ଚାନ୍ଦା ସଂଗ୍ରହ କରି ନିଜ ଉଦ୍ୟମରେ ରାସ୍ତା ସହ ପୋଲ ନିର୍ମାଣ କରୁଛନ୍ତି ଏହି ଗ୍ରାମବାସୀ

ନିର୍ବାଚନ ଆସିଲେ ଗାଁକୁ ନେତା ଆସନ୍ତି । ଅନେକ ପ୍ରତିଶୃତି ଦିଅନ୍ତି । ଆଉ ନିର୍ବାଚନ ସରିଲେ ସେ ସବୁ ପାଣିର ଗାର ପାଲଟିଯାଏ । ହେଲେ ଏହି ଗ୍ରାମବାସୀ ଚାନ୍ଦା କରିବା ସହ ଶ୍ରମଦାନ କରି ନିଜ ଅସୁବିଧାର ନିଜେ ସମାଧାନ କରୁଛନ୍ତି ।

ନୂଆପଡା(କେନ୍ୟୁଜ): ନିର୍ବାଚନ ଆସିଲେ ଗାଁକୁ ନେତା ଆସନ୍ତି । ଅନେକ ପ୍ରତିଶୃତି ଦିଅନ୍ତି । ଆଉ ନିର୍ବାଚନ ସରିଲେ ସେ ସବୁ ପାଣିର ଗାର ପାଲଟିଯାଏ । ହେଲେ ଏହି ଗ୍ରାମବାସୀ ଚାନ୍ଦା କରିବା ସହ ଶ୍ରମଦାନ କରି ନିଜ ଅସୁବିଧାର ନିଜେ ସମାଧାନ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଆମସେନା ଗ୍ରାମପଂଚାୟତର ଟିକ୍ରାପଡା ନିକଟସ୍ଥ ସ୍ଵଭାମାନୀଲୋକଙ୍କ ଗାଁ ଶବରପଡାରେ ।

ଏହି ଗାଁରେ ୨୫ଟି ଆଦିବାସୀ ପରିବାର ବସବାସ କରିଆସୁଛନ୍ତି । ଜାତୀୟରାଜ ପଥ ୩୫୩ରୁ ମାତ୍ର ଅଧା କି.ମି. ଦୂରତା ରହିଛି ଶବରପଡା । ଏହି ଗାଁକୁ ଯିବା ପାଇଁ ସବୁଦିନିଆ ରାସ୍ତା ନାହିଁ । ଜାତୀୟରାଜପଥ ଓ ଗାଁର ମଧ୍ୟସ୍ଥ ଛୋଟ ନାଲରେ ବର୍ଷତମାମ ପାଣି ପ୍ରବାହିତ ହେଉଛି । ବିଶେଷକରି ବର୍ଷା ଦିନେ । ଏପଟେ ଖରାଦିନେ ସନ୍ତସନ୍ତିଆ ପରିବେଶ ରହୁଛି । ଗାଁଲୋକେ ଚାଷଜମି ହିଡ ଓ କାଦୁଅପୂର୍ଣ ରାସ୍ତା ଦେଇ ଯାତାୟତ କରିଅସୁଛନ୍ତି ।

ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ,ଜନପ୍ରତିନିଧିଙ୍କୁ ବାରମ୍ୱାର ଗୁହାରୀ କରି ନିରାଶ ହୋଇଥିଲେ । ଯାହାକୁ ନେଇ ଗତ କିଛି ମାସ ତଳେ ରାସ୍ତାପାର୍ଶ୍ଵରେ ଜଣେ ଲୋକ ନିଜ ବ୍ୟକ୍ତିଗତ ଜମିରେ ପାଚେରୀ ନିର୍ମାଣ କରିବାରୁ ଗାଁ ଲୋକଙ୍କ ରାସ୍ତା ବନ୍ଦ ହେବାର ଆଶଙ୍କା ଉପୁଜିଥିଲା । ଫଳରେ ଗାଁଲୋକେ ବୈଠକ କରି ପ୍ରତି ପରିବାରରୁ ଚାନ୍ଦା ସଂଗ୍ରହ କରିବା ସହ ଶ୍ରମଦାନ କରି ନିଜ ଉଦ୍ୟମରେ ରାସ୍ତା ସହ ପୋଲ ନିର୍ମାଣ କରୁଛନ୍ତି ।

ଏପଟେ ଟିକ୍ରାପଡା ଗାଁର ଶବରପଡାକୁ ଯିବା ପାଇଁ ଏଯାଏଁ ପକ୍କା ରାସ୍ତା ଖଣ୍ଡେ ନଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆପଡା ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ସମୟରେ ଗାଁକୁ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀମାନେ ଆସି ନିର୍ବାଚନ ପ୍ରଚାର କରିବା ସହ ବଡବଡ ପ୍ରତିଶୃତି ଦେଇଛନ୍ତି । ଏମିତି ଦୀର୍ଘ ୨୦ବର୍ଷ ବିତିଲାଣି । ହେଲେ ଗାଁଲୋକଙ୍କ କୈାଣସି ନେତାଙ୍କ ଉପରେ ବିଶ୍ଵାସ ନାହିଁ । ଗାଁଲୋକେ ଭୋଟ ବର୍ଜନ କିମ୍ୱା ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇନାହାନ୍ତି ।

ନିଜ ଉପରେ ବିଶ୍ଵାସ କରି ଗାଁରେ ବୈଠକ କରି ରାସ୍ତା ଓ ପୋଲ ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ ଗ୍ରାମବାସୀ । ଏହି ବୈଠକରେ ଗ୍ରାମବାସୀଙ୍କଠାରୁ ମୋଟ ୧ଲକ୍ଷ ୩ହଜାର ଟଙ୍କା ଚାନ୍ଦା ଆଦାୟ ହୋଇଥିଲା । ସେହି ଟଙ୍କାରେ ପୋଲ ନିର୍ମାଣ ପାଇଁ ସାମଗ୍ରୀ କିଣିବା ପରେ ପୋଲ ନିର୍ମାଣ କାମରେ ଦିନ ରାତି ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ଏଥିରେ ଗ୍ରାମବାସୀ ନିଜର ଶ୍ରମ ଦାନ କରି ରାସ୍ତା ଓ ପୋଲ ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି ।

ତେବେ ବିକାଶର ବାର୍ତା ଦେଉଥିବା ନେତା ମାନଙ୍କୁ ଚ୍ୟାଲେଞ୍ଜ କରି ନିଜେ ଚାନ୍ଦାକରି ଟିକ୍ରାପଡା ଗ୍ରାମବାସୀ ପୋଲ ନିର୍ମାଣ କରୁଥିବାବେଳେ, ଗ୍ରାମବାସୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଳରେ ବେଶ ପ୍ରସଂଶା କରାଯାଇଛି ।

 

 

Leave A Reply

Your email address will not be published.