କରୋନା କାଳରେ ପ୍ରଥମ ପ୍ରଦର୍ଶନୀ, ୟୁନିଟ୍‌-୩ ପଡ଼ିଆରେ ଆରମ୍ଭ ହେଲା ମୃତ୍ତିକା ହସ୍ତଶିଳ୍ପ ମେଳା

ଭୁବନେଶ୍ୱର : ଅନେକ ଦିନ ପରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ହୋଇଛି ଚଳଚଞ୍ଚଳ । ଏଠାରେ ଆରମ୍ଭ ହୋଇଛି ମୃତ୍ତିକା ହସ୍ତଶିଳ୍ପ ବା ଟେରାକୋଟା ପ୍ରଦର୍ଶନୀ ୨୦୨୦। ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ଏଠାରେ ବିକ୍ରି ହେଉଛି । ଦୀପ ଠାରୁ ଆରମ୍ଭ କରି ଅନେକ ଘରକରଣା ଓ ଘରସଜା ଜିନିଷ ଏଠାରେ ଦେଖିବାକୁ ମିଳୁଛି ।

ତେବେ ଏଠାରେ କରୋନା କଟକଣାକୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଗେଟ୍‌ରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯାଉଛି । ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ କୁହାଯାଉଛି । କରୋନା ସମୟରେ ମୂର୍ତ୍ତି କାରିଗରମାନଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦିଆଯାଇ ପ୍ରଥମ କରି ଏହି ପ୍ରଦର୍ଶନୀ ଆୟୋଜିତ ହେଉଛି । ତେବେ ଏଠାରେ ବୁଲାବୁଲି ସମୟରେ ଲୋକମାନେ ମଧ୍ୟ ସଚେତନ ରହିବାକୁ କୁହାଯାଇଛି ।

କରୋନା କଟକଣା ପାଇଁ ରାଜଧାନୀରେ ଆଠ ମାସ ହେଲା କୌଣସି ମେଳା କିମ୍ବା ପ୍ରଦର୍ଶନୀ ଆୟୋଜିତ ହୋଇନଥିଲା । ତେବେ କାରିଗରମାନଙ୍କ ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ କରୋନା କଟକଣା ସହିତ ଏହି ମେଳା ଆରମ୍ଭ କରାଯାଇଛି । ଏହି ପ୍ରଦର୍ଶନୀରେ ୧୦୧ଟି ଷ୍ଟଲ ଲାଗିଛି । ୧୫୭ରୁ ଅଧିକ ହସ୍ତଶିଳ୍ପ କାରିଗରଙ୍କୁ ବିନା ମୂଲ୍ୟରେ ଷ୍ଟଲଗୁଡିକ ପ୍ରଦାନ କରାଯାଇଛି ।

କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ, ଖୋର୍ଦ୍ଧା, ନୟାଗଡ଼, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଭଳି ଅନେକ ଜିଲ୍ଲାର କାରିଗର ଏଥିରେ ଭାଗ ନେଇଛନ୍ତି । କରୋନାରେ ଚଳିତ ବର୍ଷ ଷ୍ଟଲ ଲାଗିବ ନାହିଁ ବୋଲିି କାରିଗରମାନେ ଭାବିଥିଲେ କିନ୍ତୁ ଏବେ ମୃତ୍ତିକା ମେଳା ଲାଗିବା ପରେ ସେମାନେ ଖୁସି ଅଛନ୍ତି ।

ଏଥର ମେଳାରେ ବିଶେଷ ଆକର୍ଷଣ ସାଜିଛି ମାଟି ନନ୍ଦିଘୋଷ । ଏହାକୁ ଦେଖିବାକୁ ପ୍ରବଳ ଭିଡ ଜମୁଛି । ମାଟି ନନ୍ଦିଘୋଷ ସହିତ ନବକଳେବର ସମ୍ପର୍କିତ ବିିଭିନ୍ନ ମାଟି କଳାକୃତି ଦେଖିବାକୁ ମିଳୁଛି । ତେବେ ଏହି ମାଟି ନନ୍ଦିଘୋଷ ତିଆରି କରିବା ପାଇଁ ଲାଗିଛି ତିନି ମାସ । ଏହାର ମୂଲ୍ୟ ରହିଛି ୧ ଲକ୍ଷ ୨୦ ହଜାର ଟଙ୍କା । ନଭେମ୍ବର ୬ରୁ ଆରମ୍ଭ ହୋଇଥିବା ଏହି ମେଳା ୧୨ ତାରିଖ ଯାଏ ଚାଲିବ ।

Leave A Reply

Your email address will not be published.