହୁକ୍କା ଜବତ କରିଥିଲା।