Below header

ଭକ୍ତ ଓ ଭଗବାନ ଭିତରେ ପାଚେରୀ ହୋଇ ଠିଆ ହେଲା କରୋନା

ସାରା ବିଶ୍ୱରେ ମଣିଷ ସମାଜକୁ ସବୁ ଦିଗରୁ ପ୍ରଭାବିତ କରିଛି କରୋନା । ଏଭଳି ଏକ ଭାଇରସ୍‌ ଯିଏ ଶେଷରେ ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇ ଠିଆ ହେଲାଣି । ରାଜ୍ୟର ସବୁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହେବା ପରେ ଏବେ ଶ୍ରୀମନ୍ଦିରରେ ଜଗତର ନାଥଙ୍କ ଦର୍ଶନ ବି ବନ୍ଦ ହୋଇଛି । ଅତୀତରେ କିଛି କିଛି ପରିସ୍ଥିତିରେ ଭକ୍ତଙ୍କୁ ମିଳି ପାରିନି ପ୍ରଭୁଙ୍କ ଦର୍ଶନ । ତେବେ କରୋନା ଭଳି ପରିସ୍ଥିତି କେବେବି ଉପୁଜି ନଥିଲା । କେବଳ ରଥଯାତ୍ରା ପୂର୍ବରୁ ସ୍ନାନଯାତ୍ରାର ଠିକ୍‌ ପରେ ପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ୧୪ ଦିନ ଅଣସର ଘରେ ରହିଥାନ୍ତି । ଏହି ସମୟରେ ଦର୍ଶନ ବନ୍ଦ ରହିଥାଏ ।
ଅବଶ୍ୟ ଇତିହାସ କହେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ବେଳେ କଳା ଠାକୁରଙ୍କୁ ଲୁଚାଇ ଦିଆଯାଇଥିଲା । ସେହି ସମୟରେ ମନ୍ଦିରରେ ଠାକୁର ନଥିବା ହେତୁ ଦର୍ଶନ ବନ୍ଦ ରହୁଥିଲା । ହେଲେ ଏବେ କରୋନା ଯେଉଁ ପରିସ୍ଥିତି ସଷ୍ଟି କରିଛି ତାହା ଭକ୍ତଙ୍କ ଆବେଗକୁ କଷ୍ଟ ଦେଉଛି ।

ତେବେ କରୋନା ବିଷାଣୁକୁ ରୋକିବା ପାଇଁ ଏବଂ ସେବାୟତ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ହିତ ଦୃଷ୍ଟିରୁ ଏଭଳି ପଦକ୍ଷେପ ନେବା ଜରୁରୀ ମନେ କରାଯାଇଛି । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ନିଷ୍ପତ୍ତିରେ ଦର୍ଶନକୁ ସାମୟିକ ଭାବେ ବନ୍ଦ କରାଯାଇଛି । ତେଣୁ ଏହାକୁ ନକାରାତ୍ମକ ଭାବେ ଗ୍ରହଣ କରନ୍ତୁ ନାହିଁ । ଏଭଳି ସ୍ଥିତି ଉଭୟ ଭକ୍ତ ଏବଂ ସେବାୟତଙ୍କ ମନରେ ଗମୀର ଆଘାତ ଦେଇଥିବ । ହେଲେ କୁହାଯାଏ ଯେଉଁଠି ଶତ୍ରୁ ଖୁବ୍‌ ବଳଶାଳୀ ଅଛି ଓ ଜୋରଦାର ଆକ୍ରମଣ କରୁଛି ସେତେବେଳେ ପଛଘୁଞ୍ଚା ଦେବା ହିଁ ବୁଦ୍ଧିମାନ୍‌ର କାମ । କାରଣ ଶତ୍ରୁର କୌଶଳ ଏବଂ ସାମାର୍ଥ୍ୟକୁ ମାପିବାର ସୁଯୋଗ ଓ ସମୟ ମିଳିବ । ଯାହାଫଳରେ ଆମେ ତାର ମୁକାବିଲା କରିବାର ବାଟ ବାହାର କରି ପାରିବା । ତେଣୁ ମନକୁ ଦୃଢ଼ କରିବା ଏବଂ ପରିସ୍ଥିତିର ସାମନା କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ରହିବା।
ଅମେ ଘରେ ବସି ମଧ୍ୟ ପ୍ରଭୁଙ୍କୁ ସ୍ମରଣ କରି ପାରିବା । ସମୟ ଏଭଳି ଆସିଛି ଯେ ଯାହାର ମୁକାବିଲା କରିବା ପାଇଁ ଆମକୁ ଆମର ଦୈନନ୍ଦିନ ଅଭ୍ୟାସରୁ ଆରମ୍ଭ କରି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ହିଁ ହେବ । ତାହାହେଲେ ଯାଇ ଭଗବାନ ଆମକୁ ସାହା ହେବେ । ଜୟ ଜଗନ୍ନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.