ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ତୃତୀୟ ସଂସ୍କରଣ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ତୃତୀୟ ସଂସ୍କରଣ । ରାଜ୍ୟର ସବୁଠୁ ବଡ଼ ନିବେଶ ମହାକୁମ୍ଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ସମସ୍ତ ପ୍ରସ୍ତୁତି ସରିଛି । ଏକାଠି ହେବେ ଦେଶ ବିଦେଶରେ ପ୍ରତିଷ୍ଠିତ ବିଜନେସ୍ ଟାଇକୁନ୍ । ୧୦୦ରୁ ଅଧିକ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।
ଫୋକସରେ ୭ଟି ପ୍ରମୁଖ ସେକ୍ଟର ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ବେଦାନ୍ତ ରିସୋର୍ସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଲମ ବିର୍ଲା ମେକ୍ ଇନ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଆସୁଛନ୍ତି । ସେହିପରି ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ. ଏନ୍. ମିତ୍ତଲ, ଜେଏସଡବ୍ଲୁ ଗ୍ରୁପର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ, ଜିଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଟାଟା ଷ୍ଟିଲର ଏମ୍ଡି ଟିଭି ନରେନ୍ଦ୍ରନ ପ୍ରମୁଖ ଯୋଗ ଦେବେ ।
ଦେଶରେ ବଡ଼ ବଡ଼ ଶିଳ୍ପପତି ନୁହେଁ ଜାପାନ, ନରେୱେ ଏବଂ ଜର୍ମାନୀରୁ ମଧ୍ୟ ବହୁ ପ୍ରତିନିଧି ଓ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଭାଗ ନେବେ । ଆସିଆନ ଦେଶର ପ୍ରତିନିଧି ଦଳ ମଧ୍ୟ ସାମିଲ ହେବେ । ୪ ବର୍ଷ ପରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେଉଥିବାରୁ ବିପୁଳ ନିବେଶ ସାଉଁଟିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପାଖାପାଖି ୬ ଲକ୍ଷ କୋଟିର ନିବେଶ ଆଶା କରାଯାଉଛି ।