Below header

ସଚିବାଳୟରେ  ଅଣ୍ଡର ସେକ୍ରେଟାରିଙ୍କ ଡେପୁଟି ସେକ୍ରେଟାରି ପଦକୁ ପଦୋନ୍ନତି ପ୍ରସଙ୍ଗ: ହାଇକୋର୍ଟ କହିଛନ୍ତି ୯ଟି ପଦକୁ ଛାଡି ଅବଶିଷ୍ଟ ଡେପୁଟି ସେକ୍ରେଟାରି ପଦକୁ ପଦୋନ୍ନତି ଦିଆଯାଇ ପାରିବ

କଟକ(କେନ୍ୟୁଜ୍): ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଅଣ୍ଡର ସେକ୍ରେଟାରିଙ୍କ ଡେପୁଟି ସେକ୍ରେଟାରି ପଦକୁ ପଦୋନ୍ନତି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଣ୍ଡର ସେକ୍ରେଟାରିଙ୍କ ଗ୍ରେଡେସନ୍ ତାଲିକା ଉପରେ ହାଇକୋର୍ଟ ପୂର୍ବରୁ ଅନ୍ତରୀଣ ରହିତାଦେଶ ଜାରି କରିଥିବା ବେଳେ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ ହୋଇଛି। ୯ଟି ପଦକୁ ଛାଡି ଅବଶିଷ୍ଟ ଡେପୁଟି ସେକ୍ରେଟାରି ପଦକୁ ପଦୋନ୍ନତି ଦିଆଯାଇ ପାରିବ ବୋଲି ହାଇକୋର୍ଟ କହିବା ସହିତ ସାନି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ହାଇକୋର୍ଟରେ ଏହି ଗ୍ରେଡେସନ୍ ତାଲିକକୁ ଚାଲେଞ୍ଜ କରି ଦାୟର ଏକାଧିକ ମାମଲାରେ ୯ଜଣ ଆବେଦନକାରୀ ଥିବା ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମ.ଆର.ସାମନ୍ତରାୟ ଓ ଅନ୍ୟମାନଙ୍କ ମାମଲାରେ ସରକାରଙ୍କ ତରଫରୁ ପୂର୍ବର ଅନ୍ତରୀଣ ଆଦେଶ ଉଠାଇବାକୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏ ସଂପର୍କିତ ସମସ୍ତ ମାମଲାର ମାର୍ଚ୍ଚ ମାସକୁ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.