ସହରବାସୀଙ୍କ ଅପେକ୍ଷାର ଅନ୍ତ ଘଟିଲା, କାମାକ୍ଷାନଗର ସୌନ୍ଦର୍ଯ୍ୟ ପୃଷ୍ଠାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ

ଏହି ପୋଖରୀଟି ସହରର ମଧ୍ୟ ଭାଗରେ ଅବସ୍ଥିତ ଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିବା ସହ ସହରର ସମସ୍ତ ଆବର୍ଜନା ପାଣି ଏହି ପୋଖରୀରେ ପଡୁଥିଲା । କିନ୍ତୁ ଆଜି ପୁନଃରୁଦ୍ଧାର ପରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ପୋଖରୀ ।

କାମାକ୍ଷାନଗର (କେନ୍ୟୁଜ): ଆଜିର ବ୍ୟସ୍ତ ବହୁଳ ସମୟ ଭିତରେ ଟିକିଏ ଫୁରସତ ମିଳିଲେ ସମସ୍ତେ ଚାହାଁନ୍ତି ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୂର ଥିବା ସ୍ଥାନ ବୁଲି ଆସିବେ । ନିରୋଳାରେ ପରିବାର ସହ ବସି ସମୟ କାଟିିବାକୁ ସମସ୍ତେ ଚାହାନ୍ତି । ଏଭଳି କଳ୍ପନାକୁ କାମାକ୍ଷାନଗର ଏନଏସି ତରଫରୁ ବାସ୍ତବ ରୂପ ଦିଆଯାଇଛି । ସହର ମଧ୍ୟରେ ଥିବା ପୂରାତନ ଦାସୀ ପୋଖରୀକୁ ସୌନ୍ଦର୍ଯ୍ୟକରଣ କରାଯିବା ସାଙ୍ଗକୁ ଛୋଟ ଛୋଟ ପିଲା ମାନଙ୍କ ପାଇଁ ଟଏ ଟ୍ରେନର ସୁବିଧା ଯୋଗାଇ ଦିଆଯାଇଛି।

ସହରବାସୀଙ୍କ ଅବସର ସମୟ ଅତିବାହିତ କରିବା ପାଇଁ କାମାକ୍ଷାନଗର ଏନଏସି ତରଫରୁ ଆମ ପୋଖରୀ ଯୋଜନାରେ ବହୁ ପୁରାତନ ଦାସୀ ପୋଖରୀକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହି ପୋଖରୀଟି ସହରର ମଧ୍ୟ ଭାଗରେ ଅବସ୍ଥିତ ଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିବା ସହ ସହରର ସମସ୍ତ ଆବର୍ଜନା ପାଣି ଏହି ପୋଖରୀରେ ପଡୁଥିଲା । କିନ୍ତୁ ଆଜି ପୁନଃରୁଦ୍ଧାର ପରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ପୋଖରୀ । ପୂର୍ବରୁ ଏହି ସୁବିଧା ନନ୍ଦନକାନନ ସହିତ ଅନ୍ୟାନ୍ୟ ବଡ଼ବଡ଼ ସହରରେ ଉପଲବ୍ଧ ଥିଲା । କିନ୍ତୁ ଏହା ଆଜି କାମାକ୍ଷାନଗରଠାରେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇପାରିଛି । ସହର ବାସୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ହୋଇଥିବା କହିଛନ୍ତି ମନ୍ତ୍ରୀ ।

ଏହାକୁ କେବଳ ସୌନ୍ଦର୍ଯ୍ୟକରଣ କରାଯାଇ ନାହିଁ ବରଂ ସହରବାସୀଙ୍କ ସକାଳ ଓ ସନ୍ଧ୍ୟା ଭ୍ରମଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପୋଖରୀର ଚତୁଃପାର୍ଶ୍ବରେ ବସିବାର ସୁବିଧା ରହିବା ସହ ଲାଇଟର ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାକି ରାତିର ଦୃଶ୍ୟକୁ ଆହୁରି ମନମୁଗ୍ଧ କରିପାରିଛି । ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏଠାକୁ ଆସି ସମୟ ଅତିବାହିତ କରି ପାରିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ବ୍ୟତୀତ ପରବର୍ତ୍ତୀ ସମୟରେ ଏଠାରେ ସହରବାସୀଙ୍କୁ ଆହୁରି ସୁବିଧା ଯୋଗାଇବା ପାଇଁ ମାଗଣାରେ ଇଣ୍ଟରନେଟର ସୁବିଧା ଯୋଗାଇ ଦିଆଯିବ। ତାସାଙ୍ଗକୁ ଛୋଟପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଦୋଳି ମଧ୍ୟ କରାଯିବ ବୋଲି ଏନଏସି ଅଧକ୍ଷ କହିଛନ୍ତି ।

ଦାସୀ ପୋଖରୀର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ସହରର ଅନେକ ବ୍ୟକ୍ତିଙ୍କୁ ଆକୃଷ୍ଟ କରିଛି । ଏହା ସହ କାମାକ୍ଷାନଗର ସୌନ୍ଦର୍ଯ୍ୟ ପୃଷ୍ଠାରେ ଆଉ ଏକ ଫର୍ଦ ଯୋଡି ହୋଇପାରିଛି । ବିଭିନ୍ନ ଅଞ୍ଚଳର ଶହ ଶହ ଯୁବ ସଂପ୍ରଦାୟ ପାଇଁ ଆମୋଦ ପ୍ରମୋଦର କାରଣ ସାଜିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.