Below header

ପଶ୍ଚିମ ଓଡ଼ିଶାରେ ଯୋଡ଼ି ହେଲା ଆଉ ଏକ ଐତିହାସିକ ଅଧ୍ୟାୟ: ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ, ଏ ହେଉଛି ଜୀବନରେଖା : ମୁଖ୍ୟମନ୍ତ୍ରୀ

ଆଜି ପଶ୍ଚିମ ଓଡିଶା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ସେ ବହୁତ ଖୁସି ।

ଭୁବନେଶ୍ୱର (କେନ୍ୟୁଜ): ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ି ହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ସେ ବହୁତ ଖୁସି । ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ । ଏ ହେଉଛି ସେହି ଅଞ୍ଚଳ ପାଇଁ ଜୀବନରେଖା । ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ ।

ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ । ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇବ । ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ ବୋଲି କହିଛନ୍ତି ନବୀନ ।
ଛାତ୍ରଛାତ୍ରୀଙ୍କର ସୁବିଧା ହେବ, ନୂଆ ନୂଆ ଶିଳ୍ପ ଗଢ଼ି ଉଠିବ । ବିଜୁ ଏକ୍ସପ୍ରେସ ଓ୍ବେ ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି । ଏହାଦ୍ବାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ । ଇକୋନୋମିକ କରିଡରରେ ପୁଞ୍ଚି ବିନିଯୋଗ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ବିଜୁ ଏକ୍ସପ୍ରେସ ଓ୍ବେ ଆଉ ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ବିଜୁ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, “ଆଜି ଆମ ସମସ୍ତଙ୍କର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ। ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କ ସବୁଠାରୁ ବଡ଼ ଭରସା । ଏ ମାଟି, ଏ ମାଟିର ମଣିଷର ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହେଇ ରହିଥିଲେ। ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ। ସେହି ମହାନାୟକଙ୍କ ଜନ୍ମଦିନରେ ଆଜି ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଡେଡିକେଟ୍ କରି ମୁଁ ବହୁତ ଖୁସି। କଥା ନୁହେଁ, କାମରେ ବିଶ୍ୱାସ କରେ ।” ବିଜୁବାବୁଙ୍କ ସ୍ବପ୍ନ ଥିଲା ସୁସ୍ଥ ଓଡ଼ିଶା । ସେଦିଗରେ ରାଜ୍ୟ ସରକାର ସଫଳତାର ସହ ଆଗକୁ ବଢୁଛନ୍ତି । ବରଗଡ଼ ବିକାଶକୁ ଆହୁରି ଆଗକୁ ନେବା ପାଇଁ ୨ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ବ୍ରିଟିସ୍ ଅମଳରୁ ରହି ଆସିଥିବା ଏୟାରଷ୍ଟ୍ରିପ୍ କୁ ସଂପ୍ରସାରଣ କରି ବିମାନ ସେବା ପ୍ରଦାନ ପାଇଁ ବିିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବି ହୋଇ ଆସୁଥିଲା । କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଏହା ସାମିଲ୍ ହେବ ବୋଲି ସମସ୍ତେ ଆଶା ବାନ୍ଧିଥିବା ବେଳେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ବିମାନ ବନ୍ଦର ନିର୍ମାଣ ସହ ବିମାନ ସେବା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ୯ ଆସନ ବିଶିଷ୍ଟ ବିମାନର ଶୁଭାରମ୍ଭ କରିବା ପରେ ତାହା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ରେ ପହଂଚିଥିଲା । ସମସ୍ତେ ସ୍ୱାଗତ କରିବା ପରେ ପାସିଞ୍ଜେରକୁ ନେଇ ବିମାନଟି ଭୁବନେଶ୍ୱର ଅଭିମୁଖେ ଯାଇଥିଲା ।

ଅତୀତରେ ବିଜୁ ବାବୁ ୧୯୮୮ ମସିହାରେ ଏଠାକୁ କ୍ଷୁଦ୍ର ବିମାନରେ ଆସିଥିଲେ ଓ ପରବର୍ତୀ ସମୟରେ ଏଠାରେ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି କହିଥିଲେ । ଆଜି ତାଙ୍କର ଜୟନ୍ତୀ ଅବସରରେ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ବିମାନ ବନ୍ଦର ଭେଟି ଦେଇଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବିମାନ ବନ୍ଦର ଉଦଘାଟନ ଉତ୍ସବରେ ଯୋଗ ଦେଇ କହିଛନ୍ତି । ସେହିପରି ଅନ୍ୟତମ ଅତିଥି ରୂପେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଯୋଗଦାନ କରି ମୁଖ୍ୟମନ୍ତ୍ରୀଙ୍କର ଏହି ଭେଟିକୁ ସ୍ୱାଗତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.