ଶୋଇଥିବା ଅବସ୍ଥାରେ କଚାଡି ଦେଲା ହାତୀ, ଚାଲିଗଲା ଯୁବକଙ୍କ ଜୀବନ
ମୟୂରଭଞ୍ଜ (କେନ୍ୟୁଜ): ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୭ରୁ ୮ ହାତୀ ପଲର ଶିକାର ହୋଇଛନ୍ତି ଏହି ଯୁବକ । ଯୁବକ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ସେ ଏଠାରେ ରହି ଏକ ମଦ ଦୋକାନ ରେ କାର୍ଯ୍ୟ କରୁଥିଲେ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ରାତି ପାଖାପାଖି ଗୋଟେ ବେଳେ ମହୁଲିଆ ପଟରୁ ଏହି ହାତୀ ପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲା।
ସେଠାରେ ଥିବା ଏକ ଦେଶି ମଦଭାଟିରେ ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପି ଆର୍ ଏମ୍ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଏହାସହ ଗତକାଲି ରାତିରେ ହାତିପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି ।