Below header

ଦିଲ୍ଲୀରେ ବିଜେଡି-ବିଜେପି ସିଟ୍ କସରତ: ୨ଦଳର ନେତାଙ୍କ ମଧ୍ଯରେ ଚାଲିଛି ଆଲୋଚନା

ଦିଲ୍ଲୀରେ ଚାଲିଛି ବିଜେଡି-ବିଜେପି ସିଟ୍ କସରତ। ଲୋକସଭା ଆସନରେ ବୁଝାମଣା ନେଇ କଥା ଆଗକୁ ବଢୁଥିବା ବେଳେ ବିଧାନସଭା ଆସନକୁ ନେଇ ସସପେନ୍ସ ଜାରି ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଦିଲ୍ଲୀରେ ଚାଲିଛି ବିଜେଡି-ବିଜେପି ସିଟ୍ କସରତ । ହୋଇନି ଚୂଡାନ୍ତ ନିଷ୍ପତ୍ତି । ଉଭୟ ଦଳ ମଧ୍ୟରେ ଆଲୋଚନା ଚାଲିଛି । ପୂର୍ବ ୩ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ ଆଧାରରେ ଚାଲିଛି ଆସନ ବୁଝାମଣା । ଚୂଡ଼ାନ୍ତ ହେବାକୁ ଆଉ ଦିନେ ଦୁଇଦିନ ଲାଗିପାରେ । ଲୋକସଭା ଆସନରେ ବୁଝାମଣା ନେଇ କଥା ଆଗକୁ ବଢୁଥିବା ବେଳେ ବିଧାନସଭା ଆସନକୁ ନେଇ ସସପେନ୍ସ ଜାରି ରହିଛି । ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ଆସିବାର ସମ୍ଭାବନା ରହିଛି । ସେତେବେଳେ ସବୁ କିଛି ସ୍ପଷ୍ଟ ହୋଇପାରେ । ଘୋଷଣା ହୋଇପାରେ ମେଣ୍ଟ ଓ ସିଟ୍ ଫର୍ମୂଲା।

୨୦୦୯ ସାଧାରଣ ନିର୍ବାଚନରେ ଲୋକସଭାରେ ବିଜେଡି ୧୪,କଂଗ୍ରେସ ୬ ଓ ବିଜେପିକୁ ଗୋଟିଏ ଆସନ ମିଳିଥିଲା । ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଲୋକସଭାରେ ୨୦ଟି ଆସନ ପାଇଥିବା ବେଳେ ବିଜେପିକୁ ଗୋଟିଏ ଆସନ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାରେ ବିଜେଡି ୧୨,ବିଜେପିକୁ ୮ଟି ଆସନ ମିଳିଥିଲା। ଗତ ଲୋକସଭା ନିର୍ବାଚନରେ ବିଜେଡି ୪୩.୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଥିଲା ୩୮.୯ ପ୍ରତିଶତ ଭୋଟ୍। କିନ୍ତୁ ବିଧାନସଭା କ୍ଷେତ୍ରରେ ବିଜେପି ବିଜେଡି ଠାରୁ ୧୩ ପ୍ରତିଶତ କମ ଭୋଟ୍ ପାଇଥିଲା। ବିଧାନସଭାରେ ବିଜେଡି ୪୫ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଥିଲା ୩୨.୪୯ ପ୍ରତିଶତ ଭୋଟ୍।

ଅନ୍ଯପଟେ ବିଧାନସଭାରେ ୨୦୦୯ ରେ ୬ଟି, ୨୦୧୪ରେ ରେ ୧୦ଟି ଏବଂ ୨୦୧୯ରେ ୨୩ ଟି ଆସନ ବିଜେପିକୁ ମିଳିଥିଲା। ଏଭଳି ସ୍ଥିତିରେ ଆଞ୍ଚଳିକ ଦଳ ହିସାବରେ ରାଜ୍ଯର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଆସୁଥିବା ବିଜେଡି ବିଧାନସଭାରେ ଗତଥର ପାଇଥିବା ୧୧୩ ଆସନରୁ କମ ସିଟରେ ଲଢିବା ସପକ୍ଷରେ ନାହିଁ। ସେପଟେ ଲୋକସଭା ଆସନ ଉପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ଵ ଦେଉଛନ୍ତି। ରାଜ୍ଯ ବିଜେପି ନେତାଙ୍କ ସହ ଆଲୋଚନା ଚାଲିଛି। ତେଣୁ ଏ ସ୍ଥିତିରେ ଆସନ ବୁଝାମଣା ନେଇ ଯେଉଁ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି ତାହାର ସତ୍ୟତା ନାହିଁ। ଫାଇନାଲ୍ ନିଷ୍ପତ୍ତିକୁ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.