ରାହୁଲ ଗାନ୍ଧି ଅସୁସ୍ଥ, ସତନା ଓ ରାଞ୍ଚି ଗସ୍ତ ବାତିଲ; ତାଙ୍କ ଜାଗାରେ ରାଲି କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ

ବିଗିଡ଼ିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା । ଅସୁସ୍ଥତା କାରଣରୁ ମଧ୍ୟପ୍ରଦେଶର ସତନା ଏବଂ ଝାଡ଼ଖଣ୍ଡର ରାଞ୍ଚି ଗସ୍ତ ତାଙ୍କର ବାତିଲ ହୋଇଛି ।

ବିଗିଡ଼ିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା । ଅସୁସ୍ଥତା କାରଣରୁ ମଧ୍ୟପ୍ରଦେଶର ସତନା ଏବଂ ଝାଡ଼ଖଣ୍ଡର ରାଞ୍ଚି ଗସ୍ତ ତାଙ୍କର ବାତିଲ ହୋଇଛି । ରାହୁଲଙ୍କ ସ୍ଥାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସତନା ଗସ୍ତ କରିବେ । ଏ ନେଇ କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ୍‌ ଅଧ୍ୟକ୍ଷ ଜିତୁ ପଟଓ୍ଵାରୀ ‘X’ରେ ପୋଷ୍ଟ୍‍ ସେୟାର କରିଛନ୍ତି ।

ସେ ଲେଖିଛନ୍ତି, ‘ରାହୁଲ ଗାନ୍ଧି ଅସୁସ୍ଥ ହୋଇପଡ଼ିବାରୁ ଆଜି ସତନା ଆସିପାରୁ ନାହାନ୍ତି । ଏଭଳି ସ୍ଥିତିରେ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସତନା ଯିବାକୁ ଅନୁରୋଧ କରିଛନ୍ତି’ । ପଟଓ୍ଵାରୀ ଆହୁରି ଲେଖିଛନ୍ତି ଯେ ‘ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ୍‌ଗେ ସତନାରେ କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ସମର୍ଥନରେ ହେବାକୁ ଥିବା ସଭାରେ ନିଜର ଉପସ୍ଥିତି ସୁନିଶ୍ଚିତ କରିଛନ୍ତି’ । ସୂଚନାଥାଉ କି, ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶର ସତନାରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା ।

କହି ରଖୁଛୁ, ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଏପ୍ରିଲ ୨୬ରେ ସତନାରେ ମଧ୍ୟ ଭୋଟିଂ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସତନା ଆସିବାର ଥିଲା । ହେଲେ କିଛି ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କର ଗସ୍ତ ବାତିଲ ହୋଇଛି । ଏହା ପୂର୍ବରୁ ରାହୁଲ ଏପ୍ରିଲ ୮ରେ ମଣ୍ଡଲା ଓ ଶହଡୋଲରେ ନିର୍ବାଚନୀ ସଭା କରିଥିଲେ ।

ସେପଟେ ରାଞ୍ଚିରେ ଆଜି ଇଣ୍ଡିଆ ମେଣ୍ଟର ମେଗା ରାଲି ହେଉଛି । ଏଥିରେ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ସାମିଲ ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ରାଲିରେ ମୋଟ ୨୮ଟି ରାଜନୈତିକ ଦଳ ଭାଗ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.