ଲକ୍ ଡାଉନରେ ନିଆରା ବାହାଘର: ବାଜିଲାନି ବାଜା ଆସିଲେନି ବରଯାତ୍ରୀ, ମାସ୍କ ପିନ୍ଧି ବାହା ହେଲେ ବରକନ୍ୟା

ଅନୁଗୁଳ: ନା ବାଜା, ବାଜଣା। ନା ବାଣ କି ବରଯାତ୍ରୀ। ବନ୍ଧୁବାନ୍ଧବଙ୍କ କୋଳାହଳ ବି ନାହିଁ। ମାତ୍ର ୮ଜଣ ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି। ସାରା ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ଅନୁଗୁଳ ଜିଲ୍ଲା ତାଳଚେର କାରିଗରପଡାରେ ଏପରି ନିଆରା ବିବାହ ଅନୁଷ୍ଠିତ ହୋଇଛି।
ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ହୋଇଛନ୍ତି ପୂର୍ଣ୍ଣଚନ୍ଦ୍ର ମହାରାଣାଙ୍କ ପୁଅ କୁନା ମହାରଣା ଓ ତାଳଚେର ବଡଜୋରଡା ଗାଁର ଗୋବିନ୍ଦ ମହାରାଣାଙ୍କ କନ୍ୟା ସିଲନ ମହାରଣା। ସାମାଜିକ ଦୂରତା ପାଳନ କରାଯିବା ସହ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇନଥିଲା। ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସବୁକିଛି ନିରାଡମ୍ବର ଭାବେ କରାଯାଇଥିଲା। ଲକ୍ଡାଉନ୍ ସମୟରେ ଏଭଳି ବାହାଘର ସ୍ମରଣୀୟ ହୋଇପରହିବ ବୋଲି ଉଭୟ ବରପକ୍ଷ ଓ କନ୍ୟାପକ୍ଷ କହିଛନ୍ତି।