Below header

ଅଧାରେ ଅଟକି ଯିବନି ତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ?

ମରିଗଲା ମହାବଳ । ସାତକୋଶିଆରେ କବର ନେଇଛି ମହାବୀର । ଦେଶରେ ବାଘ ବଂଶ ବଢାଇବାକୁ ଆରମ୍ଭ ହୋଇଥିବା ପରିକଳ୍ପନାକୁ ଶକ୍ତ ଧକ୍କା । ସମସ୍ତଙ୍କୁ ସ୍ତବ୍ଧ କରିଛି ସାତକୋଶିଆର ଏହି ଦୁଃଖଦ ଖବର । ବ୍ୟାଘ୍ର ପ୍ରକଳ୍ପକୁ ନେଇ ଦେଖା ଦେଇଥିବା ଆଶା ଏବେ ନିରାଶାରେ ପରିଣତ ହୋଇଛି । ଆଗକୁ ଆଉ ୨ ଯୋଡ଼ା ବାଘ ଆଣିବା ପାଇଁ ମଧ୍ୟ ଯୋଜନା ହୋଇଥିଲା । କିନ୍ତୁ  ୬ ମାସ ଭିତରେ ଓଲଟି ଯାଇଛି ପୂରା ଖେଳ । ସୁନ୍ଦରୀ କାଣ୍ଡ ପରେ ମହାବୀର ମଲା । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପ୍ରକଳ୍ପର ଭାଗ୍ୟ କଣ ହେବ ? …

Mhaveer Tiger 1

୬ ମାସ ଗଲାନି

ଜୁନ୍‌ ୪, ୨୦୧୮ । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ସାତକୋଶିଆ ଆସିଥିଲା ୫ ବର୍ଷୀୟ ମହାବଳ । ନାଁ ରଖାଯାଇଥିଲା ମହାବୀର । ମଧ୍ୟପ୍ରଦେଶରୁ ସାତକୋଶିଆ, ବାଘ ସ୍ଥାନାନ୍ତରଣ ପଛରେ ରହିଛି ମହତ ଉଦ୍ଦେଶ୍ୟ । ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି କରିବାକୁ ଯୋଜନା ହୋଇଛି । କାର୍ଯ୍ୟକାରୀ ହୋଇଛି ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ । ଏହା ମାଧ୍ୟମରେ ମଧ୍ୟପ୍ରଦେଶରୁ ଓଡ଼ିଶା ଆସିଥିଲା ମହାବଳ । କିଛି ଦିନ ସାତକୋଶିଆର ରାଇଗୁଡ଼ା ଜଙ୍ଗଲରେ ସ୍ୱତନ୍ତ୍ର ଏନକ୍ଲୋଜରରେ ତାକୁ ରଖାଯାଇଥିଲା । ସବୁ କିଛି ଠିକଠାକ୍‌ ଚାଲିଲା । ନିଜକୁ ବି ସାତକୋଶିଆ ପାଣିପାଗ ଓ ପରିବେଶ ସହ ନିଜକୁ ଖାପଖୁଆଇଥିଲା ମହାବୀର । କିଛି ଦିନ ରହିବା ପରେ ଏନକ୍ଲୋଜରରୁ ବାହାରିଥିଲା ମହାବଳ । ଘଞ୍ଚ ଜଙ୍ଗଲରେ ଘର ବସାଇଥିଲା ବାଘ । ମୁକ୍ତ ଭାବରେ ବୁଲୁଥିଲା । ଶିକାର କରି ଖାଉଥିଲା ମହାବଳ । କିନ୍ତୁ ମାସ ୬ଟା ଯାଇନି, ମରିଗଲା ମହାବଳ । ତାର ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

MAHAVIR-2

କେମିତି ମଲା ମହାବଳ ?

ସବୁଠୁ ବଡ଼ ପ୍ରଶ୍ନ, କେମିତି ମଲା ମହାବଳ ? କଣ ହୋଇଥାଇ ପାରେ କାରଣ ? କୁହାଯାଇଛି ୩-୪ ଦିନ ତଳେ ତାର ମୃତ୍ୟୁ ହୋଇ ସାରିଛି । କିନ୍ତୁ କେହି କେମିତି ଏକଥା ଜାଣି ପାରିଲେ ନାହିଁ ? କାରଣ ବାଘ ବେକରେ ଲାଗିଥିଲା ରେଡିଓ କଲାର୍‌ । ଯାହାଦ୍ୱାରା ତାର ଚଳପ୍ରଚଳ ଓ ଗତିବିଧି ଉପରେ ନଜର ରଖାଯାଉଥିଲା । କୁହାଯାଉଛି, ବାଘ ବେକରେ ଘା’ ହୋଇଥିଲା । ସଂକ୍ରମଣରୁ ତାର ମୃତ୍ୟୁ ହୋଇଥାଇ ପାରେ । ଏକଥା ଆସିବା ପରେ ପ୍ରଶ୍ନ ଉଠୁଛି, ବାଘ ବେକରେ ଘା’ ହେଲା କେମିତି ? କ୍ଷତ ସ୍ୱାଭାବିକ ଥିଲା କି ? ନା ଶିକାରୀଙ୍କ ଶିକାର ହୋଇଗଲା ମହାବୀର ? କେହି ଶିକାରୀ ଗୁଳି କିମ୍ବା ତୀର ମାରି ନାହିଁ ତ ? ଯାହା ଫଳରେ ତାର ବେକରେ ଘା’ ହୋଇଥିଲା । ଆଉ ସେହି ଘା’ ସଂକ୍ରମିତ ହୋଇ ଶେଷରେ ତାର ଜୀବନ ନେଇ ଗଲା କି ? ମହାବଳ ସାତକୋଶିଆ ଅଭୟାରଣ୍ୟର କୋର୍‌ ଏରିଆକୁ ଚାଲି ଯାଇଥିଲା । ଲୋକଙ୍କ ପଟରୁ ତା ପ୍ରତି ନଥିଲା କୌଣସି ବିପଦ । କାରଣ ସେ ବୁଲୁଥିଲା ଜନବସତିଠାରୁ ବହୁ ଦୂରରେ । କେବେବି ଲୋକଙ୍କୁ ହଇରାଣ କରିଥିବା ଅଭିଯୋଗ ଆସି ନାହିଁ । ତେଣୁ ମହାବଳ ମହାବୀର କେମିତି ମରିଛି, ସବୁ କିଛି ସ୍ପଷ୍ଟ ହେବ ବ୍ୟବଚ୍ଛେଦ ରିପୋର୍ଟରୁ ।

