‘ବୁଲା କୁକୁରମାନଙ୍କୁ ଆସାମ ପଠାଇଦିଅ, ସେଠାକାର ଲୋକେ ଏମାନଙ୍କୁ ଖାଆନ୍ତି’; ବିଧାୟକଙ୍କ ବୟାନ ଉପରେ ହଙ୍ଗାମା

ବୁଲା କୁକୁରମାନଙ୍କୁ ନେଇ ବିଧାୟକଙ୍କ ବୟାନ ତାଙ୍କୁ ମହଙ୍ଗା ପଡ଼ିଛି, ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମହାରାଷ୍ଟ୍ର ବିଧାୟକ ବଚୁ କାଦୁ ନିଜର ବିବାଦୀୟ ମନ୍ତବ୍ୟରେ କହିଛନ୍ତି କି, ଆସାମର ଲୋକମାନେ କୁକୁର ଖାଉଛନ୍ତି, ତେଣୁ ବୁଲା କୁକୁରମାନଙ୍କୁ ଆସାମ ପଠାଇଦେବା ଉଚିତ।

ମହାରାଷ୍ଟ୍ର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ଖାଉଛନ୍ତି, ତେଣୁ ବୁଲା କୁକୁରମାନଙ୍କ ସମସ୍ୟାକୁ ଏଡ଼ାଇବା ପାଇଁ ସେମାନଙ୍କୁ ଆସାମ ପଠାଇଦେବା ଉଚିତ। ବିଧାନସଭାରେ ବୁଲା କୁକୁର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ଉପରେ ଚର୍ଚ୍ଚା ଚାଲିଥିଲା। ଏହି ସମୟରେ ବିଧାୟକ ପ୍ରତାପ ସରନାଇକ ଓ ଅତୁଲ ଭଟକଲକର ଏ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ଏହି ସମୟରେ ବିଧାୟକ ବଚୁ କାଦୁ ନିଜର ସମ୍ବୋଧନରେ ବିବାଦୀୟ ଟିପ୍ପଣୀ ଦେଇଥିଲେ।

ବଚୁ କାଦୁ କହିଛନ୍ତି, ବୁଲା କୁକୁରମାନଙ୍କର ଆସାମରେ ଚାହିଦା ରହିଛି। ସେଠାରେ ସେମାନଙ୍କର ଭଲ ମୂଲ୍ୟ ପାଖାପାଖି ୮ ହଜାର ଟଙ୍କା ପର୍ଯ୍ୟନ୍ତ ମିଳି ପାରିବ। ଏହାଦ୍ୱାରା ରାଜ୍ୟରେ ବୁଲା କୁକୁରମାନଙ୍କ ସଂଖ୍ୟା ମଧ୍ୟ ନିୟନ୍ତ୍ରିତ ରହିବ। ତେଣୁ କୁକୁରମାନଙ୍କୁ ଆସାମ ପଠାଇ ଦିଆଯିବା ଉଚିତ୍।

ବିଧାୟକ କହିଥିଲେ କି, ବର୍ତ୍ତମାନ ଗୋଟିଏ ସହରରେ ଏହାର ପ୍ରୟୋଗ କରିବା ଉଚିତ୍। ବିଧାୟକଙ୍କ ଏହି ବୟାନକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପଶୁମାନଙ୍କ ଅଧିକାର ପାଇଁ ଲଢ଼ୁଥିବା କର୍ମୀ ଏବଂ ପଶୁପ୍ରେମୀମାନେ ଏହି ବୟାନ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ସେମାନଙ୍କ କହିବା ହେଲା, ବିଧାୟକଙ୍କ ଏହି ବୟାନ ଅମାନବୀୟ ଏବଂ ଅପମାନଜନକ।

ଏହା ପୂର୍ବରୁ ଝାଡ଼ଖଣ୍ଡର ଜଣେ ବିଧାୟକ ମଧ୍ୟ ଏଭଳି ବୟାନ ଦେଇଥିଲେ। ଝାଡ଼ଖଣ୍ଡର ବୋକାରୋରୁ ବିଜେପି ବିଧାୟକ ବିରଞ୍ଚି ନାରାୟଣ କହିଥିଲେ ଯେ ବୁଲା କୁକୁରମାନେ ଲୋକଙ୍କୁ ଆକ୍ରମଣ କରୁଛନ୍ତି ଏବଂ ଯଦି ସରକାର ଏହାର ସମାଧାନ କରିପାରୁ ନାହାନ୍ତି, ତା’ ହେଲେ ନାଗାଲାଣ୍ଡର ଲୋକଙ୍କୁ ଡାକନ୍ତୁ, ଏହି ସମସ୍ୟାର ସମାଧାନ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.