Mahaveer-3

କି ନିଷ୍ପତ୍ତି ନେବ ଏନ୍‌ଟିସିଏ ?

ମହାବଳର ମୃତ୍ୟୁ ପରେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ସ୍ଥଗିତ ରଖିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନ୍‌ଟିସିଏ । ଖୁବଶୀଘ୍ର ଏନ୍‌ଟିସିଏର ଆଇଜି ଅନୁଧ୍ୟାନ ପାଇଁ ସାତକୋଶିଆ ଆସିବେ । ଓ୍ଵାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଟିମ୍‌ ବି ଆସିବେ । ରାଜ୍ୟ ସରକାରଙ୍କ ସହ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବେ ବିଶେଷଜ୍ଞ ଟିମ୍‌ । ମହାବଳର ମୃତ୍ୟୁ ସହ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ମହାବୀର ପରେ ସାତକୋଶିଆକୁ ଆସିଥିଲା ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ତାକୁ ଅଣାଯାଇଥିଲା । କିଛି ଦିନ ଏନକ୍ଲୋଜରରେ ରହିବା ପରେ ବାଘୁଣୀକୁ ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ । କିନ୍ତୁ ଅଭୟାରଣ୍ୟ ଏରିଆରେ ହଇଚଇ ସୃଷ୍ଚି କରିଥିଲା ସୁନ୍ଦରୀ ।

SUNDARI

ବାରମ୍ବାର ପଳାଇ ଆସୁଥିଲା ଜନବସତିକୁ । ଲୋକଙ୍କୁ ଡରାଉଥିଲା । ସାତକୋଶିଆ ହାତୀବାରିରେ ମହିଳା କୈଳାସୀ ସଏ ଓ ଟାଇଁସିର ତ୍ରିନାଥ ସାହୁଙ୍କ ସହ ଗୃହପାଳିତ ପଶୁଙ୍କର ବାଘୁଣୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ ହୋଇଥିଲା । ତାତିଥିଲେ ସ୍ଥାନୀୟ ଲୋକ । ସୁନ୍ଦରୀ ପାଇଁ ସୃଷ୍ଟି ହୋଇଥିଲା ଆଇନ ଶୃଙ୍ଖଳା ପରିସ୍ଥିତି । ବାଘୁଣୀକୁ ଫେରାଇ ନେବା ପାଇଁ ଦାବି ଜୋର ଧରିଥିଲା । ବନ ବିଭାଗ, ଜିଲ୍ଲା ପ୍ରଶାସନ ନାକେଦମ୍‌ ହେବା ପରେ ଆରମ୍ଭ ହୋଇଥିଲା ସୁନ୍ଦରୀ ଧରା ମିଶନ୍‌ । ଦୁଇ ସପ୍ତାହର ଲୁଚକାଳି ପରେ ଧରା ହୋଇ ଖୁଆଡ଼ ଫେରିଥିଲା ବାଘୁଣୀ । ଏବେ ସେ ରାଇଗୁଡ଼ାରେ ସ୍ୱତନ୍ତ୍ର ଏନକ୍ଲୋଜରରେ ରହିଛି । ସେ ପୁଣି ସାତକୋଶିଆ ଅଭୟାରଣ୍ୟ ଫେରିବ କି ନାହିଁ ତାହା ଅନିଶ୍ଚିତତା । ଏବେ ମହାବଳର ମୃତ୍ୟୁ ପରେ ତାକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବ ନାହିଁ ତ ? ଏମିତି ବି ଆଶଙ୍କା ପ୍ରକାଶ ପାଉଛି ।

ସାମୟିକ ଭାବେ ସ୍ଥଗିତ

ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପରେ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ସାତକୋଶିଆ ଆସିଥିଲା ମହାବଳ ମହାବୀର । ଏହା ଥିଲା ଦେଶରେ ପ୍ରଥମ ଘଟଣା । ପରେ ପରେ ଆସିଥିଲା ବାଘୁଣୀ ସୁନ୍ଦରୀ ।

SATAKOSIA

ପ୍ରାକୃତିକ ଉପାୟରେ ବାଘ ବଂଶ ବୃଦ୍ଧି ପାଇଁ ଏହି ବାଘ-ବାଘୁଣୀକୁ ଓଡ଼ିଶା ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ଆଉ ଦୁଇ ଯୋଡ଼ା ବାଘ-ବାଘୁଣୀଙ୍କୁ ଅଣାଯିବାକୁ ଯୋଜନା ରହିଛି । କିନ୍ତୁ ମହାବଳର ମୃତ୍ୟୁ ଓ ସୁନ୍ଦରୀ କାଣ୍ଡ ପରେ ବ୍ୟାଘ୍ର ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତକୁ ଠେଲି ହୋଇ ଯାଇଛି । ବିଭାଗ କହିଛି ସାମୟିକ ଭାବେ ସ୍ଥଗିତ ।

ରିପୋର୍ଟ- ଅଜିତ କୁମାର ଦେହୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.